ମା’ ଓ ଶିଶୁ ପାଇଁ ମାରାତ୍ମକ ଏହି ରୋଗ, ଜାଣନ୍ତୁ କିଭଳି କରିବେ ପ୍ରତିକାର

ନୂଆଦିଲ୍ଲୀ, ୨୬/୭ : ଗର୍ଭବସ୍ଥା ସମୟରେ ଜଣେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ସମୟରେ ମହିଳାଙ୍କୁ ଅନେକ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଗର୍ଭାବତୀମାନେ ଡାଇବେଟିସ୍, ରକ୍ତଚାପ ଓ ଅବସାଦ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ମଧ୍ୟ ହୋଇଥାନ୍ତି । ଗର୍ଭାବସ୍ଥାରେ ହେଉଥିବା ରୋଗମାନଙ୍କ ମଧ୍ୟରୁ ପ୍ରିକ୍ଲାମ୍ପିସିଆ ଏକ ଏଭଳି ସମସ୍ୟା ଯେଉଁଥିରେ ମହିଳାମାନେ ସାଧାରଣତଃ ଚିଡ଼ଚିଡ଼ା ହୋଇଥାନ୍ତି । ଏହି ରୋଗ ଫଳରେ ଅନେକ ଗର୍ଭବତୀ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି । ଏହି ରୋଗର ପ୍ରାଥମିକ ଚିକିତ୍ସା କରାନଗଲେ ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ହେଉଥିବା ସମସ୍ୟା ବିଷୟରେ ଜାଗ୍ରତ କରିବା ଲାଗି ପ୍ରତି ବର୍ଷ, ୨୨ ମେକୁ ପ୍ରିକ୍ଲାମ୍ପିସିଆ ଦିବସ ରୂପେ ପାଳନ କରାଯାଏ ।

ପ୍ରିକ୍ଲାମ୍ପିସିଆ ଏକ ମାରାତ୍ମକ ରୋଗ । ଯେଉଁଥିରେ ଗର୍ଭବତୀଙ୍କର ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେବା ସହ ହୃଦଘାତ ହେବାର ମଧ୍ୟ ସମ୍ଭାବନା ଥାଏ । ଏଭଳି ସ୍ଥିତି ଖୁବ୍ ବିପଦପୂର୍ଣ୍ଣ । ଯଦି ଏଭଳି ସ୍ଥିତିରେ ତାଙ୍କର ସଠିକ୍ ଚିକିତ୍ସା କରାନଯାଏ, ତେବେ ମାଆ ଓ ଶିଶୁ ଉଭୟଙ୍କ ପ୍ରତି ବିପଦ ରହିଛି। ସାଧାରଣତଃ ଏହି ରୋଗ ଗର୍ଭଧାରଣର ୨୦ ସପ୍ତାହ ପରେ ଦେଖାଦିଏ । ପ୍ରାଥମିକ ପର୍ଯ୍ୟାୟରେ ରୋଗର ଚିହ୍ନଟ କରି ଏହାର ପ୍ରତିକାର କରିନେବା ଜରୁରୀ । ଅତ୍ୟଧିକ ମୁଣ୍ଡବିନ୍ଧା, ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ ହେବା, ପେଟର ଉପରିଭାଗରେ ଯନ୍ତ୍ରଣା ହେବା ଆଦି ଏହି ରୋଗର ଲକ୍ଷଣରେ ଅନ୍ତର୍ଭୁକ୍ତ।

ଯେଉଁ ମହିଳାମାନେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥାନ୍ତି ସେମାନଙ୍କଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ । ଗର୍ଭରେ ଏକାଧିକ ଶିଶୁ ଥିଲେ, ୨୦ ବର୍ଷରୁ କମ୍ କିମ୍ୱା ୪୦ ବର୍ଷରୁ ଅଧିକ ବୟସରେ ଗର୍ଭବତୀ ହେଲେ, ଗର୍ଭାବସ୍ଥା ସମୟରେ ଉଚ୍ଚ ରକ୍ତଚାପ ଥିବା ମହିଳାଙ୍କଠାରେ ମଧ୍ୟ ଏହି ରୋଗ ହେବାର ଆଶଙ୍କା ଅଧିକ।

ଗର୍ଭବସ୍ଥା ସମୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ଖୁବ୍ କଷ୍ଟକର । ଏହାକୁ ନେଇ ସଜାଗ ରହିବା ଜରୁରୀ । ତେବେ ଏହି ରୋଗ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କିଛି ପ୍ରତିକାର ଦିଆଯାଇଛି । ଜଣେ ଗର୍ଭବତୀଙ୍କୁ ୧୬ ସପ୍ତାହ, ୨୪ରୁ ୨୮ ସପ୍ତାହ ଏବଂ ୩୨ ସପ୍ତାହରେ ଅତି କମରେ ୪ ଥର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଏହି ଅବସରରେ ଡାକ୍ତର ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ସନ୍ତୁଳିତ ଆାହାର ଓ ନିୟମିତ ବ୍ୟାୟାମ କରିବା ଫଳରେ ମା’ ଓ ଶିଶୁ ଉଭୟ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *