ଚୀନକୁ ଡରି ନାଁ ହେଲା ଓମିକ୍ରନ !

 

ସାରା ବିଶ୍ବରେ ଏବେ ଗୋଟିଏ ଶବ୍ଦକୁ ନେଇ ଚାଲିଛି ଚର୍ଚ୍ଚା। ଓମିକ୍ରନ। ଓମିକ୍ରନ ଏବେ ଭୟର ଏକ ପ୍ରତିଶବ୍ଦ ବି ହୋଇଯାଇଛି। ଓମିକ୍ରନ ହେଉଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ନାଁ। ପ୍ରଥମେ ଏହାକୁ B.1.1.529 ଭାବେ ଚିହ୍ନଟ କରାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସଂକ୍ରାମକ କ୍ଷମତାକୁ ଉପଲବ୍ଧି କରି ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିବା ସହିତ ଏହାର ନାଁ ଦେଇଛି ଓମିକ୍ରନ। ଗ୍ରୀକରେ ଓମିକ୍ରନ ଶବ୍ଦର ଅର୍ଥ ହେଲା ଯାହ ସର୍ବବ୍ୟାପ୍ତ କିନ୍ତୁ ଦେଖାଯାଉନି। ଏହା ଦ୍ବାରା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୋଟିଏ ମେସେଜ ଦେଇଛି ଯେ ଏହା ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି । ହେଲେ ଏହାର ଉତ୍ପତ୍ତି ସ୍ଥଳ କେଉଁଠି ତାହା ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ ହୋଇନାହି। ଏହା ବି ହୋଇପାରେ ଯେ ଏହା ଅନ୍ୟ କେଉଁ ଦେଶରୁ ମ୍ୟୁଟେଟ ହୋଇଥିବ। ଏବେ ଏହା ବୋସୱାନା, ହଂକଂ ସହିତ ଇସ୍ରାଏଲ, ବେଲଜିୟମ ଏବଂ ବ୍ରିଟେନରେ ଚିହ୍ନଟ ହୋଇସାରିଲାଣି । ଏହି ଓମିକ୍ରନ ଏତେ ପରିମାଣରେ ସଂକ୍ରାମକ ଯ଼େ ଏହାକୁ ନେଇ ସାରା ଦେଶରେ ଚିନ୍ତା ବଢ଼ିବାରେ ଲାଗିଲାଣି।

ଏହି ଓମିକ୍ରନର ନାମକରଣକୁ ନେଇ ଏକ ବିବାଦ ମଧ୍ୟ ଦେଖାଦେଲାଣି। କୁହାଯ଼ାଉଛି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନକୁ ଡରି ଏମିତି ନାଁ କରିଛି। କାହିଁକି ? କାରଣ ପୂର୍ବରୁ କରୋନାର ଯେତେ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା ସେସବୁକୁ ଗ୍ରୀକ ଅକ୍ଷର ଅନୁସାରେ ନାମକରଣ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଘୋଷଣା କରିଥିଲା । ଯେଉଁଥିପାଇଁ ଆଲ୍ଫା ବିଟା, ଗାମା ଡେଲଟା ଭଳି ନାମକରଣ ଚାଲିଥିଲା। ଯେତେବେଳେ ଗ୍ରୀକ ଅକ୍ଷର XI ନଜରକୁ ଆସିଲା ସେତେବେଳେ ଡବ୍ଲୁଏଚଓ ର ଅକଲଗୁଡୁମ ହୋଇଥିଲା। ନୂଆ ଭ୍ୟାରିଆଣ୍ଟ ଗ୍ରୀକ ଅକ୍ଷର କ୍ରମରେ  Nu ପଡୁଥିଲା ଆଗକୁ ଆସୁଛି XI  ତେବେ XI କହିଲେ କଥାଟା କୁଆଡ଼େ ଯିବ ତାହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହେଞ୍ଚିପେଞ୍ଚି ହୋଇଥିଲା ବୋଲି କୁହାଯାଉଛି। ଏମିତି ତ କରୋନାକୁ ଚାଇନା ଭାଇରସ କହିବାରୁ ଚୀନକୁ ମିର୍ଚ୍ଚି ଲାଗୁଛି । ପୁଣି ଯଦି ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କ ନାଁ ଏଥିରେ ଯୋଡିହେବ କଥା କଣ ହେବ ଅନୁମାନ କରିବା କଥା। ତେଣୁ ଡବ୍ଲୁଏଚଓ ଦୁଇଟି ଅକ୍ଷରକୁ ଡେଇଁଲା ଏବଂ ଏହାକୁ ନୂଆ ନାଁ ଦେଲା ଓମିକ୍ରନ। ଏମିତି କିଛି ଚର୍ଚ୍ଚା ହେଉଛି।

ଯଦି ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ତଳେ ଲାଇକ ବଟନରେ କ୍ଲିକ କରନ୍ତୁ କିମ୍ବା ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *