୨୦୨୧ ଜାତୀୟ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ୩ ଓଡ଼ିଆ ସେବିକା ସମ୍ମାନିତ

ଭୁବନେଶ୍ଵର, ୦୮/୧୧ : ରାଷ୍ଟ୍ରପତି ଭବନରେ ସୋମବାର ୨୦୨୧ ଜାତୀୟ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ତିନି ସେବିକା ସମ୍ମାନିତ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୧ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧୭ ଏଏନ୍‌ଏମ୍‌, ୪ ଏଲ୍‌ଏଚ୍‌ଭି ଓ ୩୦ ସେବିକା ଅଛନ୍ତି । ଓଡ଼ିଶାରୁ ସେବିକା ଖୁଲଣା ବାରିକ, ଶିବାନୀ ଦାସ ଓ ଏଏନ୍‌ଏମ୍‌ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । କୋଭିଡ୍‌ ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଛି । ସମାଜ ପ୍ରତି ସେବିକାଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୯୭୩ରୁ ଜାତୀୟ ନାଇଟ୍‌ଙ୍ଗଲ ପୁରସ୍କାର ପ୍ରଦାନ କରାଯାଉଛି ।

ଦମୟନ୍ତୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗଉନିଘାସ କମ୍ୟୁନିଟ୍‌ ହେଲ୍‌ଥ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି। ୨୫ବର୍ଷ ଧରି ସେ ଶିଶୁ ଓ ମାତୃ ଟିକାକରଣ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଆସିଛନ୍ତି । ସେହିପରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ନର୍ସିଂ ଅଧିକାରୀ ଅଛନ୍ତି ସେବିକା ଶିବାନୀ ଦାସ । ସେବା କ୍ଷେତ୍ରରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି । ସେହିପରି ଜଗତସିଂହପୁର ଜିଲ୍ଲା ହସ୍ପିଟାଲରେ ସେବିକା ଖୁଲଣା ବାରିକ ଷ୍ଟାଫ୍‌ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *