ଭୁବନେଶ୍ୱରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ, ଜୁଲାଇ ୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଚାଲିବ

ଭୁବନେଶ୍ୱର, ୨୧/୦୭ : ସିନେମା ଦେଖିବା, ଶିଖିବା ଏବଂ ବନେଇବାର ପ୍ରୟାସ କରିବା। ସୃଜନଶୀଳତା, କଳ୍ପନାକୁ ରୂପ ଦେବା ସହ ସିନେମାର ଯାଦୁକୁ ଅନ୍ୱେଷଣ କରିବା । ଏମିତି ସୁଯୋଗ ଆଣି ଦେଇଛି ଭୁବନେଶ୍ୱର ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ୧୦-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି । ଏହା ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜନ କରାଯାଇଛି । ଜୁଲାଇ ୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସର ଉତ୍କଳ ରଙ୍ଗମଞ୍ଚଠାରେ ଏହା ଅନୁଷ୍ଠି ହେବ। ଚଳଚ୍ଚିତ୍ର ମାଧ୍ୟମରେ ସୃଜନଶୀଳତା, କଳ୍ପନା ଏବଂ ସାଂସ୍କୃତିକ ବିବିଧତାର ଏକ ଉତ୍ସବ ଭାବେ ଏହାକୁ ପାଳନ କରାଯାଉଛି।

ପ୍ରି-ଫିଲ୍ମ ଆନିମେସନ୍‌ ଡିଭାଇସ୍‌ ବିଷୟରେ କର୍ମଶାଳା ଏବଂ କ୍ଲେ ମଡେଲ୍‌ ସହିତ ଷ୍ଟପ୍‌-ମୋସନ୍‌ ଆନିମେସନ୍‌ ଚଳଚ୍ଚିତ୍ର ନିର୍ମାଣ ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଚିତ୍ତାକର୍ଷକ ଚଳଚ୍ଚିତ୍ରଗୁଡ଼ିକୁ ଉତ୍ସବ ପାଇଁ ଚୟନ କରାଯାଇଛି । ଏହି ଉତ୍ସବର ଏକମାତ୍ର ଉଦ୍ଦେଶ୍ୟ, ଯୁବକମାନଙ୍କୁ ସିନେମା ସହ ଯୋଡ଼ିବା । କାହାଣୀ କହିବା ପାଇଁ ଉତ୍ସାହିତ କରିବା ଏବଂ ଚଳଚ୍ଚିତ୍ର ମାଧ୍ୟମ ଉପରେ ବିଭିନ୍ନ ଦୃଷ୍ଟିକୋଣକୁ ପ୍ରଶଂସା କରିବାର ଦକ୍ଷତା ବଢ଼ାଇବା । ମହୋତ୍ସବର ନିର୍ଦ୍ଦେଶକ ସୁବ୍ରତ ବେଉରା କହିଛନ୍ତି, ଭୁବନେଶ୍ୱରରେ ଏହି ମହୋତ୍ସବ କରି ଆନନ୍ଦିତ । ଆମେ ଏପରି ଏକ ମଞ୍ଚ ପ୍ରଦାନ କରିବା, ଯେଉଁଠାରେ ପିଲାମାନେ ସିନେମାର ଯାଦୁକୁ ଅନ୍ୱେଷଣ କରିପାରିବେ । ବିବିଧ କାହାଣୀର ସମ୍ମୁଖୀନ ହୋଇପାରିବେ। କାହାଣୀ ସୃଷ୍ଟି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଚଳଚ୍ଚିତ୍ରର ନିଆରା ଶକ୍ତି ଦ୍ୱାରା ଅନୁପ୍ରାଣିତ ମଧ୍ୟ ହୋଇପାରିବେ । ଏହି ଉତ୍ସବ ସେମାନଙ୍କୁ ଏକ ଚିତ୍ତାକର୍ଷକ ଅନୁଭୂତି ଦେବ । ଯାହା ସାରା ଜୀବନ ସେମାନଙ୍କ ସହ ରହିପାରିବ। କାର୍ଯ୍ୟକ୍ରମରେ ଆନିମେଟେଡ୍‌ କାହାଣୀଠାରୁ ଆରମ୍ଭ କରି ହୃଦୟସ୍ପର୍ଶୀ ବାସ୍ତବିକ କାହାଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ପ୍ରଦର୍ଶିତ ହେବାକୁ ଥିବା ସିନେମା ମଧ୍ୟରେ ୧୨୬ ମିନିଟ୍‌ ଅବଧିର ମାର୍ଟିନ୍‌ ସ୍କୋର୍ସେଜିଙ୍କ ‘ହୁଗୋ’(୨୦୧୧), ୧୨୨ ମିନିଟ୍‌ର ସତ୍ୟଜିତ୍‌ ରାୟଙ୍କ ‘ପଥେର ପାଂଚାଲି’(୧୯୫୫), ୧୨୬ ମିନିଟ୍‌ର ହାୟାଓ ମିଆଜାକିଙ୍କ ‘ଦ ୱିଣ୍ଡ୍‌ ରାଇଜେସ୍‌’(୨୦୧୩), ୯୦ ମିନିଟ୍‌ର ସୁବାସ ଦାସଙ୍କ ‘ଏ ବି ସି’(୨୦୦୩) ଏବଂ ଚାର୍ଲି ଚାପ୍‌ଲିନ୍‌ଙ୍କ ‘ମଡର୍ଣ୍ଣ ଟାଇମ୍‌ସ’(୧୯୩୬) ରହିଛି । ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟତୀତ ଯୁବ ଅଂଶଗ୍ରହଣକାରୀଙ୍କ ପ୍ରତିଭାର ବିକାଶ ପାଇଁ ଇଂଟର‌୍ୟାକ୍ଟିଭ କର୍ମଶାଳା ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମମାନ ରହିଛି ।

Leave a Reply

Your email address will not be published. Required fields are marked *