ଭୁବନେଶ୍ଵର, ୧୯/୧୦ : ସେ ନୃତ୍ୟର ଜଣେ ଅନୁଭବୀ ଗୁରୁ। ତାଙ୍କ ଜୀବନରେ ସେ କଳାକୁ ଜିଇଁଛନ୍ତି। ତାଙ୍କର ଆଖି ଏବଂ ମୁଦ୍ରା କୁହେ ଅନେକ କାହାଣୀ। ଦୁନିଆ ସାରା ଅଛନ୍ତି ତାଙ୍କ ନୃତ୍ୟର ପ୍ରଶଂସକ ଏବଂ ଦେଶ ବିଦେଶରେ ଶିଷ୍ୟ। ଆମେ କହୁଛୁ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଲାଭ କରିଥିବା ସୋନଲ ମାନସିଂହଙ୍କ ବିଷୟରେ। ନୃତ୍ୟକୁ ତାଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ବୋଲି ଭାବନ୍ତି ସୋନଲ। ସୋନଲଙ୍କ କହିବା ଅନୁଯାୟୀ, ନୃତ୍ୟ ଆମକୁ ସକାରତ୍ମକ ଶକ୍ତି ଯୋଗାଏ। ଏହା ଉଭୟ ଶରୀର ଏବଂ ମନ ଉଭୟକୁ ଉର୍ଜା ଦିଏ। ଏଥିପାଇଁ ସେ ଆଜିବି ଶାସ୍ତ୍ରୀୟ ନୃତ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟିତ।
୧୯୪୪ରେ ଜନ୍ମ ଗ୍ରହଣ କରିଥିବା ସୋନଲ ମାନସିଂହଙ୍କ ପିତା ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ମାତ୍ର ୪ ବର୍ଷ ବୟସରେ ସୋନଲ ମଣିପୁରୀ ନୃତ୍ୟ କରିବା ଆରମ୍ଭ କରିଥିଲେ। ହେଲେ ଏହାର ଅଢେଇ ବର୍ଷ ପରେ ସେ ଭାରତନାଟ୍ୟମ୍ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ ସୋନଲ ପରିବାରର ବିରୋଧ ସତ୍ତ୍ଵେ ବାଙ୍ଗାଲୋର ଯାଇ ଭାରତନାଟ୍ୟମ୍ ଶିକ୍ଷା ଆରମ୍ଭ କରିଥିଲେ।
ଏହି ସମୟରେ ଓଡ଼ିଶୀ ନୃତ୍ୟର ଭାବଭଙ୍ଗୀ ତାଙ୍କୁ ଆକର୍ଷିତ କରିଥିଲା। ଏହାପରେ ଓଡ଼ିଶୀ ନୃତ୍ୟର ମହାଗୁରୁ କେଳୁଚରଣଙ୍କ ନିକଟରେ ସେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ତେବେ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ବ୍ୟତୀତ ସେ ଅନ୍ୟ କଳା ଓ ଶୈଳୀରେ ପାରଦର୍ଶିତା ହାସଲ କରିଥିଲେ। ସେ ମଣିପୁରୀ ସହ କୁଚୁପୁଡ଼ୀ ଏବଂ ଛଉ ନୃତ୍ୟରେ ମଧ୍ୟ ପାରଙ୍ଗମ। କେବଳ ସେତିକି ନୁହେଁ ସୋନଲ ସଂସ୍କୃତ ଏବଂ ଜର୍ମାନ ଭାଷାରେ ମଧ୍ୟ ଅଧ୍ୟୟନ କରିଛନ୍ତି।
ତାଙ୍କର ଏହି ଅଦ୍ଭୁତ ପୂର୍ବ ପ୍ରତିଭା ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏତଦ୍ ବ୍ୟତୀତ ସେ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ, କାଳିଦାସ ସମ୍ମାନ, ଏବଂ ଅନ୍ୟ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।