ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ, ଅନ୍ୟମାନଙ୍କ ପାଇଁ ପାଲଟିଲେ ପ୍ରେରଣା…

ନୂଆଦିଲ୍ଲୀ, ୨୧/୧୦ : ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ। ଯେଉଁ ବୟସରେ ଆଣ୍ଠୁଗଣ୍ଠି ବାତ ଯୋଗୁଁ ମଣିଷ ଆରାମ କରିବାକୁ ଇଚ୍ଛା କରେ ସେହି ବୟସରେ ପର୍ବତ ଚଢି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଜ୍ୟୋତି। ଭୋପାଳରେ ରହୁଥିବା ଜ୍ୟୋତି ତାଙ୍କ ସ୍କୁଲ ସମୟରେ ଏଭରେଷ୍ଟ ଶୃଙ୍ଗ ବିଷୟରେ ପଢିଥିଲେ। ଏଭରେଷ୍ଟ ଚଢିବା ଖୁବ୍ କଷ୍ଟ ବୋଲି ସେ ବହିରେ ପଢିଥିଲେ। ଏହା ପରେ ସେ ପାହାଡ଼ ଚଢିବା ପାଇଁ ସ୍ଵପ୍ନ ଦେଖିଥିଲେ। ହେଲେ ସମୟ ସହ ଛନ୍ଦ ହୋଇ ଜ୍ୟୋତିଙ୍କ ସ୍ଵପ୍ନ ପଛରେ ରହିଯାଇଥିଲା। କଲେଜରେ ପାଠପଢା ସରିବା ପରେ ଜ୍ୟୋତିଙ୍କ ବିବାହ ହୋଇଯାଇଥିଲା। ଏହାପରେ ସ୍ଵାମୀ-ଛୁଆଙ୍କୁ ନେଇ ଜ୍ୟୋତି ସଂସାର ଜଞ୍ଜାଳରେ ଛନ୍ଦି ହୋଇଯାଇଥିଲେ।

ତେବେ ପରିବାର ପ୍ରତି ସବୁ କର୍ତ୍ତବ୍ୟ ସାରିବା ପରେ ୪୮ ବର୍ଷ ବୟସରେ ଜ୍ୟୋତି ତାଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ମନସ୍ଥ କଲେ। ମନାଲୀ ଯାଇ ପାହାଡ଼ ଚଢିବା ପାଇଁ ପ୍ରଶିକ୍ଷଣ ନେଲେ। ଏହାପରେ ଜ୍ୟୋତି ମାତ୍ର ଦୁଇ ଦିନରେ ଚାରି ଧାମ ଯାତ୍ରା ସମ୍ପୂର୍ଣ୍ଣ କଲେ। ମନାଲୀରେ ଜ୍ୟୋତି ୬ ହଜାର ଫୁଟ ଉଚ୍ଚ ଟ୍ରାକ ଦେବଟିପା ପାର୍ କରିଥିଲେ। ପ୍ରଶିକ୍ଷଣ ସରିବା ପରେ ଏଭରେଷ୍ଟ ଚଢିବା ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କର ବୟସ ବଢିବା ଯୋଗୁଁ ସୁଯୋଗ ମିଳିନଥିଲା।

ମାଉଣ୍ଟ ଏଭରେଷ୍ଟ ଚଢିବା ପାଇଁ ସର୍ବାଧିକ ବୟସ ସୀମା ୪୨ ବର୍ଷ ରହିଛି। ହେଲେ ଜ୍ୟୋତି ହାର ମାନିନଥିଲେ। ସେ ପ୍ରଶିକ୍ଷଣ ଜାରି ରଖିଥିଲେ। ୟୁରୋପର ସବୁଠୁ ବଡ଼ ଉଚ୍ଚ ପାହାଡ଼ ମାଉଣ୍ଟ ଏଲବ୍ରୁସ୍ ଚଢିବା ପାଇଁ ଆବେଦନ କରିଥିଲେ। ୫୨ ବର୍ଷ ବୟସରେ ସେ ୫ ହଜାର ୪୬୨ ଫୁଟ ଉଚ୍ଚ ଏଲବ୍ରୁସ୍‌ରେ ଚଢିଥିଲେ। ଏହି ରେକର୍ଡ ସହ ଜ୍ୟୋତି ଭାରତର ସବୁଠୁ ଅଧିକ ବୟସ୍କା ପର୍ବତାରୋହୀ ହୋଇପାରିଥିଲେ।

Leave a Reply

Your email address will not be published. Required fields are marked *