ବସ୍ତି ପିଲାମାନଙ୍କୁ ପଢାଉଥିଲେ ପାଠ, ଏବେ ଦେଶର ସର୍ବଶ୍ରେଷ୍ଠ ଟ୍ରେନି ଆଇଏଏସ୍ ଅଫିସର ସିମି କରଣ

ନୂଆଦିଲ୍ଲୀ, 05/08 : କୁହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଓଡ଼ିଶାର ସିମି କରଣ। ମୁମ୍ଵାଇର ଏକ ବସ୍ତିରେ ପିଲାମାନଙ୍କୁ ପାଠ ପଢାଇବା ବେଳେ ସେମାନଙ୍କ ପାଇଁ କିଛି କରିବାର ଆଶାରେ ଆଜି ସେ ହୋଇପାରିଛନ୍ତି ଜଣେ ଆଇଏଏସ୍ ଅଧିକାରୀ। ଦିନରାତି କଠିନ ପରିଶ୍ରମ କରି ସେ 31ତମ ରାଙ୍କ ରଖି ହୋଇଛନ୍ତି ୟୁପିଏସସି ଟପର।

ଆଇଆଇଟି ବମ୍ଵେର ପୂର୍ବତନ ଛାତ୍ରୀ ହେଉଛନ୍ତି ଓଡ଼ିଶାର ସିମି କରଣ। ବିଟେକ୍ କରୁଥିବା ସମୟରେ ସେ ମୁମ୍ଵାଇର ଏକ ବସ୍ତିରେ ରହୁଥିବା ପିଲାମାନଙ୍କୁ ପାଠ ପଢାଉଥିଲେ। ସେ ଏହି ଗରିବ ପିଲାମାନଙ୍କ ଅବସ୍ଥା ଦେଖି ସେମାନଙ୍କ ପାଇଁ କିଛି କରିବାକୁ ମନସ୍ଥ କଲେ। ଏହାପରେ ସିମି ସିଭିଲ୍ ସର୍ଭିସ୍ ରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ଓଡ଼ିଶାରେ ଜନ୍ମିତ ସିମି ଛତିଶଗଡ଼ର ଭିଲାଇରେ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଛନ୍ତି। ତାଙ୍କ ପିତା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ବେଳେ ତାଙ୍କର ମାଆ ଜଣେ ଶିକ୍ଷୟିତ୍ରୀ। ସିମି ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ଆଇଆଇଟି ବମ୍ଵରେ ଆଡମିଶନ ନେଇ ପାଠ ପଢୁଥିଲେ। ଏହି ସମୟରେ ସେ ବମ୍ଵେର ବସ୍ତି ଅଞ୍ଚଳରେ ଥିବା ପିଲାମାନଙ୍କୁ ପାଠ ପଢାଉଥିଲେ। ସେହି ସମୟରେ ଏହି ଗରିବ ପିଲାମାନଙ୍କ ପାଇଁ କିଛି କରିବା ପାଇଁ ସେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ମନସ୍ଥ କରିଥିଲେ।

ଏହାପରେ ସିମି ୟୁପିଏସସି ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ସେ ଦିନକୁ 8 ରୁ 10 ଘଣ୍ଟା ପରିଶ୍ରମ କରୁଥିଲେ। ଶେଷରେ 2019ରେ ସିମି ୟୁପିଏସସିରେ ଅଲ ଇଣ୍ଡିଆରେ 31ତମ ରାଙ୍କ ରଖି ଜଣେ ଆଇଏଏସ୍ ଅଧିକାରୀ ହୋଇପାରିଛନ୍ତି। ଏହି ସଫଳତା ପରେ ସେ କହିଛନ୍ତି ଯେ, ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ନିଜେ ନିଜ ପାଇଁ ଜଣେ ଆଲୋଚକ ହୁଅନ୍ତୁ। ନିଜର ମୂଲ୍ୟାଙ୍କନ କରନ୍ତୁ। ଆବଶ୍ୟକତା ଅନୁସାରେ ରଣନୀତି ପ୍ରସ୍ତୁତ କରନ୍ତୁ, ଦେଖିବେ ସଫଳତା ନିଶ୍ଚୟ ଆପଣଙ୍କର ଚରଣ ଛୁଇଁବ।

Leave a Reply

Your email address will not be published. Required fields are marked *