ସାଙ୍ଗ କରିପାରୁନାହାଁନ୍ତି କି ଆପଣଙ୍କ ପିଲା ? ହୁଅନ୍ତୁ ରୋଲ୍ ମଡେଲ୍…

ଭୁବନେଶ୍ବର, ୨୯/୧୦ : ସାଙ୍ଗ କରିବା ପିଲାମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଏହା ପିଲାର ସାମାଜିକ ସମ୍ପର୍କ ବଢାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଅଭିଭାବକ ବାହାରେ ଏପରି ପିଲାଙ୍କ ହାବଭାବକୁ ଲକ୍ଷ୍ୟ କରିବା ଦରକାର । ତେବେ ଯାଇ ସେମାନଙ୍କୁ ସହଯୋଗ କରିବା ସହଜ ହେବ । ପିଲାଦିନର ସାଙ୍ଗ ଖୁବ୍‌ ଖାସ୍‌ ହୋଇଥାନ୍ତି । କାରଣ ସେମାନଙ୍କ ସହ ଆମ ଜୀବନର ଆରମ୍ଭ ସମୟ ବିତିଥାଏ । କିନ୍ତୁ ଯଦି କୌଣସି ସାଙ୍ଗ ହିଁ ନଥିବେ, ତେବେ ପିଲାଦିନ ବୋରିଂ ହୋଇ ପଡିଥାଏ । ବିନା ସାଙ୍ଗରେ ପିଲାଦିନର କଳ୍ପନା କରି ଥରେ ଦେଖନ୍ତୁ ତ! ଯଦି ପିଲା ସାଙ୍ଗ କରି ନପାରେ, ତେବେ ଏହା ଖୁବ୍‌ ଚିନ୍ତାଜନକ ବିଷୟ । ଏହି ସମୟରେ କ୍ଲାସ୍‌ରେ, ଖେଳ ପଡିଆ କିମ୍ବା କୌଣସି ଆକ୍ଟିଭିଟି ସମୟରେ ଏକା ଅନୁଭବ କରିବା ସ୍ୱାଭାବିକ । କିନ୍ତୁ ଅଭିଭାବକ ଏହାକୁ ସାଧାରଣ ଭାବିବା ଅନୁଚିତ୍‌ । କାରଣ ଏହାଦ୍ୱାରା ପିଲା ଏକଲାପଣର ଶିକାର ହୋଇଥାଏ, ଯାହାର ପ୍ରଭାବ ତା’ର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହି ସ୍ଥିତିରେ ଅଭିଭାବକ ହିସାବରେ ପିଲାକୁ ସହଯୋଗ କରିବା ଉଚିତ୍‌ । ଚାଲନ୍ତୁ ଦେଖିବା ଏମିତି ପିଲାଙ୍କୁ କେମିତି ଶିଖାଇବା ସାଙ୍ଗ କରିବାର ଶୈଳୀ ।

ପିଲାର ଜୀବନଶୈଳୀ ଉପରେ ନଜର ରଖନ୍ତୁ: ପିଲାର ସାମାଜିକ ବ୍ୟବହାର ଉପରେ ଧ୍ୟାନ ଦେବା ଜରୁରି । ସେ ବାହାର ଲୋକଙ୍କ ସହ କେମିତି ମିଶୁଛି । ଯଦି ତା’ର ବ୍ୟବହାରରେ କିଛି ପରିବର୍ତ୍ତନ ଲକ୍ଷ୍ୟ କଲେ ତାହାକୁ ନୋଟ୍‌ କରନ୍ତୁ । ଏଥିରୁ ହିଁ ଆପଣ ବୁଝିପାରିବେ ଯେ ପିଲାକୁ କେତେ ସାମାଜିକ ଶୈଳୀ ଶିଖାଇବା ଜରୁରି । ହୁଏତ କିଛି ପିଲାଙ୍କ ଭିତରେ ସାମାଜିକ ଆଙ୍ଗ୍‌ଜାଇଟି ବା ଲାଜକୁଳା ଗୁଣ ରହିଥାଇପାରେ । ତେଣୁ ଏହା ଅଭିଭାବକଙ୍କୁ ହିଁ ବୁଝିବା ଦରକାର ଯେ ପିଲାକୁ କେଉଁଠି ସହଯୋଗ ଦରକାର ।

ସାମାଜିକ ସ୍କିଲ୍‌ ଶିଖାନ୍ତୁ: ପିଲାଙ୍କୁ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବା, ମିଳାମିଶା କରିବା, ଅନ୍ୟର କଥା ଶୁଣିବା ଓ ନିଜ ସମସ୍ୟା ଜଣାଇବା ଆଦିର କୌଶଳ ଶିଖାଇବା ଜରୁରି । ଏହା ପିଲାକୁ ବିଭିନ୍ନ ଗ୍ରୁପ୍‌ ଆକ୍ଟିଭିଟିଜ୍‌ରେ ସହଯୋଗ କରିଥାଏ ।

ତୁଳନା କରନ୍ତୁନି: ପିଲାକୁ ଭାଇ-ଭଉଣୀ ବା ପଡୋଶୀଙ୍କ ସହ ଆଦୌ ତୁଳନା କରନ୍ତୁନି । ଏପରିକି ନିଜ ପିଲାଦିନର କାହାଣୀ ଶୁଣାଇ ତୁଳନା ମଧ୍ୟ କରନ୍ତୁନାହିଁ । ଏହାଦ୍ୱାରା ପିଲାର ଆତ୍ମବିଶ୍ୱାସ କମିଯାଇପାରେ । ତୁଳନା କରିବା ପରିବର୍ତ୍ତେ ତା’ର ବ୍ୟକ୍ତିତ୍ୱକୁ ମଜଭୁତ କରିବାକୁ ପ୍ରୟାସ କରନ୍ତୁ । ସେ ନିଜକୁ ଭଲ ପାଇବା ଶିଖାନ୍ତୁ । ପିଲା ଗୁଡାଏ ସାଙ୍ଗ କରିବା ଜରୁରି ନୁହେଁ ବରଂ ୨/୩ଟି ଭଲ ସାଙ୍ଗ ରହିବା ଜରୁରି । ଯଦି ପିଲା ୨/୩ଟି ସାଙ୍ଗ କରିଛି, ତେବେ ବ୍ୟସ୍ତ ହୁଅନ୍ତୁନାହିଁ ।

ରୋଲ୍‌ ମଡେଲ୍‌ ହୁଅନ୍ତୁ: ପିଲା ମା’ବାପାଙ୍କଠାରୁ ବହୁତ କିଛି ଶିଖିଥାନ୍ତି । ତେଣୁ ଆପଣ ନିଜ ଘରେ ପିଲା ପାଇଁ ରୋଲ୍‌ ମଡେଲ୍‌ ହେବାକୁ ପ୍ରୟାସ କରନ୍ତୁ । ସବୁବେଳେ ଚେଷ୍ଟା କରନ୍ତୁ ସେ ଆପଣଙ୍କ ଆଗରେ ଖୋଲା ଭାବେ କଥା କହିପାରିବେ । ନିଜ ସମସ୍ୟା ଜଣାଇପାରିବ ।

ସମସ୍ୟାକୁ ଅଣଦେଖା କରନ୍ତୁନି: ଯଦି ପିଲା ସମାଜ ସହ ନ ମିଶିପାରୁଛି, ତେବେ ଏହାକୁ ଅଣଦେଖା କରନ୍ତୁନି । ନଚେତ୍‌ ଏହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ । ସେଥିପାଇଁ ସେମାନଙ୍କୁ ଧୀରେ ଧୀରେ କମ୍ଫର୍ଟ ଜୋନ୍‌ରୁ ବାହାରକୁ ଆଣନ୍ତୁ । ଏହା ସତ୍ତେ୍ୱ ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ମାନସିକ ପରାମର୍ଶଦାତାଙ୍କର ସହଯୋଗ ନେବା ଉଚିତ୍‌ ।

Leave a Reply

Your email address will not be published. Required fields are marked *