ସାନ ସିନା ଦାନ ତା ମହାନ, ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ, ୨/୧୨ : ସାନ ସିନା ଦାନ ତା ମହାନ। ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ୧୨ ବର୍ଷର ବାଳକ ଅର୍ଶ ପାଲ। ଅଷ୍ଟମ ଜନ୍ମଦିନରୁ ଅର୍ଶ ଏହି ନିଆରା ପ୍ରୟାସ ଆରମ୍ଭ କରିଥିଲେ। ଏଯାବତ୍ ସେ ୧୩ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି। ଏହି କାମ ପାଇଁ ଅର୍ଶଙ୍କ ପିତା-ମାତା ତାଙ୍କୁ ପିଲାଟି ଦିନରୁ ପ୍ରୋତ୍ସାହିତ କରିଛନ୍ତି। ପାଠ ପଢିବା ବ୍ୟତୀତ ଖାଲି ସମୟରେ ଅର୍ଶ ପେଣ୍ଟିଂ ତିଆରି କରି ବିକ୍ରି କରିଥାନ୍ତି।

ସୂଚନାନୁଯାୟୀ, ପିଲାଟି ଦିନରୁ ଅର୍ଶ ପାଲ ଚିତ୍ର କରିବା ପସନ୍ଦ କରୁଥିଲେ। ଖାଲି ସମୟ ମିଳିଲେ ସେ ଚିତ୍ର ଆଙ୍କୁଥିଲେ। ଧୀରେଧୀରେ ଏହି କଳାକୃତି ସଂଖ୍ୟା ବଢିବାରୁ ଅର୍ଶଙ୍କ ପିତାମାତା ଏହାକୁ ବନ୍ଧୁ ବାନ୍ଧବଙ୍କୁ ଉପହାର ରୂପରେ ଦେବା ପାଇଁ ଚିନ୍ତାକଲେ। ସମସ୍ତଙ୍କ ଠାରୁ ସକ୍ରିୟାତ୍ମକ ପ୍ରତିକ୍ରିୟା ମିଳିବାରୁ ସେ ଏହାକୁ ବିକ୍ରି କରିବାକୁ ଚିନ୍ତା କରିଥିଲେ। ଅର୍ଶଙ୍କ ମାଆ ଜଣେ ଥେରାପିଷ୍ଟ। ସେ ଆମେରିକାର ଆୟୋବାରେ ଏକ ନର୍ସିଂହୋମରେ କାମ କରନ୍ତି। ଅର୍ଶ ମଧ୍ୟ ତାଙ୍କ ସହ ନର୍ସିଂହୋମ ଯାଆନ୍ତି। ସେଠାରେ ରୋଗୀମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି। ଧୀରେଧୀରେ ଅର୍ଶ ଏହି ଲୋକମାନଙ୍କୁ ସହାୟତା କରିବା ପାଇଁ ଚିନ୍ତା କଲେ।

ଏହାପରେ ଅର୍ଶ ତାଙ୍କର ପେଣ୍ଟିଂ ବିକ୍ରି କରିବା ଆରମ୍ଭ କଲେ। ଏହି ଚିତ୍ରକଳାରୁ ଆସୁଥିବା ଅର୍ଥକୁ ସେ ରୋଗୀମାନଙ୍କ ସେବାରେ ଖର୍ଚ୍ଚ କରୁଥିଲେ। ସେଣ୍ଟ ଜୁଡ ଚିଲ୍ଡ୍ରେନ ରିସର୍ଚ୍ଚ ହସ୍ପିଟାଲକୁ ସେ ପ୍ରଥମେ ଦାନ କରିଥିଲେ। ଧୀରେ ଧୀରେ ଅର୍ଶ ଅନ୍ୟ ସଂସ୍ଥା ଗୁଡ଼ିକୁ ସାହାଯ୍ୟର ହାତ ବଢାଇଥିଲେ। ଚାଇଲ୍ଡ କ୍ୟାନସର ପାଇଁ କାମ କରୁଥିବା ଏନଜିଓ ସହ ମଧ୍ୟ ଅର୍ଶ ହାତ ମିଳାଇଲେ।

ସୂଚନାନୁଯାୟୀ, ଅର୍ଶ ତାଙ୍କର ଛୋଟ ପେଣ୍ଟିଂ ଗୁଡ଼ିକୁ ୧୦ ଡଲାରରେ ବିକ୍ରି କରିଥାନ୍ତି। ସେହିପରି ୫ ଫୁଟର ଚିତ୍ର ଗୁଡ଼ିକୁ ୮୦୦ ଡଲାରରେ ବିକ୍ରି କରିଥାନ୍ତି। ଗତ ବର୍ଷ ଅର୍ଶ ତାଙ୍କର ୨ ଟି କଳାକୃତିକୁ ୧୦ ହଜାର ଡଲାରରେ ବିକ୍ରି କରିଛନ୍ତି।

Leave a Reply

Your email address will not be published. Required fields are marked *