ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ

ଭୁବନେଶ୍ଵର, ୦୨/୧୧ : ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ। ଗର୍ଭାବସ୍ଥା ସମୟରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଚିପ୍ସ, ନମ୍‌କିନ୍‌, ଚକ୍‌ଲେଟ୍‌, ମିଠା, ସୋଡ଼ା ଓ ପାନୀୟ ଖାଇବା ଦ୍ଵାରା ମା’ ସହିତ ସନ୍ତାନ ଜନ୍ମ ପରେ ତା’ର ଓଜନ ଆବଶ୍ୟକତାଠୁ ଅଧିକ ବଢ଼ିପାରେ। ଏନେଇ ବିଏମ୍‌ଜେ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଗବେଷକମାନେ ଆମେରିକାର ନର୍ସେଜ ହେଲ୍‌ଥ ଷ୍ଟଡି-୨ ଓ ଗ୍ରୋଇଙ୍ଗ ଅପ୍‌ ଟୁଡେ ଷ୍ଟଡିର ତଥ୍ୟ ବିଶ୍ଳେଷଣ କରିଥିଲେ । ଏଥିରେ ୧୪ ହଜାର ୫୫୩ ଜଣ ମହିଳା ଜନ୍ମ ଦେଇଥିବା ୧୯ ହଜାର ୯୫୮ଜଣ ପିଲାଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏଥିରେ ୭ରୁ ୧୭ ବର୍ଷ ବୟସର ୪୫ ପ୍ରତିଶତ ପୁଅ ଥିଲେ । ମା’ ଓ ପିଲାଙ୍କ ଖାଦ୍ୟପେୟ ଅଭ୍ୟାସ ଏବଂ ଅନ୍ୟ କାରକଗୁଡ଼ିକର ପ୍ରତି ୨ ବର୍ଷରେ ଯାଞ୍ଚ୍‌ କରାଯାଇଥିଲା । ଆଉ ଏକ ବିଶ୍ଳେଷଣରେ ୨ ହଜାର ୭୯୦ ମା’ ଓ ୨ ହଜାର ୯୨୫ ଜଣ ପିଲାଙ୍କର ଯାଞ୍ଚ୍‌ କରାଯାଇଥିଲା । ସମ୍ବନ୍ଧ ସ୍ଥାପନର ୩ ମାସ ପୂର୍ବରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଖାଦ୍ୟପେୟ ଉପରେ ନଜର ରଖାଯାଇଥିଲା । ଗର୍ଭବତୀ ହେବା ପୂର୍ବର ଖାଦ୍ୟପେୟ ସହିତ ପିଲାର ମେଦବୃଦ୍ଧିର କୌଣସି ସମ୍ପର୍କ ନଥିଲା । ଗର୍ଭାବସ୍ଥା ସମୟରେ ମହିଳାଙ୍କ ଖାଦ୍ୟପେୟ ସମେତ ଅନ୍ୟ କାରକଗୁଡ଼ିକୁ ମଧ୍ୟ ଅଧ୍ୟୟନ କରାଗଲା । ସେମାନଙ୍କ ବଡି ମାସ୍‌ ଇଣ୍ଡେକ୍ସ, ଶାରୀରିକ କାର୍ଯ୍ୟକଳାପ, ଧୂମପାନ, ସାଥୀ ସହ ରହିବାର ସ୍ଥିତି, ସାଥୀଙ୍କ ଶିକ୍ଷା, ପିଲାଙ୍କ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ସେମାନଙ୍କ ଜୀବନଶୈଳୀ ସାମିଲ ଥିଲା । ଏ ସମସ୍ତ କାରକ ପିଲାଙ୍କର ମେଦବୃଦ୍ଧି ପାଇଁ ଦାୟୀ ବୋଲି ଜଣାପଡ଼ିଲା ।

ଉପଯୁକ୍ତ ପ୍ରଜନନ ସମୟରେ ମହିଳା ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହା ଦ୍ୱାରା ଆଗାମୀ ପିଢ଼ି ସୁସ୍ଥ ହୋଇ ଜନ୍ମ ହେବେ ବୋଲି ଗବେଷକମାନେ କହିଛନ୍ତି । ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ, ବିଶ୍ୱରେ ୩.୯ କୋଟି ପିଲା ମେଦବହୁଳତାରେ ପୀଡ଼ିତ କିମ୍ବା ଆବଶ୍ୟକଠୁ ସେମାନଙ୍କ ଓଜନ ଅଧିକ।

Leave a Reply

Your email address will not be published. Required fields are marked *