ଜୟନ୍ତି ଟିଗାଙ୍କ ବିଷୟରେ ଜାଣିଲେ ଆପଣ ବି ହାର ମାନିବେନି

ଜୟନ୍ତି ଟିଗା, ଏହି ନାଁଟି ପୂର୍ବରୁ କେବେ ସମ୍ଭବତଃ ଆପଣ ଶୁଣିନଥିବେ । କାରଣ ସେ ଚର୍ଚ୍ଚାରେ ରହୁଥିବା ଭିଆଇପିଙ୍କ ଭିତରୁ ନୁହନ୍ତି । ମନ୍ତ୍ରୀ ନୁହନ୍ତି, ନେତା ନୁହନ୍ତି, ସରକାରୀ ବାବୁ କିମ୍ବା ବ୍ୟବସାୟାୀ ବି ନୁହନ୍ତି । ତେବେ ଓଡ଼ିଶାର ଏହି ମହିଳାଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି।  ଏହି ମହିଳା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କର କର୍ମ ନିଷ୍ଠା ତାଙ୍କୁ ଏବେ ପ୍ରଶଂସିତ କରିଛି। ଜୟନ୍ତି ଟିଗା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଅଙ୍ଗନବାଡ଼ି କର୍ମୀ। ଏବେ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ନ୍ୟସ୍ତ ହୋଇଛି ଗାଁ ଗାଁର କୋଭିଡ ପରିଚାଳନା। ତେବେ ଜଣେ ଭିନ୍ନ କ୍ଷମ ହୋଇ ବି ଜୟନ୍ତି ଏହି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି। ଘରକୁ ଘର ବୁଲି ଆଦିବାସୀମାନଙ୍କୁ କୋଭିଡ ବିଷୟରେ ସଚେତନ କରିବା ସହିତ ସେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ବଡ଼ କଥା ହେଉଛି ଲେଫ୍ରିପଡ଼ାର ଅନେକ ଏମିତି ଦୁର୍ଗମ ଅଞ୍ଚଳ ଅଛି ଯେଉଁଠାକୁ ଗାଡ଼ିରେ କି ସାଇକେଲରେ ବି ଯ଼ାଇ ହେବନାହିଁ। ହେଲେ ଜୟନ୍ତି ହାରି ଯାଇନାହାନ୍ତି। ଗୁରୁଣ୍ଡି ଗୁରୁଣ୍ଡି ପାହାଡ଼ ଚଢ଼ି ସେ ଦୁର୍ଗମ ଗାଁରେ ପହଞ୍ଚି ନିଜ କର୍ମ କରିଛନ୍ତି।  ସେ କୁହନ୍ତି ବାପାଙ୍କ ସହ ବାଇକରେ ବସି ସେ ନିଜର କାମ କରନ୍ତି , ଲୋକଙ୍କୁ କୋଭିଡ ବିଷୟରେ ସଚେତନ କରନ୍ତି ଏବଂ ଗାଁର ହାଲଚାଲ ବୁଝନ୍ତି । ଯ଼େଉଁ ଅଞ୍ଚଳକୁ ଗାଡ଼ିରେ ଯାଇହୁଏନା ସେଠାକୁ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇଥାନ୍ତି। ଏମିତି ଦୁର୍ଗମ ଗାଁକୁ ଯ଼ିବା ଲାଗି ସେ କେବେବି ପଛଘୁଞ୍ଚି ଦିଅନ୍ତି ନାହିଁ। ନ୍ୟୁଜ ଏଜେନ୍ସି ଏଏନଆଇ ଏହ ଖବରଟିକୁ ସ୍ଥାନ ଦେଇ ଏବେ ଜୟନ୍ତିଙ୍କ ନାଁକୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିଛି ।

ଓଡ଼ିଶାର ଜଣେ ମହିଳାଙ୍କ କର୍ମନିଷ୍ଠାକୁ SheOdisha ମଧ୍ୟ ସାଲ୍ୟୁଟ କରୁଛି । ଆପଣ ମଧ୍ୟ ଏହି ଖବରଟିକୁ ସେୟାର କରି ଜୟନ୍ତିଙ୍କ ଯ଼ାତ୍ରା ସହିତ ନିଜକୁ ଯ଼ୋଡ଼ିପାରିବେ ତାଙ୍କୁ ପ୍ରେରଣା ଦେଇପାରିବେ ।

Leave a Reply

Your email address will not be published. Required fields are marked *