ଏହି କୁନି ପିଲାଟିର ଫଟୋ ଦେଖିଲା ପରେ ତା ମୁହଁରେ ଥିବା ସେହି ବାଲ୍ୟ ଚପଳତାକୁ ତ ଆପଣ ନିଶ୍ଚୟ ବାରି ପାରୁଥିବେ । ସେ କାଖ କରିଛି ତାର କୁନି ଭାଇକୁ । ବୟସ ମାତ୍ର 45 ଦିନ। ଯେଉଁ ବୟସରେ ଦୁନିଆ କଣ ଦେଖିବା ପାଇଁ ଏମାନଙ୍କର ଭଲ ଭାବେ ଆଖି ଫିଟି ନାହିଁ। ଚାଲିବା ପାଇଁ କୁନି କୁନି ପାଦରେ ଏତେ ଶକ୍ତି ବି ଆସିନାହିଁ। ନିଜେ ଦି ଗଣ୍ଡା ଖାଇବା ପାଇଁ ହାତ ପାଟି ଯାଏଁ ବି ଠିକ୍ ଭାବେ ଯାଇପାରୁନି, ସେତିକିବେଳେ ଏହି କୁନି ଝିଅ ଓ କୁନି ପୁଅ ଉପରେ କରୋନା କରିଛି ନିର୍ମମ ପ୍ରହାର । ଟିକେ ବି ଦୟା ହେଲାନି । ବାପା ମା ଉଭୟଙ୍କୁ ଆରପାରିକୁ ପଠାଇଦେଲା।
ଏହି କୁନି ଝିଅଟି ହେଉଛି କ୍ରିଷ୍ଣା । ବାଲେଶ୍ବର ଭୋଗରାଇ ନିମତପୁରର କମଲେଶ ପଣ୍ଡା ଓ ସ୍ମିତା ପଣ୍ଡାଙ୍କ ଝିଅ। ହସଖୁସିରେ ସଂସାର ଚାଲୁଥିଲା। କମଲେଶ ରେଲବାଇରେ ଚାକିରି କରିଥିବା ବେଳେ ସ୍ମିତା ଥିଲେ ନର୍ସ । ଦୁଇ ସନ୍ତାନଙ୍କୁ ଖୁବ ହସ ଖୁସିରେ ଏମାନେ ପାଳୁଥିଲେ। ଅନେକ ସ୍ବପ୍ନ ଦେଖିଥିଲେ। ହେଲେ ମେଞ୍ଚଡ଼ କରୋନା ସାଜିଲା ବଇରୀ। ଛାରଖାର କରିଦେଲା ସଂସାର।
ନର୍ସ ଭାବେ ସମ୍ମୁଖ ଲଢ଼େଇ ଲଢୁଥିବା ସ୍ମିତା ଏପ୍ରିଲ ମାସରେ କରୋନା ଆକ୍ରାନ୍ତ ହେଲେ । ସେତେବେଳେକୁ ସେ ଗର୍ଭବତୀ ଥିଲେ। କଟକର ହସ୍ପିଟାଲରେ ତାଙ୍କର ପୁଅଟିଏ ଜନ୍ମ ହେଲା। ତେବେ ପୁଅ ଜନ୍ମ ହେବାର ମାତ୍ର ଦିନ କେଇଟାରେ ଆରପାରିକୁ ଚାଲିଗଲେ ସ୍ମିତା। ପରେ ସ୍ବାମୀ କମଲେଶ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ। ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ଜୁନ 9 ତାରିଖରେ ସେ ମଧ୍ୟ ଆଖିବୁଜିଦେଲେ। ବାପାମାଆଙ୍କୁ ହରାଇ ଅନାଥ ହୋଇଗଲେ 6 ବର୍ଷର କ୍ରିଷ୍ଣା ଓ ତାର କୁନି ଭାଇ।
ଉଭୟଙ୍କୁ ଭୋଗରାଇରେ ରହୁଥିବା ସେମାନଙ୍କର କାକା ପାଖକୁ ନେଇଯାଇଛନ୍ତି। ମାକୁ କଥା ଦେଇଥିଲା କ୍ରିଷ୍ଣା ସାନଭାଇ ଘରକୁ ଆସିଲେ ତାର ସବୁ ଯତ୍ନ ସେ ନେବ । ସେ ବା ତାର ଦାୟିତ୍ହ କେମିତି ଭୁଲିବ। ବାପାମାଙ୍କ ହରାଇ ଏବେ ସେ ଯ଼େତିକି ଭାଇକୁ ଦେଖି ସେ ସେତିକି ଯ଼ତ୍ନଶୀଳ ହୋଇପଡ଼ିଛି ।
‘ ମୋ ଭାଇକୁ ମୁଁ ବଡ଼ କରିବି ତାକୁ ପାଠ ପଢ଼େଇବି, ସରକାର କଣ ମୁଁ ଜାଣିନି, ସେମାନେ ଆମ କଥା ବୁଝିଲେ ଭଲ ହୁଅନ୍ତା ’ ଏମିତି କିଛି ନିଷ୍କପଟ କଣ୍ଠରେ କହୁଛି କ୍ରିଷ୍ଣା। ଯେତେବେଳେ କରୋନାରେ ଅନାଥ ହୋଇଯାଇଥିବା ଶିଶୁଙ୍କର ସବୁ ଯ଼ତ୍ନ ନେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଘୋଷଣା କରିଛନ୍ତି ସେତେବେଳେ କ୍ରିଷ୍ଣା ଯେ ଏଥିରୁ ବାଦ ପଡ଼ିଯିବ ସେକଥା ନୁହେଁ। ଅର୍ଥ ହୁଏତ ସେମାନଙ୍କ ପାଇଁ ଅଭାବ ରହି ନପାରେ। କିନ୍ତୁ ଯ଼ାହା ହଜିଯାଇଛି କ୍ରିଷ୍ଣା ଓ ତାର ଭାଇପାଖରୁ ତାହା ହେଉଛି ଗେଲବସର ଶୈଶବ, ବାପା ମାଙ୍କ ସ୍ନେହ, ତାହା କେବେ ଆଉ ଫେରିବନି।
ଏହି ଖବରଟିକୁ ସେୟାର କରିବା ପାଇଁ ତଳେ ଥିବା ବଟନରେ କ୍ଲିକ କରନ୍ତୁ । କିମ୍ବା ଆପଣଙ୍କ ମତାମତ ତଳେ କମେଣ୍ଟ ବକ୍ସରେ ଦେଇପାରିବେ।