ଅରିନ୍ଦମ ଦାସଙ୍କ ବିୟୋଗ: ହଠାତ ଏ କଣ ଘଟିଗଲା

ମହାନଦୀ ଜଳ ଗର୍ଭରେ ଫସି ଯାଇଥିବା ଏକ ହାତୀର ଉଦ୍ଧାର କରାଯିବା ଖବର ସଂଗ୍ରହ କରୁକରୁ ଟିଭି ସାମ୍ବାଦିକତା ଦୁନିଆର ହସ୍ତୀ ଅରିନ୍ଦମ ଦାସ ଭାସିଗଲେ ବହୁ ଦୂରକୁ । ଏତେ ଦୂରକୁ ଯେ ଆଉ ସେଠାରୁ ସେ ଫେରିବେନି । ସତେ ଯେମିତି ଜଣେ ଦକ୍ଷ ସାମ୍ବାଦିକଙ୍କୁ ଭଗବାନ ତାଙ୍କ ଦୁନିଆ ପାଇଁ ଆବଶ୍ୟକ କରୁଥିଲେ ଏବଂ ସେ ଏଥିପାଇଁ ତାଙ୍କୁ ଠିକ ତାଙ୍କର କର୍ତ୍ତବ୍ୟସ୍ଥଳରୁ ପାଖକୁ ନେଇଗଲେ  ।

ଟିଭି ଦୁନିଆରେ ସେ ଥିଲେ ଜଣେ ଅପ୍ରତିଦ୍ବନ୍ଦ୍ବୀ ପ୍ରତିଭା ସମ୍ପନ୍ନ ସାମ୍ବାଦିକ ।  ଧରିତ୍ରି ଖବର କାଗଜରୁ ଅପରାଧ ସଂବଳିତ ଖବରଦାତା ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ଅଳ୍ପ ବୟସରେ ସେ ଜଣେ ପ୍ରତିଷ୍ଠିତ କ୍ରାଇମ ରିପୋର୍ଟର ହୋଇଥିଲେ । 2010 ମସିହାରେ ସେ ଓଟିଭିରେ ଯ଼ୋଗ ଦେବା ପରେ ଓଟିଭିର ଅନେକ ଆଖି ଦୃଶିଆ ଖବର ପଛରେ ରହିଥିଲା ତାଙ୍କର ହାତ । ସେ ଇଟାଲୀ ସାମ୍ବାଦିକଙ୍କୁ ନକ୍ସଲଙ୍କ କବଳରୁ ଉଦ୍ଧାର କରିବା ବେଳର ମିଶନ ହେଉ କିମ୍ବା ବାତ୍ୟା ବନ୍ୟା ସମୟରେ ଲୋକଙ୍କ ଦୁର୍ଦ୍ଦଶା ଗ୍ରାଉଣ୍ଡ ଜିରୋରୁ ପ୍ରକାଶ କରିବା ହେଉ। ସବୁଥିରେ ଆଗରେ ରହୁଥିଲେ ଅରିନ୍ଦମ । ମହାନଦୀରେ ଗତକାଲି ଦୁର୍ଘଟଣା ଅରିନ୍ଦମଙ୍କ ପାଇଁ ଥିଲା ଶେଷ ମିଶନ, କର୍ତ୍ତବ୍ୟ କ୍ଷେତ୍ରରେ କାର୍ଯ୍ୟ କରୁ କରୁ ସେ ଆରପାରିକୁ ଚାଲିଗଲେ।

ଅରିନ୍ଦମଙ୍କ ଦେହାନ୍ତ ଖବର ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ତାଙ୍କୁ ପାଖରୁ ଜାଣିଥିବା ଲୋକେ ନିମିଷକେ ବି ତାଙ୍କୁ ଆଖିରୁ ଦୂର କରିପାରୁନାହାନ୍ତି। ତାଙ୍କର ହସ ହସ ଚେହେରା, ସ୍ମିତ ହାସ୍ୟ କଥାବାର୍ତ୍ତା ଏବଂ ତାଙ୍କର କର୍ତ୍ତବ୍ୟ ପରାୟଣତା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଅରିନ୍ଦମଙ୍କ ମୃତ୍ୟୁ ଖବର ଶୁଣି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ପ୍ରମୁଖ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି।

 

ତେବେ ଜଣେ ସୁଦକ୍ଷ ସାମ୍ବାଦିକଙ୍କ ବିୟୋଗ ଏବଂ ମହାନଦୀରେ ଘଟିଥିବା ଦୁର୍ଘଟଣା ଅନେକ କିଛି ପ୍ରଶ୍ନ ଛିଡ଼ା କରିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା? କେଉଁ ଉଦ୍ଦେଶ୍ୟରେ ଓଡ୍ରାଫ ଟିମ୍ ମହାନଦୀର ପ୍ରଖର ସ୍ରୋତରେ ହାତୀ ନିକଟକୁ ଯ଼ାଇଥିଲେ ? ସେମାନେ ସେଠାରେ କେଉଁ ଉଦ୍ଦେଶ୍ୟ ସାଧନ କରିବା ପାଇଁ ବିପଦକୁ ବରଣ କରିବାକୁ ପଛାଇନଥିଲେ? ହାତୀକୁ ପାଣି ଭିତରୁ ଉଦ୍ଧାର କରିବାର ପ୍ରକୃତ ତରିକା କଣ ? ସେଠାରେ ଏହା ପାଳନ କରାଯ଼ାଉଥିଲା କି ନାହିଁ? ମହାନଦୀ ଭିତରକୁ ଯ଼ାଇଥିବା ଓଡ୍ରାଫ ଟିମ୍ ବୋଟରେ 7 ଜଣ ସବାର ଥିଲେ। ଏହା ଏକ ରବର ବୋଟ ପାଇଁ ଅଧିକ ଥିଲା କି? ସ୍ରୋତରେ ବୋଟକୁ ଚଳାଇବା ଲାଗି ଯେଉଁ ଡ୍ରାଇଭର ଥିଲେ ସେ ସେତିକି ଦକ୍ଷତା ସଂପନ୍ନ ଥିଲେ କି  ? ଗୋଟିଏ ବୋଟ ସହିତ ଆଉ ଏକ ବୋଟ ନେବା ପାଇଁ କାହିଁକି ନିଷ୍ପତ୍ତି ନିଆଗଲାନି ? ବୋଟ ଟି ଲେଉଟି ପଡ଼ିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଯ଼ଥେଷ୍ଟ ଉଦ୍ୟମ କରାଯ଼ାଇଥିଲା କି ?

ମୃତ୍ୟୁ ପୂର୍ବରୁ ଏକ ଭିଜୁଆଲରେ ଦେଖାଯ଼ାଉଛି ଅରିନ୍ଦମ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ । ତେବେ ଏହି ସମୟରେ ତାଙ୍କୁ କୌଣସି ଅନ୍ୟ ଉପାୟରେ ଉଦ୍ଧାର କରାଯାଇପାରିଥାନ୍ତା କି   ଏମିତି ଅନେକ ପ୍ରଶ୍ନ ଉଠୁଛି ଏମିତି ଅନେକ ପ୍ରଶ୍ନ ଉଠୁଛି

Leave a Reply

Your email address will not be published. Required fields are marked *