ତୃତୀୟ ଲହର ଆସିବା ସମ୍ଭାବନା କମ- ଜାଣନ୍ତୁ କଣ ରହିବ ସ୍ଥିତି

କରୋନାର ତୃତୀୟ ଲହର ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଶେଷଜ୍ଞମାନେ ଆଶ୍ବାସନା ଦେଇ କହିଛନ୍ତି ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସେ, ତେବେ ତାହା ଦ୍ବିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି । ଦ୍ବିତୀୟ ଲହରରେ ସାରା ଭାରତରେ ସ୍ଥିତି ସଙ୍ଗୀନ ରହିଥିଲା ତେବେ ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ ରହିଛି । ତୃତୀୟ ଲହର ଆସିପାରେ, ହେଲେ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ହେବାର ଆଶଙ୍କା ନାହିଁ ବୋଲି ବିଶିଷ୍ଟ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ କହିଛନ୍ତି । ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ଭାଇରୋଲୋଜିଷ୍ଟ କାଙ୍ଗଙ୍କ କହିବା ଅନୁସାରେ, ଆସନ୍ତା ୨ ମାସ ଭିତରେ ବଡ଼ ଧରଣର ତୃତୀୟ ଲହର ଆସିବାର ସମ୍ଭାବନା ଦେଖାଯାଉ ନାହିଁ । କିନ୍ତୁ କେତେକ ଅଞ୍ଚଳରେ ଛୋଟ ଲହର ଦେଖା ଯାଇପାରେ ।

ଦିଲ୍ଲୀରେ ଏବେ ସୁଦ୍ଧା ୪ଟି ଲହର ସରିଲାଣି । ଗୋଟିଏ ଲହର କହିଲେ ଏକ ଭୌଗୋଳିକ ଅଞ୍ଚଳରେ ସଂକ୍ରମଣ ହାର ହଠାତ୍ ବଢ଼ିବା ଠାରୁ ଆରମ୍ଭ କରି ପୁଣି କମିବା ପର୍ଯ୍ୟନ୍ତ ଅବଧିକୁ ବୁଝାଏ । ଦେଶରେ ଦ୍ବିତୀୟ ଲହରରେ ଯେଉଁଭଳି ଭାବରେ ସଂକ୍ରମଣ ବଢ଼ିଥିଲା, ତୃତୀୟ ଲହରରେ ସେପରି ହେବା ସମ୍ଭାବନା ନାହିଁ । ଅଧିକାଂଶ ଲୋକ ଟିକା ନେଇ ସାରିଛନ୍ତି । ତା ସହିତ ଅଧିକାଂଶ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଫଳରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଥିବାରୁ ତୃତୀୟ ଲହରରେ ଅଧିକ ଲୋକ ଆକ୍ରାନ୍ତ ହେବା ସମ୍ଭାବନା କମ୍ ରହୁଛି ।

 ଏବେ ଦେଶରେ ଥିବା ଭ୍ୟାରିଆଣ୍ଟ ଯୋଗୁ ତୃତୀୟ ଲହର ଆସିବା ଭଳି ଦେଖାଯାଉନାହିଁ । ଯଦି ତୃତୀୟ ଲହର ଆସେ ତେବେ ଏହା ଖୁବ୍ କମ୍ ଅଞ୍ଚଳରେ ସୀମିତ ରହିବା ସହ ଅଳ୍ପ ଲୋକଙ୍କୁ ସଂକ୍ରମିତ କରିବ ବୋଲି କହିଛନ୍ତି ବିଶିଷ୍ଟ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ ।

ସେହିପରି ଓଡ଼ିଶାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି । ଓଡ଼ିଶାକୁ ତୃତୀୟ ଲହରର ଭୟ କମ ରହିଛି। ତେଣୁ ଓଡିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିବ ଏବଂ ବେଶୀ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେବେ ନାହିଁ ବୋଲି ଆଶ୍ବାସନା ଦେଇ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *