ଓଡ଼ିଶା ପ୍ରଶାସନିକ ସେବାରେ ସେବାୟତ ସଂପ୍ରଦାୟର ପ୍ରଥମ ଝିଅ, ଜାଣନ୍ତୁ ସ୍ଵାତୀଙ୍କ କାହାଣୀ…

ପୁରୀ, ୦୧/୦୯ : ସେବାୟତ ସଂପ୍ରଦାୟର ପ୍ରଥମ ଝିଅ ଭାବେ ସେ ଓଡ଼ିଶା ପ୍ରଶାସନିକ ସେବାରେ ୫୧ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ସଂପ୍ରଦାୟରେ ରହିଛି କଠୋର କଟକଣା । ତଥାପି ସେ ସଫଳତାର ସ୍ୱାକ୍ଷର ବହନ କରିଛନ୍ତି । ତାଙ୍କ ସଫଳତାର ଫର୍ଦ୍ଦ ଯେତିକି ରୋମାଞ୍ଚକର ସେତିକି ପ୍ରେରଣାଦାୟୀ ମଧ୍ୟ । ସାଧାରଣରେ ଦେଖିବାକୁ ଗଲେ ବିବାହ ପରେ ଝିଅଟିଏ ଜଞ୍ଜାଳ ଭିତରେ ଛନ୍ଦି ହେବା ସହ ଜୀବନରେ ଆଉ କିଛି କରିବାକୁ ସାହସ ଜୁଟାଇ ପାରେନା । କିନ୍ତୁ ସ୍ୱାତୀ ଏଭଳି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଛନ୍ତି । ବିବାହ ପରେ ହିଁ ସେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ସଫଳ ମଧ୍ୟ ହୋଇଛନ୍ତି ।

ସ୍ୱାତୀଙ୍କ ଘର ପୁରୀ ଗୌଡ଼ବାଡ଼ ସାହିରେ । ସ୍ୱାତୀଙ୍କ ପିତା ରାମଚନ୍ଦ୍ର ସୁଆର ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ରୋଷଶାଳା ସେବାରେ ସଂପୃକ୍ତ । ସେ ପୁରୀ ମାର୍କଣ୍ଡେଶ୍ୱର ସାହିର ରଣଜୀତ୍‌ ପ୍ରହରାଜଙ୍କୁ ୨୦୧୫ରେ ବିବାହ କରନ୍ତି । ପୁରୀ ସାରସ୍ୱତ ବିଦ୍ୟା ନିକେତନ ସ୍କୁଲରେ ପାଠ ପଢ଼ା ସାରିବା ପରେ ଏସ୍‌ସିଏସ୍‌ କଲେଜ ଶିକ୍ଷା ଶେଷ କରନ୍ତି । ପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମ୍‌ସି)ରେ ସାମ୍ବାଦିକତା କରିବା ପରେ ଓଡ଼ିଶା ତଥା ଓଡ଼ିଶା ବାହାରେ ୭ ବର୍ଷ ଧରି ବିଭିନ୍ନ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟ କରନ୍ତି । ଏହି ଚାକିରିରେ ତାଙ୍କୁ ଭଲ ଦରମା ମଧ୍ୟ ମିଳୁଥିଲା । କିନ୍ତୁ ବାରମ୍ବାର ସରକାରୀ ବ୍ୟବସ୍ଥାରେ ରହୁଥିବା ଲୋକଙ୍କର ନିକଟତର ହେବା ଦ୍ୱାରା ସ୍ୱାତୀଙ୍କ ମନରେ ସରକାରୀ ଚାକିରି ପାଇଁ ଆଗ୍ରହ ବଢ଼ିଚାଲିଲା । ଆଉ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଅନୁପ୍ରାଣିତ ହୁଅନ୍ତି । ସ୍ୱାମୀ ରଣଜୀତ ଏଥିପାଇଁ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ୪ ବର୍ଷର ପ୍ରସ୍ତୁତି ପରେ ସ୍ୱାତୀଙ୍କୁ ଏହି ସଫଳତା ମିଳିଛି । ପୂର୍ବରୁ ସେ ୩ ଥର ପ୍ରିଲିମ୍‌ନାରୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଚତୁର୍ଥ ପ୍ରୟାସରେ ଶ୍ରେଷ୍ଠ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମରୁ ମିଳିଥିବା ବିଫଳତାରେ ସେ ହାରି ନଥିଲେ, ବରଂ ସେଥିରୁ ଅନେକ କିଛି ଶିକ୍ଷାଲାଭ କରି ବିଫଳତାକୁ ହରାଇ ପାରିଥିବା କହିଛନ୍ତି । ବିବାହ ପରେ ଘର କାମ ସହ ପାଠ ପଢ଼ାକୁ ସମୟ ଦେବା ଯଦିଓ କଷ୍ଟକର, ତେବେ ଅସମ୍ଭବ ନୁହେଁ । ଜଣେ ଚାହିଁଲେ ସବୁକିଛି କରିପାରିବ । ଘର କାମ ସହ ପାଠପଢ଼ାକୁ ସେ ଯେତିକି ସମୟ ଦିଅନ୍ତି ଉତ୍ସର୍ଗୀକୃତ ଭାବେ ଦିଅନ୍ତି । ଅଳ୍ପ ସମୟ ପଢ଼ିଲେ ବି ମନଦେଇ ପଢ଼ନ୍ତି ବୋଲି ସେ କହିଛନ୍ତି । ଓଏଏସ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ସେ କୌଣସି କୋଚିଂ ନେଇ ନଥିଲେ ।

ଘରେ ପାଠପଢ଼ିବା ସହ ବିଭିନ୍ନ ମକ୍‌ ଟେଷ୍ଟ ଦେଇଥିଲେ । କିଛି ମାସ ତଳେ ପ୍ରକାଶ ପାଇଥିବା ଓଡ଼ିଶା ସୂଚନା ସେବା ପରୀକ୍ଷାରେ ମଧ୍ୟ ସେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସ୍ୱାତୀ ନିଜ ସଫଳତାର ସର୍ବାଧିକ ଶ୍ରେୟ ତାଙ୍କ ଅଜା ସ୍ୱର୍ଗତ ପଣ୍ଡିତ ଗୋପାଳଚନ୍ଦ୍ର ପଣ୍ଡା ଏବଂ ଆଇ ଲଳୀତା ଦେବୀଙ୍କୁ ଦେଇଛନ୍ତି । ତାଙ୍କ ଅଜା ସଂସ୍କୃତ ପଣ୍ଡିତ ଥିଲେ । ଏଣୁ ଶିକ୍ଷିତ ସମାଜ ଗଢ଼ିବା ପାଇଁ ବିନା ପାରିଶ୍ରମିକରେ ପିଲାଙ୍କୁ ପାଠ ପଢ଼ାଉଥିଲେ । ଏହା ତାଙ୍କୁ ଅନୁପ୍ରାଣିତ କରିଥିଲା । ମୋ ମାମୁଁ, ମାଇଁ, ମାଉସୀଙ୍କର ମଧ୍ୟ ସଫଳତା ପଛରେ ବହୁତ ବଡ଼ ଅବଦାନ ରହିଛି ବୋଲି ସେ କହନ୍ତି । ସେବାୟତ ସଂପ୍ରଦାୟରେ ହୋଇଥିଲେ ମଧ୍ୟ ତାଙ୍କୁ ସବୁବେଳେ ପାଠ ପଢ଼ିବାକୁ ପରିବାର ଉତ୍ସାହିତ କରୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ସମସ୍ତେ ନିଜନିଜ କର୍ତ୍ତବ୍ୟକୁ ଶତ ପ୍ରତିଶତ ପାଳନ କଲେ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ । ତାଙ୍କ ଜେଜେ ମା’, ବୋଉ, ମାଉସୀ, ମାଇଁ ସମସ୍ତେ ଗୃହିଣୀ ତଥାପି ସେମାନେ ପର ପିଢ଼ିକୁ ସଂସ୍କାର ଓ ଶିକ୍ଷା ପ୍ରଦାନ କରିଛନ୍ତି । ତେଣୁ ଜଣେ ଭଲ ଗୃହିଣୀ ହେବା ବି ଜୀବନର ବଡ଼ ସଫଳତା ବୋଲି ସେ କହିଛନ୍ତି । ନାରୀ ହେଉ ବା ପୁରୁଷ ଯିଏ ନିଜର ବୃତ୍ତିଗତ ଜୀବନରେ ଯେଉଁ ସ୍ଥାନରେ ପହଞ୍ଚିଲେ ମଧ୍ୟ ବ୍ୟକ୍ତିଗତ ଜୀବନରେ ନିଜ ଆଦର୍ଶ ଭୁଲିଯିବା ଆଦୌ ଉଚିତ୍‌ ନୁହେଁ ବୋଲି ସେ କହନ୍ତି ।

Leave a Reply

Your email address will not be published. Required fields are marked *