ପିଲାଙ୍କୁ କେବେଠାରୁ କରୋନା ଟିକା ଦିଆଯିବ?

ଭାରତରେ ଶହେ କୋଟି ଡୋଜ କୋଭିଡ ଟିକା ଅତିକ୍ରମ ହେବା ସହିତ ଦେଶବ୍ୟାପୀ ସେଲିବ୍ରେସନ କରାଯାଇଛି, ତେବେ ଏହା ଭିତରେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ରହିଛି ପିଲାଙ୍କୁ ଟିକା କେବେ ଦିଆଯିବ।  ଦେଶରେ ଯେତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ 8.5 ପ୍ରତିଶତ ହେଉଛନ୍ତି ଛୋଟ ପିଲା ବା 18 ବର୍ଷରୁ କମ ବୟସ୍କ। ଯେଉଁମାନଙ୍କର ଅନ୍ୟ କିଛି ରୋଗ ରହିଛି ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ  ଗୁରୁତର ହେଉଛନ୍ତି ଏପରିକି ମୃତ୍ୟୁ ମୁଖରେ ପଡୁଛନ୍ତି। ତୃତୀୟ ଲହର ଆସିନପାରେ ବୋଲି କିଛି ବିଶେଷଜ୍ଞ କହୁଥିବା ବେଳେ  ଏବେ ୟୁରୋପରେ ପୁଣି କୋଭିଡ ମାମଲା ବଢ଼ିବାରେ ଲାଗିଲାଣି। ନୂଆ ପ୍ରକାରର ଡେଲଟାର ଭୂତାଣୁ ୟୁରୋପରେ ଚିହ୍ନଟ ହୋଇଛି । ଏହା ଯେ ବିଶ୍ବରର ଅନ୍ୟ ଭାଗ ପାଇଁ ଚିନ୍ତା ନ ବଢ଼ାଇବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଶ୍ନ କିନ୍ତୁ ମନ ଭିତରେ ରହିଛି। ଏତିକି ବେଳେ ପର୍ଯ୍ୟାୟକ୍ରମେ ସ୍କୁଲ ବି ଖୋଲାଯାଉଛି । ତେଣୁ ପିଲାମାନେ କାଳେ ବିପଦରେ ପଡ଼ିବେ ସେନେଇ ଅଭିଭାବକମାନେ ଚିନ୍ତାରେ ରହିବା ସ୍ବାଭାବିକ।  ତେଣୁ ପିଲାମାନଙ୍କୁ କେବେ ଟିକା ଦିଆଯିବ ସବୁଠାରେ ବଡ଼ ପ୍ରଶ୍ନ ହୋଇ ରହିଛି।

ଆସନ୍ତୁ ଜାଣିବା ଭାରତରେ କେଉଁଟିକା କେଉଁ ସ୍ଥାନରେ ରହିଛି ଯେଉଁଥିରୁ ଆପଣ ଜାଣିପାରିବେ ପିଲାଙ୍କ ପାଇଁ ଟିକାକରଣ କେବେ ଆରମ୍ଭ ହେବା  ସମ୍ଭାବନା ରହିଛି।  ବର୍ତ୍ତମାନ ପାଇଁ ଦେଶରେ 12ରୁ 18 ବର୍ଷର ପିଲାମାନଙ୍କୁ ଟିକା ଦେବା ଲାଗି କେନ୍ଦ୍ର ସରକାର ଏକ ଯ଼ୋଜନା ପ୍ରସ୍ତୁତ କରିସାରିଛନ୍ତି। ବିଶେଷ କରି ଏହି ବର୍ଗରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି -ଯେମିତିକି ଯେଉଁମାନଙ୍କ ଠାରେ କୁପୋଷଣ ଥିବ, ବୃକ୍କ, ହୃତପିଣ୍ଡ କିମ୍ବା ସ୍ନାୟୁଗତ କିଛି ଜଟିଳ ରୋଗ ଥିବ- ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଆଗ ଟିକା ଦେବା ଲାଗି ଯ଼ୋଜନା କରାଯାଉଛି।

ବର୍ତ୍ତମାନ ଜାଏଡସ କାଡିଲାର ଜାଏକୋଭ ଡିକୁ ଦେଶରେ ଜରୁରୀ ପ୍ରୟୋଗ ପାଇଁ ମଞ୍ଜୁରୀ ମିଳିଛି। 12ରୁ 18 ବର୍ଷର ପିଲାମାନଙ୍କୁ ଏହି ଟିକା ଦିଆଯିବ। ଏହି ଟିକା ସ୍ବତନ୍ତ୍ର ଧରଣର ଛୁଞ୍ଚିବିହୀନ ପ୍ରଥମ ଡିଏନଏ ଭିତ୍ତିକ ଟିକା। ଏହା ପାରମ୍ପରିକ ରୋଗପ୍ରତିରୋଧକ ଶକ୍ତି ଉତ୍ପନ୍ନକାରୀ ଟିକାଠାରୁ ଟିକେ ଭିନ୍ନ । ବର୍ତ୍ତମାନ ସମୟରେ ଡିଏନଏ ଭିତ୍ତିକ ଟିକା ବହୁଳ ଭାବେ ପ୍ରୟୋଗ ହେବା ଆରମ୍ଭ ହେଲାଣି। ତେଣୁ ଏହି ଟିକା ଉପରେ ସାରା ଦେଶର ନଜର ରହିଛି।

