ଭୁବନେଶ୍ଵର, ୦୧/୦୮ : ସୋସିଆଲ ମିଡିଆରେ ଏବେ ଧମାଲ କରୁଛି ହର ହର ଶମ୍ଭୁ ଗୀତ। ଏହି ଗୀତ ଗାଇ ଏବେ ସାରା ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅଭିଲିପ୍ସା ପଣ୍ଡା। ଗତ 2 ମାସ ତଳେ ରିଲିଜ୍ ହୋଇଥିବା ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଗୀତକୁ ଏବେ ମିଲିୟନ ଭ୍ୟୁଜ୍ ମିଳିସାରିଛି। ଯୁବ ପୀଢିଙ୍କ ଠାରୁ ନେଇ ବୟସ୍କଙ୍କ ଯାଏଁ ସମସ୍ତେ ଏହି ଗୀତକୁ ପସନ୍ଦ କରିଛନ୍ତି। ତେବେ ଆପଣ ଜାଣିଛନ୍ତି କି ଏହି ଗୀତର କଣ୍ଠଶିଳ୍ପୀ ଅଭିଲିପ୍ସା ପଣ୍ଡା କିଏ ? ଜାଣନ୍ତୁ ତାଙ୍କ ବିଷୟରେ…
ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଜନ୍ମିତ ଅଭିଲିପ୍ସା ପଣ୍ଡା। ତାଙ୍କର ଜେଜେବାପା ପଶ୍ଚିମ ଓଡ଼ିଶାର ଜଣେ ପ୍ରସିଦ୍ଧ କଥାକାର ହୋଇଥିବା ବେଳେ ବାପା ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର। ପିଲାଟି ବେଳରୁ କଳା ପ୍ରତି ତାଙ୍କର ଥିଲା ରୁଚି। ମାତ୍ର 4 ବର୍ଷ ବୟସରେ ଜେଜେବାପାଙ୍କ ନିକଟରେ ଶିଖୁଥିଲେ ଗୀତ। ସେ ଏକାଧାରାରେ ଜଣେ ଗାୟିକା, ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ 8ଟି ଭାଷାରେ ଗୀତ ଗାଇ ପାରନ୍ତି।
ମାର୍ସଲ ଆର୍ଟରେ ପାରଙ୍ଗମ ଅଭିଲିପ୍ସା। କରାଟେରେ ତାଙ୍କୁ ବ୍ଲାକ ବେଲ୍ଟ ମିଳିଥିବା ବେଳେ 2019ରେ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଜଣେ ରାଜ୍ୟ ସ୍ତରୀୟ ଡିବେଟର୍। ଅଭିଲିପ୍ସା ଗୀତରେ ଯେମିତି ପାଠ ପଢାରେ ମଧ୍ୟ ସେମିତି ନିପୁଣ। ଚଳିତ ବର୍ଷ ସେ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 2001ରେ ସେ ରିଆଲିଟି ସୋ ଓଡ଼ିଶା ସୁପର ସିଙ୍ଗରରେ ଅଂଶ ଗ୍ରହଣ କରିଥିଲେ। 2017-18ରେ ଅଭିଲିପ୍ସା ହିନ୍ଦୁସ୍ତାନୀ କ୍ଲାସିକାଲ୍ ଭୋକାଲ୍ ପାଇଁ ଟ୍ରଫି ଜିତିଥିଲେ।