ଦୁଇଦିନ ବର୍ଷା ପରେ କଟକରେ ଆଜି ପାଗ ଶୁଖିଲା ଥିଲା । କିନ୍ତୁ ବର୍ଷା ହେଲାନି ବୋଲି ସାଂସଦ ଅନୁଭବ ମହାନ୍ତି ଖପ୍ପା । କଥାଟା ଅଡୁଆ ଲାଗୁଛି ଲାଗୁ ବି ନଥାଇପାରେ । କାରଣ ପାଗ ବର୍ଷା ନୁହେଁ ବରଂ ପତ୍ନୀ ବର୍ଷାଙ୍କୁ ନେଇ ସୁପରଷ୍ଟାର ଅନୁଭବ ପୁଣି ଆଙ୍ଗ୍ରି ଆଙ୍ଗ୍ରି ହୋଇଛନ୍ତି । ବର୍ଷା ଆସିଲେନି ବୋଲି ରାଗିଲେ ଅନୁଭବ । ଉଭୟଙ୍କ ଭିତରେ ତ ଏବେ ଅହି ନକୁଳ ଚାଲିଛି । ତାହେଲେ ପୁଣି ବର୍ଷା ଆସିଲେନି ବୋଲି ଅନୁଭବ ଏତେ ଅଭିମାନ ପୁଣି କାହିଁକି କଲେ । ଖାଲି ଅଭିମାନ କଲେନି ସେ ମଧ୍ୟ ବର୍ଷାଙ୍କ ମଙ୍ଗଳ ମନାସିଲେ। ଯ଼େଉଁଠି ଅଛନ୍ତି ଯ଼େମିତି ଅଛନ୍ତି ଭଲରେ ରୁହନ୍ତୁ …….. ବୋଲି କହିଛନ୍ତି ।
କଥା ହେଲା ବର୍ଷାଏବଂ ଅନୁଭଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାର ଆଜି ଶୁଣାଣି ଥିଲା କଟକ କୋର୍ଟରେ । ଉଭୟଙ୍କ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ବିବାଦର ସମାଧାନ ପାଇଁ କୋର୍ଟ ଉଭୟଙ୍କୁ ଡାକିଥିଲେ। ଆଜି ଉଭୟଙ୍କ କଥା ଶୁଣି ଉଭୟଙ୍କ ମଧ୍ୟରେ କିଛି ମିମାଂସା ହୋଇଥାନ୍ତା ଏବଂ ବିବାଦରେ ପୂର୍ଣ୍ଣଛେଦ ପଡ଼ିଥାନ୍ତା। ହେଲେ ବର୍ଷା ଆସିଲେନି । ସାଂସଦ ଅନୁଭବ ମହାନ୍ତି ଆସିଲେ କୋର୍ଟରେ ଅପେକ୍ଷା କଲେ ବହୁ ସମୟ ଅପେକ୍ଷା କଲେ କିନ୍ତୁ ବର୍ଷା ଆସିଲେନି । ଶେଷରେ ମାମଲାର ଶୁଣାଣି ହୋଇପାରିଲାନି।
ବର୍ଷା ନ ଆସିବାରୁ ଅନୁଭବ କ୍ଷୋଭ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ବର୍ଷା ଜାଣି ଶୁଣି କାହାଣୀକୁ ମାନେ ମାମଲାକୁ ଲମ୍ବାଉଛନ୍ତି ଏବଂ ସେ ଜାଣିଶୁଣି କୋର୍ଟଙ୍କ ଡେଟକୁ ଅମାନ୍ୟ କରୁଛନ୍ତି। ଅବଶ୍ୟ ଏହି ମାମଲାରେ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ମାମଲା କଟକ କୋର୍ଟରୁ ସୁପ୍ରିମକୋର୍ଟ ଯାଇ ପୁଣି କଟକ କୋର୍ଟକୁ ଫେରିଲାଣି କିନ୍ତୁ ସମାଧାନର ସୂତ୍ର ବାହାରୁନି । ବରଂ ବିବାଦ ଲମ୍ବି ଲମ୍ବି ଚାଲିଛି । ସେଇଥିପାଇଁ କୁହାଯାଏ ସୂତା ମାଜିଲେ ଛୋଟ କଥା ମାଜିଲେ ମୋଟ ।