ଭୁବନେଶ୍ଵର, ୧୪/୮ : ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ବଳୀଦାନ ଦେଇଥିଲେ। ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ସରୋଜିନୀ ନାଇଡୁଙ୍କ ପର୍ଯ୍ୟନ୍ତ ଅନେକ ମହିଳା ଯୋଦ୍ଧାଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇଛି। ସ୍ୱାଧୀନତା ପରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେଲା। ସେବେଠାରୁ ଦେଶରେ ବିକାଶ ଆରମ୍ଭ ହୋଇଥିଲା। ଭାରତର ବିକାଶରେ ମହିଳାମାନେ ମଧ୍ୟ ସହଯୋଗ କରିଛନ୍ତି। ଦେଶର ବିକାଶ ସହିତ ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ସ୍ଥିତି ମଧ୍ୟ ଦୃଢୀଭୂତ ହୋଇଥିଲା।
ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ ସ୍ଵାଧୀନ ଭାରତ ଇନ୍ଦିରା ଗାନ୍ଧୀଙ୍କ ରୂପରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପାଇଲା। ସରୋଜିନୀ ନାଇଡୁ ଏକ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ। ସେହିଭଳି ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ, ପ୍ରତିରକ୍ଷା ବିଭାଗଠାରୁ ଆରମ୍ଭ କରି କ୍ରୀଡ଼ା ଜଗତ ପର୍ଯ୍ୟନ୍ତ ଅନେକ ମହିଳାଙ୍କ କାନ୍ଧରେ ଗୁରୁ ଦାୟିତ୍ଵ ଦିଆଗଲା। ତେବେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ହୋଇଥିଲେ। ଆସନ୍ତୁ ଜାଣିବା ଦେଶର ପ୍ରଥମ ମହିଳା IAS ଅଧିକାରୀଙ୍କ ବିଷୟରେ…
ଦେଶର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ କିଏ?
ସ୍ଵାଧୀନ ଭାରତର ପ୍ରଥମ ମହିଳା IAS ଅଧିକାରୀଙ୍କ ନାମ ଆନ୍ନା ରାଜାମ ମଲହୋତ୍ରା। ସେ ୧୯୫୧ ମସିହାରେ ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷାରେ ପାସ୍ କରିଥିଲେ। ସେ କେରଳରେ ଜନ୍ମଗ୍ରହଣ କରିଥିଲେ। ୧୭ ଜୁଲାଇ ୧୯୨୪ରେ କେରଳର ଏର୍ନାକୁଲମ ଜିଲ୍ଲାରେ ଜନ୍ମ ହୋଇଥିବା ଆନ୍ନା ରାଜାମ ମଲହୋତ୍ରା କୋଜିକୋଡେରୁ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଚେନ୍ନାଇର ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ତାଙ୍କର ପରବର୍ତ୍ତୀ ଅଧ୍ୟୟନ ସମାପ୍ତ କରିବା ପରେ ସେ ପ୍ରଶାସନିକ ସେବାରେ ଯୋଗଦେବାକୁ ସ୍ଥିର କଲେ ଏବଂ ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲେ।
୧୯୫୧ ମସିହାରେ ଆନ୍ନା ରାଜମ ମାଲହୋତ୍ରା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ହୋଇଥିଲେ। ସ୍ଵାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ଭାବରେ ତାଙ୍କ ନାମ ଇତିହାସରେ ରେକର୍ଡ କରାଯାଇଛି। ପରେ ସେ ମାଡ୍ରାସ କ୍ୟାଡରରୁ ଟ୍ରେନିଂ ନେଇଥିଲେ। ତାଙ୍କ ସେବା ସମୟରେ ସେ ଦୁଇ ପ୍ରଧାନମନ୍ତ୍ରୀ ଏବଂ ଦେଶର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିଥିଲେ।
ଆନ୍ନା ରାଜମ ୧୯୮୨ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଗେମ୍ସର ଦାୟିତ୍ଵରେ କାର୍ଯ୍ୟ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଥିଲେ। ଅବସର ପରେ ସେ ପ୍ରସିଦ୍ଧ ହୋଟେଲ ଲୀଲା ଭେଞ୍ଚର ଲିମିଟେଡର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ୧୯୮୯ ମସିହାରେ ଭାରତ ସରକାର ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।