ନନ୍ଦନକାନନ ଯ଼ାଇଥିବା ଲୋକଟି ଜାଣିଥିବ ଗାଡ଼ି ପାର୍କିଂ କରିବାକୁ କେତେ ଅସୁବିଧା ହୁଏ। ଅନେକ ତ କିଛି ଦୂରରେ ହେଉ ବରଂ ରାସ୍ତାରେ ପାର୍କିଂ କରିବାର ଦେଖାଯ଼ାଇଥାଏ। ହେଲେ ଏବେ ସେମିତି ହେବ ନାହିଁ। ନନ୍ଦନକାନନରେ ଆରମ୍ଭ ହେଲା ବହୁତଳ ପାର୍କିଂ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏଥିରେ ୫୮୩ଟି ଚାରିଚକିଆ ଯାନ ରହିପାରିବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି। ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି।
ନନ୍ଦନକାନନକୁ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଟ୍ରାଫିକ୍ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି। ଏହା ଦ୍ୱାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ। ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ଏବଂ ଏଥି ପାଇଁ ଏକ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି।
ସବୁ ଠିକ ସିନା ହେଲେ ନନ୍ଦନ କାନନରେ ଯ଼େଉଁଭଳି ଭାବେ ପଶୁଙ୍କ ମୃତ୍ୟୁ ହେଉଛି ସେ ବିବାଦ କିନ୍ତୁ ଥମୁନାହିଁ । ଗୋଟିଏ ପଟେ ବିରଳ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି ସେପଟେ ନନ୍ଦନକାନନର ଶୋଭା ବର୍ଦ୍ଧନ କରୁଥିବା ବାଘ ଓ ଅନ୍ୟାନ୍ୟ ଜୀବଯ଼ନ୍ତୁଙ୍କୁ ଅନତ୍ର ପଠାଇ ଦିଆଯ଼ାଉଛି। ଜିରାଫ ଆସିବ ଧଳା ସିଂହ ଆସିବ, ଏମିତି କହି ଦିନ ସିନା ଗଡୁଛି କିନ୍ତୁ ଖୁଆଡ ଖାଲି ହେବାରେ ଲାଗିଛି। ସେପଟେ ବାହାର ଯ଼ାତ୍ରୀଙ୍କ ଉପରେ ମାଡ଼ ପାଇଁ ମଧ୍ୟ ନନ୍ଦନକାନନ ବଦନାମ ହେଲାଣି।ଏଣୁ ଏସବୁ ନେଇ ତୁରନ୍ତ କାର୍ଯ଼୍ୟ ଆରମ୍ଭ ହେବା ଜରୁରୀ ହେଲାଣି।