ଚିତ୍ରୋତ୍ପଳା ଓ ଲୁଣା ଉପରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ

 

ମହାନଦୀର ଜଳ ସ୍ରୋତ ହ୍ରାସ ପାଇବା ସହିତ ଏହାର ଶାଖା ନଦୀଗୁଡିକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଚିତ୍ରୋତ୍ପଳାର ଜଳସ୍ରୋତ ବିଶେଷ ଭାବେ ପ୍ରଭାବିତ ହୋଇଛି। ।ଚିତ୍ରୋତ୍ପଳା ନଦୀର ପୁନ୍ଦାଳୋ ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଚିତ୍ରୋତ୍ପଳା ନଦୀ ଅବବାହିକାର ବିକାଶ ଏବଂ ଏହାର ଜଳଧାରଣ କ୍ଷମତା ବୃଦ୍ଧି ସନ୍ଦେଶ ନେଇ ଗଠିତ ଚିତ୍ରୋତ୍ପଳା ବିକାଶ ପରିଷଦର ଦ୍ବିତୀୟ ବୈଠକରେ ଏ ସଂପର୍କରେ ମତ ପ୍ରକାଶ ପାଇଛି । ଭୁବନେଶ୍ବର ସିୱାଇଏସଡି ଭବନରେ ପରିଷଦର ଦ୍ବିତୀୟ ବାର୍ଷିକ ବୈଠକ  ଅନୁଷ୍ଠିତ ହୋଇଯାଇଛି। ଡାକ୍ତର  ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ।

    ରାଜ୍ୟର ଭୁତଳ ଜଳ ସଙ୍କଟଗ୍ରସ୍ତ ଅଞ୍ଚଳ ମଧ୍ୟରେ 6ଟି ବ୍ଲକକୁ ଚିହ୍ନଟ କରାଯାଇଥିବା ବେଳେ ଗରଦପୁର ବ୍ଲକ ସେ ମଧ୍ୟରୁ ଗୋଟିଏ। ଯଦିଓ ଏହି ବ୍ଲକରେ ଚିତ୍ରୋତ୍ପଳା ନଦୀ ପ୍ରବାହିତ ହୋଇଛି ତଥାପି ନଦୀର ଜଳସ୍ରୋତ ହ୍ରାସ ପାଇବା ଏବଂ ବ୍ୟାପକ ଲିଫ୍ଟ ଇରିଗେସନ ପଏଣ୍ଟର ବ୍ୟବହାର ଯୋଗୁଁ ଗରଦପୁର ବ୍ଲକ ଅଞ୍ଚଳର ଭୂତଳ ଜଳସ୍ତର ସଙ୍କଟଜନକ ସ୍ତରକୁ ଖସି ଗଲାଣି।  ତେଣୁ ଏହାର ପୁନରୁଦ୍ଧାର ପାଇଁ ଚିତ୍ରୋତ୍ପଳା ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିବା ଲାଗି ପରିଷଦର ସଭାପତି ବିଜୟ ମିଶ୍ର ଆହ୍ବାନ ଦେଇଥିଲେ। ସେହିପରି ଏଥିପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ଏନେଇ ସଚେତନା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି  ଜଣାଶୁଣା ସମାଜସେବୀ ତଥା ସିଏସୱାଇଡିର ଯୁଗ୍ମ ପ୍ରତିଷ୍ଠାତା ଜଗଦାନନ୍ଦ ଆହ୍ବାନ ଦେଇଥିଲେ।

ସମାଜସେବୀ ବିପିନ ମହାନ୍ତିଙ୍କ ସହଯୋଗରେ ପରିଷଦର ସଦସ୍ୟମାନେ ପାଟକୁରାର ବିଭିନ୍ନ ଗାଁରେ 66 ହଜାର ବୃକ୍ଷ ରୋପଣ କରିଛନ୍ତି। ବିଶେଷ କରି ଆମ୍ବ ପିଜୁଳି, ଲେମ୍ବୁ ଭଳି ଗଛ ଲୋକମାନଙ୍କୁ ବଣ୍ଟନ କରାଯାଇ ସେସବୁ ରୋପଣ କରାଯାଇଛି। ଏହାଦ୍ବାରା ଲୋକେ ଲାଭ ପାଇବା ସହିତ ପରିବେଶ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ସଂପାଦକ ସୁଶାନ୍ତ ମହାନ୍ତି ପରାମର୍ଶ ଦେଇଥିଲେ । ବିଶେଷ କରି ଯେଉଁଠାରେ ଲୋକେ ଆର୍ଥିକ ଫାଇଦା ପାଆନ୍ତି ସେଠାରେ ଅଧିକ ନିମଗ୍ନ ହୁଅନ୍ତି ସେଭଳି କାର୍ଯ୍ୟ ସହିତ ପରିବେଶ ସୁରକ୍ଷାକୁ ଯୋଡ଼ିବା ଦ୍ବାରା ଉଭୟ ପଟୁ ସଫଳ ହୋଇପାରିବ ବୋଲି ସେ କହିଥିଲେ। ସେଥିପାଇଁ ସେ ଅର୍ଥକାରୀ ଫଳଗଛ ଶାଗୁଆନ ଭଳି ଗଛ ଲଗାଇବା ଲାଗି ଆହ୍ବାନ ଦେଇଥିଲେ।

ବୃକ୍ଷରୋପଣ ଅପେକ୍ଷା ସିଧା ଫଳ ମଞ୍ଜିକୁ ଇତସ୍ତତ ଭାବେ ଯଦି ଲଗାଯାଆନ୍ତା ତେବେ ଏହା ଅଧିକ ସଂଖ୍ୟାରେ କାର୍ଯ୍ୟକାରୀ ହୋଇପାରନ୍ତା ବୋଲି ପରିଷଦର ବରିଷ୍ଠ ସଦସ୍ୟ ଦେବାନନ୍ଦ ଦ୍ବିବେଦୀ ଏବଂ ଅଶୋକ କୁମାର ଦ୍ବିବେଦୀ ମତ ଦେଇଥିଲେ।  ସେହିପରି ଚିତ୍ରୋତ୍ପଳାର ବାହାରିବା ସ୍ଥାନରେ ଡ୍ରେଜିଂ କରିବା ଭଳି ପଦକ୍ଷେପ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ଲାଗି ଅନ୍ୟତମ ସଦସ୍ୟ ସମର ମହାନ୍ତି ପ୍ରସ୍ତାବ ଦେଇଥିଲେ।  ଏଥିସହିତ ଚିତ୍ରୋତ୍ପଳାର ଅବବାହିକାରେ ଥିବା ପୁଣ୍ୟ ତୀର୍ଥର ବିକାଶ କରିବା ଏବଂ ଏହାକୁ ଦେଶବିଦେଶରେ ପରିଚିତ କରିବା ଲାଗି ମଧ୍ୟ ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିଷ୍ଠାତା ସଦସ୍ୟ ଶରତ ସାହୁ ଏବଂ ରମେଶ ଚନ୍ଦ୍ର ସାହୁ ପ୍ରସ୍ତାବ ଦେଇଥିଲେ।  

କର୍ମ ସଂଧାନରେ ମଣିଷ ସହରାଭିମୁଖୀ ହୋଇଥିଲେ ମଧ୍ୟ ଗାଁ ସହିତ, ଗାଁର ମଣିଷ ସହିତ ଏବଂ ପରମ୍ପରା ସହିତ ଯୋଡ଼ି ହେଲେ ସବୁକିଛି ସମ୍ଭବପର ହୋଇପାରିବ।  ପରିଷଦର ସଦସ୍ୟ ଦିଲ୍ଲୀପ ରାୟ, ସିଦ୍ଧାର୍ଥ ପ୍ରହରାଜ, ଏକାମ୍ର କବି, ବିଜନ ରାୟ, ସମୀର ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ନାରାୟଣ ଶତପଥୀ, ଆଲୋକ ଶତପଥୀ, ଅଭୟ କୁମାର ରାହୁତ, ଅନୁକମ୍ପା ଦ୍ବିବେଦୀ, ଡକ୍ଟର ଭାଗ୍ୟଲକ୍ଷ୍ମୀ ମିଶ୍ର ପ୍ରମୁଖ ଏଥିରେ ମତ ଦେଇଥିଲେ।   

Leave a Reply

Your email address will not be published. Required fields are marked *