ଦୁଇ ଦିନର ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ୨୦ଟି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ୨୦ଟି ଜିଲ୍ଲାକୁ ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ଲୋକ ବର୍ଷା ବା ତତସଂଲଗ୍ନ ବିଭିନ୍ନ କାରଣ ପାଇଁ ପ୍ରଭାବିତ ହୋଇଛନ୍ତି । ୧୩ ହଜାର ୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର୮୭୦ଟି ଘର ଭାଙ୍ଗିଯାଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। କାନ୍ଥ ପଡ଼ି କେନ୍ଦ୍ରାପଡ଼ାରେ ୨ଜଣ ଓ ଗଞ୍ଜାମରେ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ଏ ଦିଗରେ ଅଧିକ ତଦନ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ରହିଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲାର ୧୧୧ଟି ବ୍ଲକର ୩୬୯୬ଟି ଗାଁ ଏବଂ ୨୭ଟି ପୌରାଂଚଳରେ ବର୍ଷା ବିପତ୍ତି ଦେଖିବାକୁ ମିଳିଛି । ତଳିଆ ଅଂଚଳରେ ପାଣି ପଶିଯିବାରୁ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୮୭୦ଟି ଘର ଭାଙ୍ଗି ପଡ଼ିଛି।
ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ସର୍ବାଧିକ ୧୦ଟି ଲେଖାଏ ବ୍ଲକ ପ୍ରଭାବିତ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୧୩୨୧ଟି ଗାଁ ବର୍ଷା ଜଳଘେରରେ ରହିଛି। କେନ୍ଦ୍ରାପଡ଼ାରେ ୮୧୧ଟି ଓ ଯାଜପୁର ଜିଲ୍ଲାରେ ୫୧୫ଟି ଗାଁ ଜଳବନ୍ଦୀ ରହିଛି। ଜଗତସିଂହପୁର ଜିଲ୍ଲାର ମୋଟ ୧୧ଲକ୍ଷ ୩୬ହଜାର ୯୭୧ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୭.୭୯ଲକ୍ଷ ଲୋକ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି। ସେହିପରି ପୁରୀ ଜିଲ୍ଲାର ୩୪୬୧ଜଣ, ଜଗତସିଂହପୁର ଜିଲ୍ଲାର ୩୫୬୪, କେନ୍ଦ୍ରାପଡ଼ା ଜିଲ୍ଲାର ୫୩୨ଜଣ, କଟକ ଜିଲ୍ଲାର ୫୬୮୩ଜଣ, ଢେଙ୍କାନାଳ ଜିଲ୍ଲାର ୨୨୦ଜଣ ଓ କନ୍ଧମାଳ ଜିଲ୍ଲାର ୨୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏସବୁ ଜିଲ୍ଲାରେ ମାଗଣା ରନ୍ଧା ଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ODRAF team , Town IIC are continuing the task of clearing the route for channel and other problems related to rainfall.
Rain has resided a little.@DGPOdisha@CollectorBgr @CMO_Odisha pic.twitter.com/4RoPxf2Y3N— SP Balangir ( Odisha ) (@spbalangir) September 14, 2021
ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାଗୁଡ଼ିକରେ ପାଣି ଚାଲୁଥିବାରୁ ତାହା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। କେବଳ ଜଗତସିଂହପୁର ଜିଲ୍ଲାରେ ୬୧୯୧୪ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଛି। ଏହି ସମସ୍ତ ୨୦ ଜିଲ୍ଲାର ପ୍ରାୟ ୧ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପାଣି ପଶିଯାଇଥିବାରୁ ଫସଲ ନଷ୍ଟ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି।