ହାଇସ୍କୁଲ୍‌ରେ ପଢ଼ାଇବେ ଅତିଥି ଶିକ୍ଷକ, ୪ହଜାର ଅତିଥି ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର ୧୪/୦୮: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଶିକ୍ଷକ ପଦବି ଖାଲି ପଡ଼ିଛି । ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାଁନ୍ତି । ଫଳରେ ପାଠପଢ଼ାରେ ଅସୁବିଧା ହେଉଛି । ଗୋଟିଏ ଶିକ୍ଷକ ୨ଟି ସ୍କୁଲ୍‌ରେ ପାଠପଢ଼ାଉଛନ୍ତି । ଏପରିକି ଯେଉଁଠି ଏଲିମେଣ୍ଟାରୀ ସ୍କୁଲ୍‌ ସହ ସେକେଣ୍ଡାରୀ ସ୍କୁଲ୍‌ ଏକାଠି ଅଛି ସେଠାରେ ଏଲିମେଣ୍ଟାରୀ ଶିକ୍ଷକମାନେ ମଧ୍ୟ ସେକେଣ୍ଡାରୀ ସ୍କୁଲ୍‌ରେ ପାଠପଢ଼ାଉଛନ୍ତି । ଅର୍ଥାତ୍‌ ମୂଳ ନିଯୁକ୍ତରେ ସପ୍ତାହକୁ ୪ ଦିନ ଓ ୨ଦିନ ଅନ୍ୟ ସ୍କୁଲ୍‌ରେ ୨ଦିନ ପଢ଼ାଉଛନ୍ତି । ଏପରି ସ୍ଥିତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ଶିକ୍ଷକ ପଦବି ପୂରଣ ନେଇ ବିକଳ୍ପ ବ୍ୟବସ୍ଥା କରିଛି ବିଭାଗ । ରାଜ୍ୟରେ ୪ହଜାର ୪୦୩ ଅତିଥି ଶିକ୍ଷକ ନିଯୁକ୍ତି କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଓ ନୂଆ ଜିଆଇଏ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ଦିଆଯିବ ।

ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ୍‌ରେ ଅତିଥି ଶିକ୍ଷକ ନିଯୁକ୍ତ ହେବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଜିଲ୍ଲା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ତାଲିକା ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଯୁକ୍ତି କରିବେ । ଏସଂପର୍କିତ ତଥ୍ୟ ମାଧ୍ୟମିକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ଯେଉଁ ସ୍କୁଲ୍‌ରେ ଶିକ୍ଷକ ପଦବି ଖାଲି ପଡ଼ିଛି ସେହି ସ୍କୁଲ୍‌କୁ ଅଗ୍ରାଧିକାର ଦିଆଯିବ । ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଅତିଥି ଶିକ୍ଷକ ନିଯୁକ୍ତ ହେବେ । ନିଯୁକ୍ତ ହେବାକୁ ଥିବା ଶିକ୍ଷକମାନେ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ପାଠପଢ଼ାଇବେ ।

ଅନୁଗୁଳ ଜିଲ୍ଲାରେ ୧୦୫, ବାଲେଶ୍ୱର ଜିଲ୍ଲାରେ ୨୧୨, ବରଗଡ଼ ଜିଲ୍ଲାରେ ୧୧୫, ଭଦ୍ରକ ଜିଲ୍ଲାରେ ୨୨୦, ବଲାଙ୍ଗୀର ଜିଲ୍ଲାରେ ୧୪୦, ବୌଦ୍ଧ ଜିଲ୍ଲାରେ ୬୦, କଟକ ଜିଲ୍ଲାରେ ୨୨୦, ଦେବଗଡ଼ରେ ୧୩୨, ଢେଙ୍କାନାଳରେ ୨୨୦, ଗଞ୍ଜାମରେ ୨୨୦, ଗଜପତିରେ ୩୦, ଝାରସୁଗୁଡ଼ାରେ ୭୦, ଜଗତସିଂହପୁରରେ ୧୬୦, ଯାଜପୁରରେ ୨୨୦, କଳାହାଣ୍ଡିରେ ୧୩୦, କନ୍ଧମାଳରେ ୯୦, କେନ୍ଦ୍ରାପଡ଼ାରେ ୨୨୦, କୋରାପୁଟରେ ୧୫୦, ଖୋର୍ଦ୍ଧା ଜିଲ୍ଲାରେ ୧୧୦, କେନ୍ଦୁଝର ଜିଲ୍ଲାରେ ୨୨୦, ମାଲକାନାଗିରିରେ ୧୧୦, ମୟୂରଭଞ୍ଜରେ ୨୨୦, ନୟାଗଡ଼ରେ ୯୪, ନବରଙ୍ଗପୁରରେ ୧୦୦, ନୂଆପଡ଼ାରେ ୧୭୫, ପୁରୀରେ ୧୫୦, ରାୟଗଡ଼ାରେ ୧୦୦, ସମ୍ବଲପୁରରେ ୧୧୦, ସୋନପୁରରେ ୮୦ ଓ ସୁନ୍ଦରଗଡ଼ରେ ୨୨୦ ଅତିଥି ଶିକ୍ଷକ ନିଯୁକ୍ତ ହେବେ ।

Leave a Reply

Your email address will not be published. Required fields are marked *