ଭୁବନେଶ୍ଵର, ୦୬/୧୨ : ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ଗୁରୁ ସୁଜାତା ମାହପାତ୍ର। କଳା ପାଇଁ ସେ ତାଙ୍କର ସାରା ଜୀବନ ସାଧନା କରିଛନ୍ତି। ସୁଜାତାଙ୍କ ଏହି ସାଧନା ଆଗାମୀ ପୀଢି ପାଇଁ ପ୍ରେରଣା ପାଲଟିବ। ମାତ୍ର ୪ ବର୍ଷ ବୟସରେ କଳାପ୍ରତି ତାଙ୍କର ଥିବା ଆଗ୍ରହ ପ୍ରସ୍ଫୁଟିତ ହୋଇଥିଲା। ସୁଜାତାଙ୍କ ମା ନିଜେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। ଓଡ଼ିଶୀ ପାଇଁ ସୁଜାତା ପିଲାଟି ଦିନରୁ ତାଙ୍କ ମାଆଙ୍କ ଠାରୁ ପ୍ରେରଣା ପାଇଥିଲେ।
ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ୨୦ ବର୍ଷ ଯାଏଁ ସେ ଗୁରୁ କେଳୁଚରଣଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ। ଏହାରି ମଧ୍ୟରେ ସେ ଗୁରୁ କେଳୁଚରଣଙ୍କ ନିକଟତର ହୋଇଥିଲେ ଏବଂ ତାଙ୍କର ପୁତ୍ରବଧୂ ହୋଇଥିଲେ। ଶ୍ଵଶୁର ଘରକୁ ଆସିଲା ପରେ ପରିବାରର ଏହି ପରମ୍ପରାକୁ ଆଗକୁ ବଢାଇବା ପାଇଁ ସୁଜାତା ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ସଂସ୍ଥା ସୃଜନର ପ୍ରିନ୍ସପାଲ ଭାବେ ଦାୟିତ୍ଵ ତୁଲାଉଛନ୍ତି।
ଏହି ନୃତ୍ୟ ଶୈଳୀରେ ଉଭୟ ଭକ୍ତି ଏବଂ ରତି ଭାବ ରହିଥାଏ। ଏହି ନୃତ୍ୟ ମାଧ୍ୟମରେ ଭଗବାନଙ୍କ ପ୍ରତି ଥିବା ପ୍ରେମ ଭାବକୁ ଦର୍ଶାଯାଇଥାଏ। ଗୁରୁ କେଳୁଚରଣଙ୍କ ମାର୍ଗରେ ପରିଚାଳିତ ସୁଜାତା ଏହି ନୃତ୍ୟକୁ ଦେଶ ବିଦେଶରେ ପ୍ରଦର୍ଶନ କରି ଖୁବ୍ ପ୍ରଶଂସା ସାଉଁଟିଛନ୍ତି। କଳା ପ୍ରତି ଥିବା ଏହି ସମର୍ପଣ ଭାବ ପାଇଁ ସୁଜାତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ପଣ୍ଡିତ ଯଶରାଜ ସମ୍ମାନ, ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ, ମାହାରୀ ସମ୍ମାନରେ ସମ୍ମାନିତ କରାଯାଇଛି।