ଭୁବନେଶ୍ଵର, ୧୧/୦୪ : ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ ‘ବେଲ’ ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା’ ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାରେ ନିପୁଣତା ହାସଲ କରିଥିଲେ।
୧୯୧୪ ମସିହା ଏପ୍ରିଲ ମାସରେ ସେ ସ୍ୱାଧୀନତା ସଂଗ୍ରାମୀ ତଥା ତତ୍କାଳୀନ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ । ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉ ଥିଲେ । ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ “ବରି ଆଶ୍ରମ’ । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା’ ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଯାଇଛନ୍ତି ।
୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ମୃତ୍ୟୁ ରମାଦେବୀଙ୍କୁ ନିଃସଙ୍ଗ କରିଦେଲା । ୧୯୬୨ ଚୀନ ଭାରତ ଯୁଦ୍ଧ ସମୟରେ ନିଜେ ସେବାଦଳ ଧରି ଦୁର୍ଦ୍ଦିନରେ ପଡ଼ିଥିବା ଭାରତୀୟ ଜବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଜରୁରିକାଳୀନ ପରିସ୍ଥିତିର ଦୃଢ଼ ମୁକାବିଲା କରିଥିଲେ ଜୟପ୍ରକାଶ ନାରାୟଣ । ରମାଦେବୀ ଭାରତୀୟ ଗଣତନ୍ତ୍ରର ମାନ ରକ୍ଷା ଲାଗି ଜୟପ୍ରକାଶଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ । ୧୪୪ଧାରା ଜାରି ସତ୍ତ୍ୱେ ସମାବେଶର ଅଗ୍ରଭାଗରେ ରମାଦେବୀଙ୍କୁ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ବହୁ ଜନନାୟକ ଜେଲ୍ ଗଲେ, ମାତ୍ର ମା’ ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହସ କରି ନଥିଲେ ।