ପରଲୋକରେ ରାଣୀ ଏଲିଜାବେଥ୍‌, ବ୍ରିଟେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ, ୭୦ ବର୍ଷ ସମ୍ଭାଳିଥିଲେ ରାଜଗାଦି

ଲଣ୍ଡନ, ୯/୯ : ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆଉ ନାହାନ୍ତି । ସ୍କଟଲାଣ୍ଡର ବାଲ୍‌ମୋରାଲ କ୍ୟାସେଲ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ଗତବର୍ଷ ଅକ୍ଟୋବରରୁ ସେ ଅସୁସ୍ଥ ଥିଲେ। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼ିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ରାଣୀଙ୍କ ପରଲୋକରେ ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ଲଣ୍ଡନର ବକିଙ୍ଗ୍‌ହାମ୍‌ ପ୍ୟାଲେସ୍‌ ପକ୍ଷରୁ ଏକ ବିବୃତି ଜାରି କରାଯାଇ ରାଣୀ ଏଲିଜାବେଥ୍‌ଙ୍କ ପରଲୋକ ବାବଦରେ ସୂଚନା ଦିଆଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ୱର ବିଭିନ୍ନ ଦେଶର ନେତାମାନେ ଶୋକ ପ୍ରକାଶ କରିଛନ୍ତି ।

ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି । ନିଧନରୁ ଅନ୍ତିମ ସଂସ୍କାର ମଧ୍ୟରେ ଥିବା ୧୦ ଦିନ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହ ବ୍ରିଟେନରେ ୧୦ ଦିନିକିଆ ଶୋକ ମଧ୍ୟ ପାଳନ ହେବ। ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ଯ୍ୟକୁ ବାତିଲ କରାଯାଇଛି । ମାହାରାଣୀଙ୍କ ପାର୍ଥୀବ ଶରୀର ପ୍ରଥମେ ରାଜପରିବାରର ଟ୍ରେନରେ ଏଡିନବର୍ଗ ନିଆଯିବ । ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ସାହି ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ୍ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ।

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟ୍‌ରେ ହୋଇଥିଲା । ନୌସେନା ଅଧିକାରୀ ଫିଲିପ୍‌ ମାଉଣ୍ଟବେଟେନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ରୁ୍ୟ ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି । ୧୯୫୨ରେ ପିତା ଷଷ୍ଠ ଜର୍ଜଙ୍କ ମୃତ୍ୟୁ ପରେ ରାଣୀ ଏଲିଜାବେଥ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ । ସେ ବ୍ରିଟେନ ସମେତ ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ଆଣ୍ଟିଗୁଆ ଓ ବର୍ମୁଡା, ବାହାମସ, ବ୍ରାଜିଲ, ଗ୍ରେନାଡା, ପପୁଆ ନ୍ୟୁଗିନି, ସୋଲୋମନ ଦ୍ୱୀପ, ସେଣ୍ଟ କିଟ୍‌ସ ଓ ନାବିସ, ସେଣ୍ଟ ଲୁସିଆ, ସେଣ୍ଟ ଭିନସେଣ୍ଟ ଓ ଗ୍ରେନାଡାଇନ୍ସ ଏବଂ ଟୁବାଲୁ ଆଦି ୧୫ଟି ଦେଶର ରାଣୀ ଥିଲେ । ସେ ୭୦ ବର୍ଷ ବା ୭ ଦଶନ୍ଧି ଧରି ବ୍ରିଟେନ୍‌ର ରାଜଗାଦି ସମ୍ଭାଳିଥିଲେ, ଯାହା କି ଏକ ଅଦ୍ଭୁତପୂର୍ବ ରେକର୍ଡ । ତାଙ୍କ ବଡ଼ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ ଏବେ ବ୍ରିଟେନର ନୂଆ ରାଜା ହୋଇଛନ୍ତି । ନିଜ କ୍ଷମତା କାଳରେ ସେ ବ୍ରିଟେନ୍‌ରେ ୧୫ ପ୍ରଧାନମନ୍ତ୍ରୀଙ୍କର ଶପଥପାଠ କରାଇଥିଲେ । ସଦ୍ୟ ଘଟଣାରେ ସେ ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ନିଯୁକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *