ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫/୦୮: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ପଲ୍ଲୀଠୁ ଦିଲ୍ଲୀ ଚାରିଆଡ଼େ ଉତ୍ସବ ମୁଖର। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଲଗାତାର ୧୦ମ ଥର ପାଇଁ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତ୍ରିରଙ୍ଗା ଉତ୍ତୋଳନ ପରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ପତାକା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ ପରେ ବାୟୁସେନା ହେଲିକପ୍ଟରରୁ ଫୁଲ ବର୍ଷା କରିଥିଲା । ଲାଲକିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାବିନେଟ୍ ମନ୍ତ୍ରୀ, ସିଡିଏସ୍ ଓ ୩ ସେନାର ପ୍ରମୁଖ ଉପସ୍ଥିତ ଅଛନ୍ତି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ୨୦୨୧ରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଚଳିତବର୍ଷ କାର୍ଯ୍ୟକ୍ରମରେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସମେତ ୧୮୦୦ ଜଣ ବିଶେଷ ଅତିଥିଙ୍କୁ ଦିଲ୍ଲୀ ଆମନ୍ତ୍ରିତ କରାଯାଇଛି । ଏଥିସହ କାର୍ଯ୍ୟକ୍ରମରେ ଆମେରିକାର ସାଂସଦ ଖନ୍ନା ଓ ମାଇକଲ ବାଲ୍ଟଜ ଅତିଥି ଭାବେ ଆମନ୍ତ୍ରିତ ହୋଇଛନ୍ତି ।

ବ୍ରିଟିଶ୍ ରାଜରୁ ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା । ସେବେଠୁ ଦେଶ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରି ଆସୁଛି । ଲାଲକିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଲାଗି ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । କେବଳ ଲାଲକିଲ୍ଲାରେ ମୁତୟନ ହୋଇଛନ୍ତି ୫ ହଜାର ସୁରକ୍ଷାକର୍ମୀ ।

Leave a Reply

Your email address will not be published. Required fields are marked *