Home More ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ :- କାହିଁକି ଏହି କ୍ଷେତ୍ର ପୁରୀ ଭାବେ ଜଣାଯାଏ

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ :- କାହିଁକି ଏହି କ୍ଷେତ୍ର ପୁରୀ ଭାବେ ଜଣାଯାଏ

0
ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ :- କାହିଁକି ଏହି କ୍ଷେତ୍ର ପୁରୀ ଭାବେ ଜଣାଯାଏ

 

ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ।

କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ ।

ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା ‘ପୁରୀ’ । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା-ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ ‘ଜଗନ୍ନାଥ’ ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ ।

ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ ‘ପୁରୁଷ’ କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ-ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ ।

ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି ‘ପୁରୀ’ ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ କରନ୍ତି । ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇଥିବେ ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇଥିବ, ଏ କଥା ସ୍ୱୀକାର କରିବାକୁ ପଡ଼ିବ । ପ୍ରଫେସର ମହାନ୍ତି ବିଶ୍ୱାସ କରନ୍ତି ଯେ, ଏହି ପ୍ରାଚୀନ ନାମଟି ‘ପୁରୀ’ । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ । ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ବ୍ୟବହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି । କିନ୍ତୁ ଅନ୍ୟ ଜଣେ ବିଦ୍ୱାନ ଗବେଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ ‘ପୁରୁଷୋତ୍ତମ-ପୁରୀ’ ବା ‘ଜଗନ୍ନାଥ-ପୁରୀ’ର ସଂକ୍ଷିପ୍ତ ରୂପ ‘ପୁରୀ’ ହୋଇଛି ।

ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ ଉତ୍କଳର ବାଣିଜ୍ୟ ସଂପର୍କ ରହିଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଭାରତୀୟ ସାଧବମାନେ ଏହି ଦ୍ୱୀପରେ ପହଞ୍ଚିଯାଇଥିଲେ । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଇଥିଲେ । ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ବାଲିଦ୍ୱୀପରେ ଲୋକମାନେ ମନ୍ଦିରକୁ ‘ପୁର’ କହନ୍ତି । ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର ‘ପୁରବୈଶାଖୀ’ ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି ‘ପ୍ରାସାଦ’ କୁହାଯାଏ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ ‘ପୁର’ କୁହାଯାଉଥିଲା । କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳ ‘ପୁରୀ’ ନାମରେ ବିଖ୍ୟାତ ହେଲା ।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟରେ ପୁରୀର ଶ୍ରୀମନ୍ଦିରକୁ ‘ପ୍ରାସାଦ’ କୁହାଯାଇଛି ।

“ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
_ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।”

ଜୀବଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା ‘ଉତ୍ସାହବତୀ ରୂପକ’ରେ ଲେଖିଛନ୍ତି-“ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ… ।” ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବଙ୍କ ପ୍ରଦତ୍ତ ଏକ ଅଭିଲେଖରେ ‘ପ୍ରାସାଦ ପୁରୁଷୋତ୍ତମସ୍ୟ’ ବୋଲି ଉଲ୍ଲେଖ ଅଛି ।

ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିବରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା ‘ଶ୍ରୀକ୍ଷେତ୍ର’ । ଉତ୍କଳର ଉପନିବେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ଦୁଇଶହରେ ଉତ୍କଳୀୟମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ‘ପ୍ରୋମ୍‍’ ନାମଟି ହୁଏତ ‘ପୁରମ୍‍’ (ପୁର) ଶବ୍ଦରୁ ସୃଷ୍ଟି ହୋଇଥିବ ।

ଏହି ଲେଖାଟି ହ୍ବାଟସ ଆପରେ ଭାଇରାଲ ହେଉଥିବା ଲେଖାରୁ ଉର୍ଦ୍ଧୃତ। ତେବେ ଯିଏ ଏହାକୁ ଲେଖିଛନ୍ତି ତାଙ୍କୁ ହୃଦୟର ସହ ସମ୍ମାନ ଜଣାଇବା ସହ ଲେଖାଟି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆମେ ଏଠାରେ ସ୍ଥାନ ଦେଇଛୁ। ଆପଣ ବି ଏହାକୁ ସେୟାର କରିପାରିବେ ।

LEAVE A REPLY

Please enter your comment!
Please enter your name here