ଭୁବନେଶ୍ଵର, ୧୮/୧୦ : ଶାରଦୀୟ ନବରାତ୍ରୀ ଅବସରରେ କନ୍ୟାପୂଜାର ବିଶେଷ ମହତ୍ତ୍ଵ ରହିଛି। କନ୍ୟାମାନଙ୍କୁ ମା ଦୁର୍ଗାଙ୍କ ଭଳି ସଜ୍ଜିତ କରାଯାଇ ପୂଜା କରାଯାଇଥାଏ। ସେମାନଙ୍କୁ ଭୋଜନ ଦିଆଯାଏ ଏବଂ ଉପହାର ଦିଆଯାଏ। ନବରାତ୍ରୀର ପର୍ବ ହେଉଛି ନାରୀଙ୍କ ପ୍ରତୀକ। ଏହି ନଅ ଦିନରେ ମାଆଙ୍କ ନଅଟି ସ୍ଵରୂପକୁ ପୂଜା କରାଯାଏ। କୁହନ୍ତି ଯେଉଁ ଘରେ ମାଆଙ୍କ ପୂଜା ହୁଏ ସେହି ଘରେ ସୁଖ-ସମୃଦ୍ଧି ରୁହେ। ଏହି ପର୍ବ ସମାଜର ପ୍ରତି ନାରୀଙ୍କ ସମ୍ମାନର ପର୍ବ।
ଜଗତ ଜନନୀକୁ ଆରାଧନା କରିବା ପୂର୍ବରୁ ପ୍ରଥମେ ନିଜ ଘରର ମାଆ ଓ ଭଉଣୀଙ୍କୁ ସମ୍ମାନ ଦିଅନ୍ତୁ। ସେମାନଙ୍କୁ ସୁରକ୍ଷା ଦିଅନ୍ତୁ। ନିତିଦିନିଆ ଜୀବନଶୈଳୀରୁ କିଛି ସମୟ ବାହାର କରି ସେମାନଙ୍କ ସହ ଅତିବାହିତ କରନ୍ତୁ। ସେମାନଙ୍କ ଆବଶ୍ୟକତାକୁ ପୂରଣ କରନ୍ତୁ। ଏହାଦ୍ଵାରା ମାତା ପ୍ରସନ୍ନ ହେବେ। ଝିଅମାନେ ମାତା ଲକ୍ଷ୍ମୀ ଏବଂ ଅନ୍ନପୂର୍ଣ୍ଣାଙ୍କ ରୂପ। ସେମାନଙ୍କୁ ଆତ୍ମନିର୍ଭର କରାନ୍ତୁ। ଶିକ୍ଷା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ସ୍ଵପ୍ନ ପୂରଣ କରନ୍ତୁ।