ଭୁବନେଶ୍ଵର, ୧୭/୮ : ବିବାହ ହେଉଛି ଏକ ବୁଝାମଣା । ଅନେକ ସମୟରେ ବୁଝାମଣା ଅଭାବରୁ ବିବାହିତ ଦମ୍ପତିଙ୍କ ଜୀବନରେ ଛାଡପତ୍ର ଭଳି ସମୟ ଆସିଥାଏ । ଏହା ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି, ଯାହା ଉଭୟଙ୍କ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିଥାଏ । ଯଦି ସେହି ଦମ୍ପତିଙ୍କ ଜୀବନରେ ସନ୍ତାନ ଥାଆନ୍ତି, ତେବେ ଏହାର ବହୁ ନକାରାତ୍ମକ ପ୍ରଭାବ ସେମାନଙ୍କ ପିଲା ଉପରେ ମଧ୍ୟ ପଡିଥାଏ । ଏପରିକି ଛାଡପତ୍ର ଯୋଗୁ ପିଲାମାନେ ମଧ୍ୟ ଅବସାଦରେ ଶିକାର ହୋଇଥାନ୍ତି । ଚାଲନ୍ତୁ ଦେଖିବା ଏହି ପରିସ୍ଥିତିରେ ପିଲାକୁ କେମିତି କରିପାରିବେ ନିୟନ୍ତ୍ରିତ ।
ଛାଡ଼ପତ୍ର ପରେ ପିଲାର ନିଅନ୍ତୁ ଖାସ୍ ଯତ୍ନ
ପିଲା ସହ ସମୟ ବିତାନ୍ତୁ । ସେମାନଙ୍କ ମାନସିକ ସ୍ଥିତିକୁ ବୁଝିବାକୁ ପ୍ରୟାସ କରନ୍ତୁ । ଛାଡ଼ପତ୍ର ପରେ ପିଲା ମାନସିକ ଭାବେ ଚିନ୍ତାର ଶିକାର ହୋଇଥାନ୍ତି । ସ୍ୱାମୀ-ସ୍ତ୍ରୀ ଅଲଗା ହେବା ଦ୍ୱାରା ଏହାର କୁପ୍ରଭାବ କେବଳ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ନୁହେଁ ବରଂ ପିଲାଙ୍କ ଉପରେ ମଧ୍ୟ ପଡୁଛି । ପ୍ରାୟ କ୍ଷେତ୍ରରେ ବିବାହ ବିଚ୍ଛେଦ ପରେ ପିଲା ମା’ ସହିତ ହିଁ ରହିଥାଏ । ଏହି ପରିସ୍ଥିତିରେ ମା’ଟିଏ ନିଜ ସହ ପିଲାର ମାନସିକ ସ୍ଥିତିକୁ ମଧ୍ୟ ସମ୍ଭାଳିବାକୁ ପଡିଥାଏ । ନଚେତ୍ ପିଲାଟି ଚିନ୍ତା ଓ ଅବସାଦର ଶିକାର ହୋଇପାରେ ।
ପିଲା ସହ ସମୟ ବିତାନ୍ତୁ
ବିବାହ ବିଚ୍ଛେଦ ପରେ ସିଙ୍ଗଲ୍ ପ୍ୟାରେଣ୍ଟ୍ଙ୍କୁ ଅଧିକ ଦାୟିତ୍ୱବାନ୍ ହେବାକୁ ପଡିଥାଏ । ଯାହାକୁ ସମ୍ଭାଳିବା ଆଦୌ ସହଜ ନୁହେଁ । ତେଣୁ ଏହି ସମୟରେ ସ୍ଥିର ଚିତ୍ତରେ କାମ କରିବାକୁ ପଡିଥାଏ । ପିଲାଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ନ ପଡିବା ପାଇଁ ସେମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରିବା ଉଚିତ୍ । ସେମାନଙ୍କୁ ଅଲଗା ଅଲଗା ଆକ୍ଟିଭିଟିରେ ବ୍ୟସ୍ତ ରଖିବା ସହ ନିଜେ ମଧ୍ୟ ଭାଗ ନିଅନ୍ତୁ । ପିଲା ବ୍ୟସ୍ତ ରହିବା ଦ୍ୱାରା ଅଧିକ କିଛି ଭାବିବାକୁ ସମୟ ପାଇ ନଥାଏ । ଫଳରେ ସେ ଅଧିକ ସମୟ ଚିନ୍ତାମୁକ୍ତ ରହିପାରିବ ।
ପିଲାର ମାନସିକତାକୁ ବୁଝନ୍ତୁ ଯଦି ପିଲାଟି ବୁଝିବାର ହୋଇଥାଏ, ତେବେ ସେ ବାପାମା’ଙ୍କ ବିବାହ ବିଚ୍ଛେଦକୁ ନେଇ ଖୁବ୍ ଅଧିକ ଚିନ୍ତା କରିଥାଏ । ଯଦ୍ୱାରା ସେହି ପିଲାର ବ୍ୟବହାରରେ ପରିବର୍ତ୍ତନ ଆସିଥାଏ । ଏହି ପରିସ୍ଥିତିରେ ପିଲାକୁ ଗାଳି ଦେବା ପରିବର୍ତ୍ତେ ତା’ ସ୍ଥିତାବସ୍ଥାକୁ ବୁଝିବାକୁ ପ୍ରୟାସ କରିବା ଉଚିତ୍ । ଥରେ ନିଜକୁ ପିଲାର ସ୍ଥାନରେ ରଖି ଭାବନ୍ତୁ ସେ କ’ଣ ଅନୁଭବ କରୁଥିବ । ଏପରି କରିବା ଦ୍ୱାରା ପିଲାକୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ ।
କୌଣସି ନିଷ୍ପତ୍ତି ଲଦି ଦିଅନ୍ତୁନି
ବିବାହ ବିଚ୍ଛେଦ ପରେ ପିଲା କୌଣସି ଜଣେ ଅଭିବାବକଙ୍କ ପାଖରେ ରହିଥାଏ । ତେବେ ଅନ୍ୟ ଜଣକର ଅଭାବ ନିଶ୍ଚୟ ଅନୁଭବ କରିଥାଏ । ଏହି ସ୍ଥିତିରେ ପିଲା ସହ ରହୁଥିବା ଅଭିଭାବକ ତା’ ମନକୁ ବୁଝିବା ଦରକାର । ନିଜର ପୂର୍ବତନ ସ୍ୱାମୀ ବା ସ୍ତ୍ରୀଙ୍କ ସହ ନିଜେ କଥା ହେବାକୁ ନ ଚାହିଁବା ଠିକ୍ ଅଛି । କିନ୍ତୁ ପିଲାକୁ ଏଥିପାଇଁ ବାରଣ କରିବା ଆଦୌ ଉଚିତ୍ ନୁହେଁ । ପିଲା ଉପରେ ଏପରି ନିଷ୍ପତ୍ତି ଲଦିବା ଅନୁଚିତ୍ ।