ଭାରତର 4 କଫ ସିରଫ ପାଇଁ ଗାମ୍ବିଆରେ 66 ଶିଶୁଙ୍କ ମୃତ୍ୟୁ ସନ୍ଦେହ

() ଭାରତରେ ପ୍ରସ୍ତୁତ ହୋଇଥିବା 4ଟି କଫ ସିରପ ଉପରେ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଡବ୍ଲୁଏଚଓ । ମେଡେନ ଫାର୍ମାସ୍ଯୁଟିକାଲସ ଦ୍ବାରା ପ୍ରସ୍ତୁତ ଏହି 4ଟି କଫ ସିରଫ ଓ ଥଣ୍ଡା ଔଷଧର ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା ଥିବାର ସନ୍ଦେହ ଉପୁଜିଛି ।ଏହି  ଔଷଧ ବ୍ୟବହାର ଯୋଗୁଁ ଗାମ୍ବିଆରେ 66 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଡବ୍ଲୁଏଚଓ ଏହାର ତର୍ଜମା ଆରମ୍ଭ କରିଛି । ଏ ବାବଦରେ ଡବ୍ଲୁଏଚଓ ଭାରତକୁ ଆଲର୍ଟ କରିବା ପରେ ଏଠାରେ ତନାଘନା ମଧ୍ୟ ଆରମ୍ଭ ହୋଇଯ଼ାଇଛି । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ CDSCO ଏହା ଉପରେ ଜରୁରୀ ତଦନ୍ତ କରୁଛି । ରାଜ୍ୟ ସରକାରଙ୍କୁ ମଧ୍ୟ ଆଲର୍ଟ କରିଛି  । ଏଥିସହିତ ଏ ବାବଦରେ ଅଧିକ ତଥ୍ୟ ଦେବା ଲାଗି CDSCO ଡବ୍ଲୁଏଚଓକୁ ଅନୁରୋଧ କରିଛି ।

ମେଡେନ ଫାର୍ମାସ୍ଯୁଟିକାଲସ ଏସବୁ ଔଷଧ ପ୍ରସ୍ତୁତ କରିଛି । ହରିୟାଣାର ଏହି ଔଷଧ କମ୍ପାନି କେବଳ ଗାମ୍ବିଆକୁ ଔଷଧ ରପ୍ତାନୀ କରିଛି । ତେବେ ସେଠାରେ ଏହି ଔଷଧ ପିଲାମାନଙ୍କୁ ଦିଆଯ଼ିବା ପରେ 66 ଜଣ  ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯ଼ୋଗ ଆସିଥିଲା । ଯ଼ଦିଓ ଗୋଟି ଗୋଟି କରି ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ କରାଯ଼ାଇନାହିଁ ଯେ କେଉଁ ଶିଶୁ କେଉଁ କାରଣ ପାଇଁ ପ୍ରାଣ ହରାଇଛି ତଥାପି ବି ଗାମ୍ବିଆରେ ଶିଶୁମାନଙ୍କ ମୃତ୍ୟୁ ପଛରେ ମେଡେନ ଫାର୍ମାସ୍ୟୁଟିକାଲସର ଔଷଧ ଥିବା ଅନୁମାନ କରାଯ଼ାଉଛି  । ଏହି ଔଷଧ ନେଇଥିବା 5 ବର୍ଷରୁ କମ ବୟସର କିଛି ଶିଶୁଙ୍କଠାରେ କିଡନି ଜନିତ ସମସ୍ୟା ଦେଖାଦେଇଥିଲା ପରେ ଶିଶୁମାନେ ପ୍ରାଣ ହରାଇଥିଲେ । ଗାମ୍ବିଆ ସରକାର ଏହା ଉପରେ ତର୍ଜମା କରିବା ପରେ ଡବ୍ଲୁଏଚକୁ ଆଲର୍ଟ କରିଥିଲେ । ଏସବୁ ଔଷଧରେ ଡାଇଇଥାଲିନ ଗ୍ଲାଏକଲ ଏବଂ ଇଥାଇଲେନ ଗ୍ଲାଏକଲ ଉପାଦାନ ରହିଥିବା ସନ୍ଦେହ ହୋଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିଛି ସାମ୍ପଲକୁ ନେଇ ପରୀକ୍ଷା କରିଥିଲା  । ଯେଉଁଥିରୁ ଏସବୁ ଉପାଦାନ ମିଳିଥିବା କୁହାଯାଇଛି । ତେଣୁ ମେଡେନ ଫାର୍ମାସ୍ୟୁଟିକାଲସର ଔଷଧ ବଜାରରୁ ହଟାଇବା ଲାଗି ଡବ୍ଲୁଏଚଓ ପରାମର୍ଶ ଦେଇଥିବା ବେଳେ CDSCO ଏହାର ସବୁଦିଗକୁ ନେଇ ତର୍ଜମା କରୁଛି। ତେବେ ଯେଉଁ ଦେଶ ଔଷଧ ଆମଦାନୀ କରିଥିଲା ସେହି ଦେଶର ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେବା ପରେ ରପ୍ତାନୀକାରୀ ଔଷଧ ପଠାଇଥାନ୍ତି। ତେଣୁ ଗାମ୍ବିଆର ଔଷଧ ବିଶେଷଜ୍ଞମାନଙ୍କ ଆଭିମୁଖ୍ୟ ମଧ୍ୟ ସନ୍ଦେହ ଘେରରେ ରହିଛି।

ତୁରନ୍ତ ହରିୟାନା ସରକାରଙ୍କୁ CDSCO ଆଲର୍ଟ କରିଛି। ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲର ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଏହି ଔଷଧ କମ୍ପାନି ଦେଶର କେଉଁ କେଉଁ ସ୍ଥାନକୁ ଔଷଧ ପଠାଇଛି ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।

Leave a Reply

Your email address will not be published. Required fields are marked *