ଜାନୁଆରୀ ୧୫ ସୁଦ୍ଧା ଓଏଭି ପ୍ରବେଶିକା, ଏପ୍ରିଲ୍‌ ୨ରୁ ୩୦ ମଧ୍ୟରେ ନାମଲେଖା

ଭୁବନେଶ୍ଵର, ୦୭/୧୧ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମ୍‌ଏଭି)ରେ ନାମଲେଖା ପାଇଁ ହେବ ପ୍ରବେଶିକା ପରୀକ୍ଷା । ଏଥିପାଇଁ ଗତ ୧ ତାରିଖଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦ ତାରିଖ ପଞ୍ଜୀକରଣର ଶେଷ ତାରିଖ ରହିଛି । ୨୦୨୪ ଜାନୁଆରୀ ୧୫ ସୁଦ୍ଧା ପ୍ରବେଶିକା ପରୀକ୍ଷା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରବେଶିକା ପରୀକ୍ଷା କେନ୍ଦ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସ୍ଥିର କରିବ । ୨୦୨୪ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ମାର୍ଚ୍ଚ ୨୫ ସୁଦ୍ଧା ନାମଲେଖା ତାଲିକା ଅନୁମୋଦନ କରାଯିବ । ଏପ୍ରିଲ୍‌ ୨ରୁ ନାମଲେଖା ଆରମ୍ଭ ହୋଇ ୩୦ ତାରିଖ ମଧ୍ୟରେ ଶେଷ ହେବ । ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

୩୧୪ଟି ଓଏଭି ଏବଂ ୫ଟି ଓଏମ୍‌ଏଭିର ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଓଏଭି ୱେବ୍‌ସାଇଟ୍‌ ରେ ପଞ୍ଜୀକରଣ କରିପାରିବେ । ଷଷ୍ଠ ଶ୍ରେଣୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ଅନ୍ୟପଟେ ଲାଟେଲାର ଏଣ୍ଟ୍ରି ଅର୍ଥାତ୍‌ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀ ନାମଲେଖା ପାଇଁ ମଧ୍ୟ ପ୍ରବେଶିକା ପରୀକ୍ଷା କରାଯିବ । କିନ୍ତୁ ଆବେଦନକାରୀଙ୍କ ଅଞ୍ଚଳରେ ଉକ୍ତ ଶ୍ରେଣୀର ଖାଲିଥିବା ସିଟ୍‌କୁ ନେଇ ନାମଲେଖା ହେବ । ଓଏଭି ଏବଂ ଓଏମ୍‌ଏଭି ନାମଲେଖା ପ୍ରବେଶିକା ପରୀକ୍ଷା (ଷଷ୍ଠ ଶ୍ରେଣୀ) ପାଇଁ ଆବେଦନକାରୀ ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରେ ପଢ଼ୁଥିବେ । ବୟସ ସୀମା ୧୦ ବର୍ଷରୁ ଅଧିକ ହୋଇଥିବ ଏବଂ ୧୨ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମିକ, ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଘରୋଇ ସ୍କୁଲ୍‌ରୁ ପାସ୍‌ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଷଷ୍ଠ ଶ୍ରେଣୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ୨ ଘଣ୍ଟାର ହେବ । ଇଂରାଜୀ, ଗଣିତ, ବିଜ୍ଞାନ ଏବଂ ସାମାଜିକ (ପଞ୍ଚମ ଶ୍ରେଣୀର ବିଷୟରୁ ଆସିବ) ପରୀକ୍ଷା ହେବ । ପ୍ରତ୍ୟେକ ବିଷୟବସ୍ତୁର ୧୫ ମାର୍କ ଲେଖାଏଁ ୬୦ ମାର୍କର ପରୀକ୍ଷା ହେବ । ସପ୍ତମ ଶ୍ରେଣୀ, ଅଷ୍ଟମ ଏବଂ ନବମ ଶ୍ରେଣୀ ପାଇଁ ୧୦୦ ମାର୍କ ପରୀକ୍ଷା ୩ ଘଣ୍ଟାର ସମୟରେ ହେବ । ପ୍ରତ୍ୟେକ ବିଷୟ ବସ୍ତୁର ୨୦ ମାର୍କ ପରୀକ୍ଷା ହେବ ।

Leave a Reply

Your email address will not be published. Required fields are marked *