ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାପ ଛେଉଣ୍ଡ ଝିଅ, ସୁଭଦ୍ରାଙ୍କୁ ବଢିଲା ସହାୟତାର ହାତ

ବାଲେଶ୍ୱର, 20/08 : ନିଜ ଦୁଃଖ ସହ ପଢାଠୁ ଦୂରେଇ ଯିବାର ଭୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଜଣେ ଅସହାୟ ବାପ ଛେଉଣ୍ଡ ଝିଅ। ବାଲେଶ୍ଵର ଜିଲ୍ଲାର ସୁଭଦ୍ରା ପଣ୍ଡା । ସୁଭଦ୍ରା ଏବେ ଦଶମ ଶ୍ରେଣୀରେ ପାଠ ପଢନ୍ତି। ପାଠ ପଢ଼ିବା ସହ ପିଲାଟି ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ସାହା ଭରସା କହିଲେ ବିଧବା ମାଆ ଟିଏ। ସେବି ପୁଣି ମାନସିକ ରୋଗୀ। ତେଣୁ ସେ କାହାରି ଠୁ ସାହାଯ୍ୟ ନ ପାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସୁଭଦ୍ରା ଲେଖିଥିଲେ ଯେ, ‘ମୁଁ ହତଭାଗିନୀ ଟିଏ। ମୋର ଜନ୍ମ କଲା ବାପା-ମାଆ କିଏ ମୁଁ ଜାଣେନି। ମୁଁ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ମୋ ପାଳକ ବାପା ମତେ ଛାଡି ଆରପାରିକୁ ଚାଲିଗଲେ। ଆଉ ବାପା ଚାଲିଗଲା ପରେ ମାଆ ମୋର ମାନସିକ ରୋଗରେ ଆକ୍ରାନ୍ତ। ଆଉ ଯେବେ ମୁଁ ବଡ଼ ହେଲି ସାହିପଡିଶାରୁ ଶୁଣିଲି ମୋର ବାପା ମତେ ଗୋଟେ ଛୋଟ ଜାତିରୁ ଆଣି ପାଳିଛନ୍ତି । ମୋର ଜାତି ଛୋଟ ବୋଲି ସାହି ପଡିଶା କେହିବି ଛୁଅନ୍ତି ନାହିଁ। ମତେ ଅଛୁଆଁ କହି ଘରକୁ ଉଠିବାକୁ ଦିଅନ୍ତି ନାହିଁ। ଆଉ ବାପା ଚାଲିଗଲା ପରେ ମାଆ ପାଉଥିବା ୫୦୦ ଟଙ୍କା ଭାତ୍ତା ଓ ଚାଉଳରେ ଓଳିଏ ଖାଇ ଓଳିଏ ଉପବାସରେ ରହୁ। ଘରଟିଏ ମଧ୍ୟ ବାପା ଥିଲାବେଳେ କରିଥିଲେ। ଏବେ ତାହା ଭାଙ୍ଗିବାକୁ ବସିଲାଣି । ବର୍ଷା ହେଲେ ଘରେ ପାଣି ପଡୁଛି। ମରାମତି କରିବାକୁ ପଇସା ବି ନାହିଁ। ତଥାପି ମୋର ସ୍ବପ୍ନ ଅଛି ମୁଁ ପାଠ ପଢିବି ଆଉ ରୋଜଗାର କରି ମୋ ମାଆକୁ ଭଲ କରିବି। କିନ୍ତୁ ଅର୍ଥ ହିଁ ସବୁଥିରେ ସାଜିଛି ବାଧକ’।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସୁଭଦ୍ରାଙ୍କ ପାଇଁ ବଢିଲା ସହାୟତାର ହାତ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ସାହାଯ୍ୟର ହାତ ବଢୁଛି । ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ପ୍ରତି ମାସରେ ୨୦୦୦ ହଜାର ଟଙ୍କାର ସହାୟତା ମିଳିବ। ଶିଶୁ ମଙ୍ଗଳ ଯୋଜନାରେ ସହାୟତା ଦେବେ ରାଜ୍ୟ ସରକାର । ରେମୁଣା ବିଡିଓ ଛବିରାଣୀ ସାହୁ ଏନେଇ ସୂଚନା ଦେଇଛନ୍ତି। ଏଥି ସହ ତାଙ୍କୁ ପକ୍କା ଘର ସହ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏହାସହ ରାଜ୍ୟର କିଛି ସ୍ୱେଚ୍ଛାସେବୀ ଏବଂ ସହ ହୃଦୟ ବ୍ୟକ୍ତି ସୁଭଦ୍ରାଙ୍କ ପଢା ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *