ଖବରକାଗଜ ହକର୍‌ରୁ କଲେଜ ଟପର୍, ଯୁକ୍ତ ଦୁଇ ପରୀକ୍ଷାରେ ୫୩୬ ନମ୍ବର ରଖି କଲେଜର ନାଁ ରଖିଲେ ମେଧାବୀ ରୂପସ୍ମିତା

କେନ୍ଦ୍ରାପଡ଼ା,୧୦/୦୮: ନିଷ୍ଠା ଓ ଅଧ୍ୟବସାୟ ଆଗରେ ହାର୍ ମାନିଲା ଅଭାବ, ଅନଟନ। ଦିନେ ଖବରକାଗଜ ହକର୍‌ ଭାବେ କାମ କରୁଥିବା ରୂପସ୍ମିତା ସାହୁ ଏବେ ଯୁକ୍ତ ଦୁଇ କଳା ପରୀକ୍ଷାରେ ସର୍ବାଧିକ ୫୩୬ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି । ସର୍ବାଧିକ ନମ୍ଵର ରଖି ସେ କେନ୍ଦ୍ରାପଡ଼ା ସହର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ନାମ ରଖିଛନ୍ତି।

ସୂଚନା ଅନୁସାରେ, ରୂପସ୍ମିତାଙ୍କ ନିଜ ଘର କେନ୍ଦ୍ରାପଡ଼ା ସହର ହଜାରିବଗିଚା ଅଞ୍ଚଳରେ । ସେ ମାଟ୍ରିକ୍‌ ପରୀକ୍ଷାରେ ମଧ୍ୟ ୭୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଭଲ ପାଠ ପଢ଼ିଥିବାରୁ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ସାଙ୍ଗସାଥୀ ସମସ୍ତ ସ୍ନେହ, ଆଦର କରୁଥିଲେ । ଶ୍ରେଣୀ ପରୀକ୍ଷା, ଖେଳକୁଦ ସବୁଥିରେ ସେ ସବୁବେଳେ ଆଗରେ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ବେଳୁ ତାଙ୍କର ପ୍ରତିଭା ଚଉଦିଗକୁ ମହକିତ ହୋଇ ଚାଲିଥିଲା ।

ରୂପସ୍ମିତାଙ୍କ ବାପା ଦୟାନିଧି ରାଉତ ପେସାରେ ଜଣେ ଖବରକାଗଜ ବିତରକ । ରାତି ପାହିଲେ ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇବା ତାଙ୍କର ପ୍ରମୁଖ କାମ । ଏଥିରୁ ଯାହା ଦି’ ପଇସା ମିଳେ ତାଙ୍କର ଘର ଚଳେ । ତେବେ ବୃଦ୍ଧ ବୟସରେ ନିଜେ ଏକା ସାଙ୍ଗରେ ଏତେ ଖରବକାଗଜ ବାଣ୍ଟିବା ସହଜ ହୋଇନଥିବାରୁ ରୂପସ୍ମିତା ବାପାଙ୍କୁ ସହଯୋଗ କରନ୍ତି। ନିଜେ ସାଇକେଲରେ ଖବରକାଗଜ ବୁଲି ବାଣ୍ଟନ୍ତି । ଦୟାନିଧି ରାଉତ ଓ ମାଳତି ରାଉତଙ୍କ ୩ ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ରୂପସ୍ମିତା ଝିଅଙ୍କ ମଧ୍ୟରେ ସବୁଠାରୁ ସାନ । ତାଙ୍କର ଅନ୍ୟ ଦୁଇ ଭଉଣୀ ମଧ୍ୟ ଉଚ୍ଚଶିକ୍ଷିତା ଓ ଆତ୍ମନିର୍ଭରଶୀଳ ।

ତେବେ ବାପା ଦୟାନିଧି ଖବରକାଗଜ ବିତରଣ କରୁଥିଲେ ମଧ୍ୟ ପିଲାମାନଙ୍କୁ ପାଠପଢ଼ାରୁ ବଞ୍ଚିତ କରିନାହାନ୍ତି । ରୂପସ୍ମିତା ସକାଳେ ଖବରକାଗଜ ବିତରଣ ପରେ ନିୟମିତ କଲେଜକୁ ଯାଇ ପାଠ ପଢ଼ିବା ସହ ଘରେ ପ୍ରାୟ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ । ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *