କାହିଁକି ଅରୁଣାଚଳରେ ବୋଫୋର୍ସ ମୁତୟନ କଲା ଭାରତ?

ଚୀନ-ଭାରତ ସୀମା ଅରୁଣାଚଳ ପ୍ରଦେଶରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ବୋଫୋର୍ସ ତୋପ M-777 ଅଲ୍ଟ୍ରାଲାଇଟ ହାଓଜର, L70 ଆଣ୍ଟି ଏୟାରକ୍ରାଫ୍ଟ ତୋପ ଭଳି ଆଧୁନିକ ଯୁଦ୍ଧାସ୍ତ୍ରକୁ ଏଲଏସିରେ ଚୀନମୁହାଁ କରିଛି। M-777 ସେନାରେ ସାମିଲ ହେବାର କିଛି ମାସ ମଧ୍ୟରେ ଭାରତ ଏହାକୁ ଏଲଏସିରେ ମୁତୟନ କରିଛି।

ତେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ନେଇ କଥାବାର୍ତ୍ତା ଜାରି ରହିଥିବା ବେଳେ ଭାରତ କାହିଁକି ଚୀନ ସୀମାରେ ତାର କ୍ଷମତା ବୃଦ୍ଧି କରିବାକୁ ଚାହିଁଲା ? କାହିଁକି ଭାରତ ବୋଫୋର୍ସ ଭଳି ତୋପକୁ ସେଠାରେ ମୁତୟନ କରିବାକୁ ବାଧ୍ୟ ହେଲା? ଅନୁମାନ କରିବାରେ କିଛି ବିଳମ୍ବ କରିବାର ନାହିଁ, ଚୀନ ନିଶ୍ଚୟ ସେହି ଅଞ୍ଚଳରେ କିଛି ହରକତ କରୁଥିବ। ବିଲକୁଲ ସେୟା ହିଁ ଚାଲିଛି।  ବିଶେଷ କରି ଯେଉଁ ବାମୁଲା ଠାରେ ଭାରତ ଚୀନ ମଧ୍ୟରେ ଆଲୋଚନା ହୋଇଥାଏ ଏବେ ସେହିଠାରେ ଭାରତ ତାର ସୈନ୍ୟ ବୃଦ୍ଧି କରିଛି କାରଣ ହେଉଛି ଅରୁଣାଚଳ ସେପଟେ ଚୀନ ମାତ୍ରଧିକ ସୈନ୍ୟ ବୃଦ୍ଧି କରିବାରେ ଲାଗିଛି।

ଖାଲି ସେତିକି ନୁହେଁ ଗତ କିଛି ଦିନ ଧରି ଚୀନ ଅରୁଣାଚଳ ପ୍ରଦେଶକୁ ନେଇ ତାର କୂଟନୈତକ ବୟାନବାଜିରେ ବି ସୀମା ଉଲ୍ଲଂଘନ କରୁଛି। ନିକଟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଏହାକୁ ନେଇ ଚୀନ ଖୋଲାଖୋଲି ଭାବେ ପ୍ରତିକ୍ରିୟା ପ୍ରକାଶ କରିଥିଲା। ସମଗ୍ର ଅରୁଣାଚଳ ପ୍ରଦେଶ ଚୀନ ତାର ବୋଲି ଦାବି କରୁଛି। ଆଉ ଏବେ ଏହି ଆଭିମୁଖ୍ୟକୁ ଚୀନ ଉଗ୍ର କରିବାରେ ଲାଗିଛି। ଚୀନର ଏଭଳି ହରକତକୁ ଦେଖି ଭାରତ ସତର୍କତା ମୂଳକ ପଦକ୍ଷେପ ନେଇଛି।

କେବଳ ଯୁଦ୍ଧାସ୍ତ୍ର ବୃଦ୍ଧି କରିନି ଦୈନିକ ସୈନ୍ୟଙ୍କ ଡ୍ରିଲ ମଧ୍ୟ ଭାରତ ତ୍ବରାନ୍ବିତ କରିଛି।  ଅରୁଣାଚଳ ପ୍ରଦେଶର ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ଭାରତ L70 ତୋପ ମୁତୟନ କରି ନିଜକୁ ସତର୍କ କରି ରଖିଛି । ଏପରିକି ଯଦି ବି ଚୀନର କୌଣସି ବିମାନ ସୀମା ଲଂଘନ କରି ଭାରତ ମଧ୍ୟକୁ ପ୍ରବେଶ କଲା ତାହେଲେ ନିମିଷକେ ଏସବୁକୁ ଧରାଶାୟୀ କରିଦେଇପାରିବେ ଭାରତୀୟ ସେନା। ନିକଟରେ ତାଇୱାନରେ ଚୀନ ବିମାନ ବାରମ୍ବାର ପ୍ରବେଶ କରି ସେଠାରେ ହରକତ କରିଥିଲା। ସେଭଳି ଏଠାରେ ମଧ୍ୟ କରିବାର ଆଶଙ୍କାକୁ ଏଡ଼ାଇ ହେବ ନାହି। ସେହିଭଳି ମାନବ ବିହୀନ ବିମାନକୁ ମଧ୍ୟ ଚୀନ ଭାରତ ମଧ୍ୟକୁ ଛାଡ଼ିପାରେ ତେଣୁ ଏସବୁକୁ ପ୍ରତିହତ କରିବା ଲାଗି ଭାରତ ହାଇ ରିଜୋଲ୍ୟୁସନ ଇଲେକ୍ଟ୍ରୋ ଅପ୍ଟିକାଲ ସେନସର ସହିତ ଅଟୋମେଟିକ ଟାର୍ଗେଟ କରିପାରୁଥିବା ତୋପମାନ ମୁତୟନ କରିଛି ।

 

ଏହି M-777 ultra light howitzer ଏତେ ହାଲୁକା ଯେ ଏସବୁକୁ ଚିନୁକ ହେଲିକପ୍ଟରରେ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହେବ ।  ଉତ୍ତର ପୂର୍ବାଞ୍ଚଳରେ ଭାରତ ଯ଼ଥେଷ୍ଟ ସଂଖ୍ୟାରେ ଏହି ତୋପ ମୁତୟନ କରିଛି ଯେପରିକି ଏହି ଅଞ୍ଚଳରେ ଶତ୍ରୁ ସାମାନ୍ୟ ହରକତ ଦେଖାଇଲେ ଉଚିତ ଜବାବ ଦେଇହେବ।

Leave a Reply

Your email address will not be published. Required fields are marked *