ସ୍କୁଲରେ ଘୁମେଇଲେ ପିଲାଙ୍କୁ ଜରିମାନା

ନୂଆଦିଲ୍ଲୀ, ୦୪/୦୯ : ସ୍କୁଲରେ ଘୁମାଇଲେ କିମ୍ବା ଶୋଇଲେ ପିଲାଙ୍କୁ ଜରିମାନା। ଚୀନ୍‌ର ଏକ ପ୍ରାଥମିକ ବିଦ୍ୟାଳୟ ଏହି ଘୋଷଣା କରିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି । ଦ୍ୱିପ୍ରହରରେ ପିଲା ଡେସ୍କ କିମ୍ବା ମ୍ୟାଟ୍‌ରେ ଶୋଇପଡ଼ିଲେ ସେମାନଙ୍କୁ ୯୦ ଆମେରିକୀୟ ଡଲାର ବା ପ୍ରାୟ ୭, ୪୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗୁଆଙ୍ଗଡୋଙ୍ଗ୍‌ ପ୍ରଦେଶରେ ଥିବା ଜିଶେଙ୍ଗ୍‌ ପ୍ରାଇମେରୀ ସ୍କୁଲ ଘୋଷଣା କରିଛି ।

ସ୍କୁଲ ପକ୍ଷରୁ ଜାରି ନୋଟିସ୍‌ର ସ୍କ୍ରିନ୍‌ଶଟ୍‌ ଅନ୍‌ଲାଇନରେ ଭାଇରାଲ ହୋଇଛି । ଏହା ଅନୁସାରେ, ଯେଉଁ ପିଲାମାନେ ଡେସ୍କରେ ଶୋଇପଡ଼ିଥିଲେ ସେମାନଙ୍କୁ ୨୮ ଡଲାର, କ୍ଲାସ୍‌ରୁମ୍‌ରେ ଥିବା ମ୍ୟାଟରେ ଶୋଇଲେ ୪୯ ଡଲାର ଏବଂ କୌଣସି ପ୍ରାଇଭେଟ ରୁମ୍‌ରେ ବେଡ୍‌ରେ ଶୋଇଥିଲେ ସେମାନଙ୍କୁ ପ୍ରାୟ ୯୩ ଡଲାର ତଣ୍ଡ ଗଣିବାକୁ ପଡ଼ିବ । ତେବେ ଜରିମାନାରୁ ମୁକ୍ତି ପାଇବାକୁ ହେଲେ ମଧ୍ୟାହ୍ନଭୋଜନ ପରେ ପିଲା ଘରକୁ କିଛି ସମୟ ବ୍ରେକ୍‌ରେ ଯାଇପାରିବେ ବୋଲି ସ୍କୁଲର ଜଣେ ଷ୍ଟାଫ୍‌ କହିଛନ୍ତି । ଏହାକୁ ନେଇ ଅଭିଭାବକମାନେ ଉକ୍ତ ସ୍କୁଲକୁ ସମାଲୋଚନା କରିଛନ୍ତି । ଅଧିକ ଅର୍ଥ କମାଇବା ପାଇଁ ସ୍କୁଲ ଏପରି ଅଜବ ନିୟମ ଆଣିଥିବା ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *