ମୋବାଇଲ୍‌ ଓ ଇଣ୍ଟରନେଟ୍‌ର ନକାରାତ୍ମକ ପ୍ରଭାବ, ନିୟନ୍ତ୍ରିତ କରନ୍ତୁ ପିଲାଙ୍କ ସ୍କ୍ରିନ୍‌ ସମୟ

ଭୁବନେଶ୍ଵର, ୧୪/୯ : ଗୋଟେ ପଟେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ପିଲାଙ୍କୁ ସ୍ମାର୍ଟ ଓ ଟେକ୍‌-ଫ୍ରେଣ୍ଡଲୀ କରୁଥିବା ବେଳେ ଅନ୍ୟପଟେ ପିଲା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଆଜିକାଲିର ବାପାମା’ଙ୍କ ପାଇଁ ପିଲାଙ୍କୁ ମୋବାଇଲ୍‌ ନଦେବା ଏକ ଚ୍ୟାଲେଞ୍ଜ ହୋଇପଡିଲାଣି । ଅଭିଭାବକ ପିଲାଙ୍କୁ ସମ୍ପୂର୍ଣ୍ଣ ମୋବାଇଲ୍‌ ଦେଇପାରୁ ନାହାଁନ୍ତି, କିମ୍ବା ପୁରା ମନା କରି ମଧ୍ୟ ଚ୍ୟାଲେଞ୍ଜକୁ ସାମ୍‌ନା କରିପାରୁ ନାହାଁନ୍ତି । ତେଣୁ ସେମାନେ ତ୍ରିଶଙ୍କୁ ସ୍ଥିତିରେ ରହୁଛନ୍ତି । ପିଲା ହାତରେ ମୋବାଇଲ୍‌ ରହିବା ଦ୍ୱାରା ମା’ର ଚିନ୍ତା ବଢିଥାଏ । ପିଲା ମୋବାଇଲରେ କ’ଣ ଦେଖୁଛି? କୌଣସି ଭୁଲ୍‌ ଲିଙ୍କ୍‌ରେ ହାତ ମାରିବନି ତ? ଏଭଳି ବିଭିନ୍ନ ପ୍ରଶ୍ନ ଅଭିଭାବକଙ୍କ ମନରେ ଆସିବା ସ୍ୱାଭାବିକ୍‌ । ଜଣେ ଦାୟିତ୍ୱଶୀଳ ଅଭିଭାବକ ଭାବେ ପିଲାର ସ୍କ୍ରିନ୍‌ ସମୟ ଉପରେ ନଜର ରଖିବା ଜରୁରି ।

ଧ୍ୟାନ ଦିଅନ୍ତୁ ଯେ ପିଲା ମୋବାଇଲ୍‌ରେ କ’ଣ ଦେଖୁଛି ଓ କେତେ ସମୟ ଦେଖୁଛି? ଚାଲନ୍ତୁ ଦେଖିବା ଏଭଳି ସମସ୍ୟାର କେମିତି କରିବା ସହଜରେ ସମାଧାନ । ପ୍ରଥମେ ମୋବାଇଲ୍‌ରେ ପାସ୍‌ୱାର୍ଡ ଓ ପାର୍ଟନ୍‌ ଦିଅନ୍ତୁ । ଏ ବିଷୟରେ ପିଲା କିଛି ନ ଜାଣିବା ଦରକାର । ଛୋଟ ପିଲାଙ୍କୁ କେବେ ବି ୟୁଟ୍ୟୁବ୍‌ ଖୋଲି ଦିଅନ୍ତୁ ନାହିଁ । କାରଣ ସେମାନେ ଗୋଟିଏ ଭିଡିଓରୁ ଅନ୍ୟ ଭିଡିଓକୁ ଡେଇଁଥାନ୍ତି । କିଛି ନ ଜାଣି ମଧ୍ୟ ବିଭିନ୍ନ ଭିଡିଓକୁ ଦେଖିଥାନ୍ତି । ଯଦି ନିଜେ ପିଲା ପାଖରେ ବସି ରହୁଥାନ୍ତି, ତେବେ ୟୁଟ୍ୟୁବ୍‌ ଖୋଲିବାକୁ ଦିଅନ୍ତୁ, ନଚେତ୍‌ ବାରଣ କରନ୍ତୁ । ପିଲାଙ୍କୁ ୟୁଟ୍ୟୁବ୍‌ କିଡ୍‌ସ ବା ଆମାଜନ୍‌ କିଡ୍‌ସ୍‌ ପରି ଆପ୍‌ ଦେଖାଇପାରିବେ, ଯାହା ଖାସ୍‌ ପିଲାଙ୍କ ପାଇଁ ହିଁ ତିଆରି ହୋଇଛି । ଏହାବ୍ୟତୀତ ଅନ୍ୟ କୌଣସି ଆପ୍‌ରେ ଫିଲ୍ମ ବା କାର୍ଟୁନ୍‌ ପାଇଁ ସେଥିରେ ଥିବା ବୟସର ସୀମାକୁ ନିଶ୍ଚୟ ଯାଞ୍ଚ କରନ୍ତୁ । ନିଜ ପିଲାର ବୟସ ଅନୁସାରେ ଫିଲ୍ମ ବା କାର୍ଟୁନ ଚୟନ କରନ୍ତୁ । ପ୍ରଥମେ ପିଲାକୁ ହିଁ ଚେକ୍‌ କରିବାକୁ ଦିଅନ୍ତୁ । ତା’ପରେ ନିଜେ ଚେକ୍‌ କରି ପିଲାକୁ ଦେଖିବାକୁ ସହମତି ଦିଅନ୍ତୁ । ଲୁଚିଛପି ପିଲା କ’ଣ ଦେଖୁଛି ଦେଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ପିଲା ଆପଣଙ୍କଠାରୁ ଲୁଚି ଲୁଚି ଭୁଲ୍‌ କରିବା ସହ ଭୁଲ୍‌କୁ ଲୁଚାଇପାରେ । ତେଣୁ ପିଲାର ଭୁଲ୍‌କୁ ସିଧାସଳଖ ତା’ ଆଗରେ କୁହନ୍ତୁ । ପିଲାକୁ ବୁଝାଇସୁଝାଇ କହିବା ସହ ସଚେତନ କରନ୍ତୁ ।

ବାରମ୍ବାର କହିବା ପରେ ଯଦି ପିଲା ନ ବୁଝେ, ତେବେ ପିଲାର ସୁରକ୍ଷା ପାଇଁ କଡ଼ା ନିୟମ କରନ୍ତୁ । ଏପରିକି ଅତ୍ୟଧିକ ମୋବାଇଲ୍‌ ବ୍ୟବହାର ଦ୍ୱାରା ହେଉଥିବା କ୍ଷତି ବିଷୟରେ ମଧ୍ୟ ଜଣାନ୍ତୁ । ଅଧିକ ମୋବାଇଲ୍‌ ବ୍ୟବହାର ଦ୍ୱାରା ହେଉଥିବା ସମସ୍ୟା ଯଥା- ଆଖି ଉପରେ ନକାରାତ୍ମକ ପ୍ରଭାବ, ଠିକ୍‌ରେ ନିଦ ନ ହେବା, ପଢା ଉପରୁ ଫୋକ୍‌ସ କମ୍‌ ହେବା, ମୋବାଇଲ୍‌ ଆଡିକ୍ସନ ହେବା, ବ୍ୟବହାରରେ ପରିବର୍ତ୍ତନ, ଶିକ୍ଷା ଉପରେ ନକାରାତ୍ମକ ପ୍ରଭାବ ଆଦି ଆସିପାରେ ବୋଲି ଜଣାନ୍ତୁ । କେବେ କେବେ ଭୁଲ୍‌ ୱେବ୍‌ ସାଇଟ୍‌ କ୍ଲିକ୍‌ ମଧ୍ୟ ହୋଇଯାଏ, ଯାହା ବୟସ ତୁଳନାରେ ଖୁବ୍‌ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଅଧିକ ସମୟ ମୋବାଇଲ୍‌ ବ୍ୟବହାର କରିବା ଦ୍ୱାରା ବେକ ବଙ୍କା ହେବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *