ବ୍ୟାୟାମ କରିବାକୁ ସମୟ ମିଳୁନି କି ? ଚିନ୍ତା କରନ୍ତୁନି… ରୋଷେଇ ଘରେ କରିପାରିବେ ଏହି ବ୍ୟାୟାମ

ଭୁବନେଶ୍ଵର, ୨୩/୦୩ : ମହିଳାମାନେ ଘର କାମ କରିବା ସହ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇପଡିଛନ୍ତି । ଓଜନ ନିୟନ୍ତ୍ରିତ କରିବା ପାଇଁ ଜିମ୍‌ ଯିବାଠାରୁ ଆରମ୍ଭ କରି ଯୋଗ ଓ ବ୍ୟାୟାମକୁ ଗୁରୁତ୍ଵ ଦେଉଛନ୍ତି । ତେବେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନାହାଁନ୍ତି । କାରଣ ସେମାନଙ୍କର ଅଧିକ ସମୟ ରୋଷେଇ ଘରେ କଟିଥାଏ । କେବେ ସ୍ୱାମୀ ଓ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି  ତ ଆଉ କେତେବେଳେ ବନ୍ଧୁବାନ୍ଧବଙ୍କ ଉପସ୍ଥିତି ଯୋଗୁ ପ୍ରାୟ ମହିଳା ଫିଟ୍‌ନେସ୍‌ ପାଇଁ କରିଥିବା ଯୋଜନାକୁ କାର୍ଯ୍ୟକାରୀ କରିପାରି ନଥାନ୍ତି ।

ଯଦି ଆପଣଙ୍କର ଅଧିକ ସମୟ ରୋଷେଇ ଘରେ କଟୁଥାଏ, ତେବେ ବ୍ୟାୟାମ ପାଇଁ ଯୋଜନା କରିବା ପରିବର୍ତ୍ତେ ରୋଷେଇ ଘରେ ହିଁ ବ୍ୟାୟାମ  କରିପାରିବେ । ରୋଷେଇ ଘରେ ବ୍ୟାୟାମ ଶୁଣିବାକୁ ଅଜବ ଲାଗୁଥାଇପାରେ । ନଚେତ୍‌  ବ୍ୟାୟାମ କେବଳ ଆପଣଙ୍କ ଯୋଜନାରେ ରହିଯିବ ।

ଗ୍ୟାସ୍‌ରେ କିଛି ଜିନିଷ ସିଝାଇବା କିମ୍ବା ଫୁଟାଇବା ସମୟରେ ରୋଷେଇ ଘର ସ୍ଲାବ୍‌ ସାହାଯ୍ୟରେ ସିଟ୍‌ ଆପ୍ସ ଏକ୍ସରସାଇଜ୍‌ କରିପାରିବେ ।  ନିୟମିତ ୧୦ରୁ ୧୫ ମିନିଟ୍‌ ସିଟ୍‌ ଆପ୍ସ  ଏକ୍ସରସାଇଜ୍‌ କରିବା ଦ୍ୱାରା ଶରୀର  ସହ ମାଂସପେଶୀ ମଜଭୁତ ହୋଇଥାଏ ।  ଏହାସହିତ ଅଣ୍ଟା, ପିଠି ଏବଂ ବେକ ଯନ୍ତ୍ରଣା  ମଧ୍ୟ କମ୍‌ ରହିଥାଏ । ଗର୍ଭବତୀ ବା କୌଣସି  ଅପରେସନ୍‌ ହୋଇଥିବା ମହିଳା ଡାକ୍ତର ପରାମର୍ଶ ବିନା ସିଟ୍‌ ଆପ୍ସ ଏକ୍ସରସାଇଜ୍‌ କରିବା ଅନୁଚିତ୍‌।

ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ପ୍ରସ୍ତୁତ କରିବା ସମୟରେ ମଝିରେ ମଝିରେ କିଛି ସମୟ ପାଇଁ ଖାଲି ଠିଆ ହେବାକୁ ପଡିଥାଏ । ସେହି ସମୟରେ ଜଣେ ଘରଣୀ ଚାହିଁଲେ ଜମ୍ପିଂ ଜ୍ୟାକ୍‌ ବ୍ୟାୟାମ କରିପାରିବେ । ଅବଶ୍ୟ ଏଥିପାଇଁ ରୋଷେଇ ଘର ଟିକେ ବଡ଼ ହୋଇଥିବା ଜରୁରି । ମହିଳାମାନଙ୍କର ଓଜନ କମାଇବା ପାଇଁ ଏହା ଖୁବ୍‌ ଭଲ ବିକଳ୍ପ ।

ଏହା ହୁଏତ ଶୁଣିବାକୁ ଠିକ୍‌ ନ ଲାଗୁଥାଇପାରେ । କିନ୍ତୁ ରୋଷେଇ ଘରର କୌଣସି କୋଣରେ ଡମ୍ବଲ୍‌ ରଖିପାରିବେ । ଖାଦ୍ୟ ପ୍ରସ୍ତୁତି ମଝିରେ ୫ରୁ ୧୦ ମିନିଟ୍‌ ବାହାର କରି ୱେଟ୍‌ ଟ୍ରେନିଂ କରିପାରିବେ । ନିୟମିତ ବ୍ୟାୟାମ କରିବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ।

Leave a Reply

Your email address will not be published. Required fields are marked *