ଜାଏକୋଭ ଡି ଟିକା କୋଭିଡ ଭୂତାଣୁ ବିରୋଧରେ 66 ପ୍ରତିଶତ ପ୍ରଭାବଶାଳୀ ହେଉଥିବା ଜଣାଯାଇଛି।  ଏହାକୁ ପିଲାଙ୍କ ଠାରେ ତିନିଟି ଡୋଜରେ ଦିଆଯିବ। ପ୍ରଥମ ଟିକା ଦେବାର ଦ୍ବିତୀୟଟି 28 ଦିନ ପରେ ତୃତୀୟଟି 56 ଦିନ ପରେ ଦିଆଯିବ। ଏହି ଟିକା ଛୁଞ୍ଚି ବିହୀନ ଫାର୍ମାଜେଟ ଡିଭାଇସ ଦ୍ବାରା ବାହୁରେ ଦିଆଯ଼ିବ। ଏଥିପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ମଧ୍ୟ ଦିଆଗଲାଣି । ତେଣୁ ଏହା ଖୁବ ଶୀଘ୍ର ଉପଲବ୍ଧ ହେବା ନେଇ ଆଶା ପ୍ରକାଶ କରାଯାଇପାରେ। ତେବେ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ନିତି ଆୟୋଗ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଭିକେ ପଲ ସୂଚନା ଦେଇଛନ୍ତି। କେନ୍ଦ୍ର ଏନେଇ ବିଧିବଦ୍ଧ ଘୋଷଣା କରିବ।

 

ଏବେ ଆସନ୍ତୁ ଜାଣିବା ଦ୍ବିତୀୟ ଟିକା ସମ୍ବନ୍ଧରେ। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ପିଲାମାନଙ୍କ ପାଇଁ ମଧ୍ୟ ଆସିବ। ପିଲାମାନଙ୍କ ପାଇଁ କୋଭାକ୍ସିନର ପ୍ରୟୋଗକୁ ସବଜେକ୍ଟ ଏକସପର୍ଟ କମିଟି ଅନୁମୋଦନ କରିଛି। ଏକ୍ସପର୍ଟ କମିଟିର ଅନୁମୋଦନ ଆଧାରରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ କୌଣସି ଟିକାର ଜରୁରୀ ପ୍ରୟୋଗକୁ ଅନୁମତି ପ୍ରଦାନ କରିଥାନ୍ତି। କୋଭାକ୍ସିନକୁ ଡିସିଜିଆଇ ଅନୁମତି ପ୍ରଦାନ କରିନଥିବାରୁ ଏହା ଏବେ ଅଟିକି ରହିଛି।

କୋଭାକ୍ସିନକୁ ଅନୁମତି ମିଳିଲେ ଏହା ବିଶ୍ବର ପ୍ରଥମ ଟିକା ହେବ ଯାହାକି 2ରୁ 18 ବର୍ଷର ପିଲାଙ୍କ ଠାରେ ପ୍ରୟୋଗ କରିଯାଇପାରିବ। ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନି ଏହି ଟିକା ପ୍ରସ୍ତୁତ କରିଛି। ଏହି ଟିକାର ତିନିଟି ଯାକ ପରୀକ୍ଷା ଶେଷ ହୋଇଛି ଏବଂ ଏହା 77 . 8 ପ୍ରତିଶତ ପ୍ରଭାବଶାଳୀ ହେଉଥିବା ଜଣାଯାଇଛି।

 

ପିଲାଙ୍କ ଠାରେ କେମିତି ଟିକା ଦିଆଯ଼ିବ ସେନେଇ ଏକ ସ୍ବତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରାଯିବା ସମ୍ଭାବନା ରହିଛି। ଯେମିତି ସାଧାରଣ ଭାବେ ଯେମିତି ଅନ୍ୟ ଟିକା ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଦିଆଯ଼ାଉଛି ସେମିତି ଦିଆଯ଼ିବ କିମ୍ବା ଗାଁ ଗାଁ ଓ ସ୍କୁଲରେ ବୁଲି ସ୍ବାସ୍ଥ୍ୟ କର୍ମୀମାନେ କୋଭିଡ ଟିକା ଦେବେ ସେନେଇ ନୀତିଗତ ନିଷ୍ପତ୍ତି ନିଆଯ଼ିବ। କରୋନା ସଂଖ୍ୟା ପୁଣି ବଢୁଥିବା ବେଳେ ସ୍କୁଲ ଖୋଲିସାରିଲାଣି। ତେଣୁ କେନ୍ଦ୍ର ସରକାର ଏ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।  

Leave a Reply

Your email address will not be published. Required fields are marked *