ଭୁବନେଶ୍ୱର ୧୪/୧୦ : ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାକୁ ଆପଣ ଯେକୌଣସି ଉପାୟରେ ବ୍ୟବହାର କରିପାରିବେ। ଏହାର ସୁଗନ୍ଧ ସମସ୍ତଙ୍କୁ ପସନ୍ଦ। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ।
ପୋଦିନା ଚା’ ଦ୍ୱାରା ଓଜନ କମ୍ କରାଯାଇପାରିବ। ଯଦି ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ତାହେଲେ ନିୟମିତ ସକାଳୁ ପୋଦିନା ଚା’ ପିଅନ୍ତୁ। ଏହାଦ୍ୱାରା ଫ୍ୟାଟ୍ ବର୍ଣ୍ଣ ହୋଇଥାଏ। ପୋଦିନା ଚା’ କେବଳ ଓଜନ କମ୍ କରିବା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।
ପୋଦିନାର ଅନେକ ଗୁଣ ରହିଛି। ଏଥିରେ ଆଇରନ୍, ପୋଟାସିୟମ୍, ମାଙ୍ଗାନିଜ୍, ଭିଟାମିନ୍-ଏ, ଭିଟାମିନ୍-ସି ଓ ବି-କମ୍ପ୍ଲେକ୍ସ ଭରପୁର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ । ପୋଦିନା ଚା’ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ସେବନ ଦ୍ୱାରା ସୁଗାର ଲେବଲ୍ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ପୋଦିନାରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ, ଯାହା ବଦହଜମି ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
କିଭଳି ପ୍ରସ୍ତୁତ କରିବେ ପୋଦିନା ଚା’: ଏକ ପ୍ୟାନରେ ପାଣି ଫୁଟାଇବେ। ପାଣିରେ ପୋଦିନା ପତ୍ର, ଗୋଲମରିଚ ଗୁଣ୍ଡ ଓ ସନ୍ଧୈବ ଲୁଣ ପକାଇ ୫-୭ ମିନିଟ୍ ଫୁଟାଇବେ। ଏହାକୁ ଏକ କପରେ ଛାଣିଦେବେ। ଯଦି ଏହାର ସ୍ୱାଦ କଡା ଲାଗେ ତାହେଲେ ଏଥିରେ ଲେମ୍ବୁ ଓ ମହୁ ମଧ୍ୟ ମିଶାଇ ପିଇ ପାରିବେ।