ଭୁବନେଶ୍ୱର ୧୪/୦୪: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ । କେବଳ ସେତିକି ନୁହେଁ ଓଡିଆ ପାଞ୍ଜି ମଧ୍ୟ ଉନ୍ମୋଚିତ ହୋଇଥାଏ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ ବିଷୁବରେଖା ଆଡ଼କୁ ଗତି କରନ୍ତି। ତେଣୁ ସୂର୍ଯ୍ୟ ରଶ୍ମି କ୍ରମଶଃ ପ୍ରଖର ହୁଏ। ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ସେଇ ଦିନ ମେଷ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ଯ୍ୟ ବିଷୁବ ରେଖାର ଉପରେ ରୁହନ୍ତି। ବିଷୁବ ସଂକ୍ରାନ୍ତିରେ ଦିନ ଓ ରାତି ସମାନ ହୁଏ ଏବଂ ବାୟୁର ଗତି କ୍ରମେ ତୀବ୍ର ହୁଏ। ନଦୀ, ନାଳ ଓ ଜଳାଶୟର ଜଳସ୍ତର ହ୍ରାସ ପାଏ। ତେଣୁ ଜଳାଭାବ ଦେଖାଦିଏ।
ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ । ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ । ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ଛତୁ ଓ ପଣା ଭୋଗର ବିଧି ରହିଛି ।
ଏହି ସଂକ୍ରାନ୍ତିଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କୁହାଯାଏ । ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଠେକିରେ ଜଳ ରଖି ତା’ର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଏ । ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ । ମହାବିଷୁବ ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍ଯାପନ କରାଯାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରରେ ଝାମୁ ଯାତ୍ରା ପାଳନ କରାଯାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ଭାବେ ପାଳନ କରାଯାଏ । ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୁଏ । ଓଡ଼ିଶାର ସମସ୍ତ ହନୁମାନ ପୀଠରେ ସ୍ୱତନ୍ତ୍ର ପୂଜା ଓ ହନୁମାନ ଚାଳିସା ପାଠ କରାଯାଏ ।