ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଯୋଗ, ଘରେ କରନ୍ତୁ ଏହି ସବୁ ମୁଦ୍ରା… ତ୍ଵଚାରେ ଆସିବ ଚମକ

ଭୁବନେଶ୍ଵର, 21/08 : ସୁନ୍ଦର ତ୍ୱଚା ପ୍ରତି ମହିଳାଙ୍କର ରହିଛି ଦୁର୍ବଳତା । ବୟସ ବଢିବା ସହ ତ୍ୱଚାର ଚମକ ଆପେ ଆପେ କମିବାରେ ଲାଗେ । ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ମୁଖ୍ୟତଃ ଦାୟୀ । ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । କାରଣ କସ୍‌ମେଟିକ୍‌ କେବଳ ବାହ୍ୟ ଆବରଣ । ତ୍ୱଚାରେ ଚମ୍‌କ ପାଇଁ ଭିତରୁ ସୁସ୍ଥ ହେବା ଜରୁରି । ଏଥିପାଇଁ ଯୋଗରେ କେତେକ ମୁଦ୍ରା ରହିଛି, ଯାହାକୁ ନିୟମିତ କରିବା ଦ୍ୱାରା ମହିଳାମାନେ ଭିତରୁ ସୁସ୍ଥ ହେବା ସହ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ।

ଆଖି ପାଇଁ :ବେକକୁ ସିଧା ରଖି ଆଖିକୁ ଡ୍ୟାନ୍ସିଂ ବଲ୍‌ ପରି ବୁଲାନ୍ତୁ । ଯେପରିକି ଘଣ୍ଟା କଣ୍ଟା ଘୂରିବା ଦିଗରେ, ଏହାର ବିପରୀତ ଦିଗରେ, ଉପର ଓ ତଳ ଭାବେ ଆଖିକୁ ଘୂରାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆଖି ସବୁବେଳେ ସତେଜ ଓ ସୁଢୋଳ ରହିଥାଏ ।

ଗାଲ ପାଇଁ :ପାଟି ଭିତରେ ପବନ ପୂରାଇ ଗାଲକୁ ବେଲୁନ୍‌ ପରି ଫୁଲାନ୍ତୁ । ଏହି ସ୍ଥିତିରେ ଗାଲକୁ ହାଲ୍‌କା ହାତରେ ସ୍ପର୍ଶ କରନ୍ତୁ । ଏହି ପ୍ରକ୍ରିୟାକୁ ୩/୪ ମିନିଟ୍‌ ଯାଏ କରନ୍ତୁ ।

ସିଂହ ମୁଦ୍ରା :ଏହି ମୁଦ୍ରା କରିବା ପାଇଁ ପ୍ରଥମେ ଭୂମି ଉପରେ ଦୁଇ ହାତକୁ ରଖନ୍ତୁ । ଏବେ ବେକକୁ ଉପରକୁ ଉଠାଇ ଜିଭକୁ ବାହାରକୁ ଆଣନ୍ତୁ, ଠିକ୍‌ ସିଂହ ପରି । ଏହି ସମୟରେ ଆଖିକୁ ବଡ଼ କରିନିଅନ୍ତୁ ।

ମାଛ ମୁହଁ ମୁଦ୍ରା :ଗାଲ ଭିତରକୁ ଟାଣି ମୁହଁକୁ ମାଛ ମୁହଁ ଆକାରର କରନ୍ତୁ । ଏହା ତ୍ୱଚାର ଡବଲ ଚିନ୍‌ ସମସ୍ୟା ଦୂର କରିଥାଏ ।

ତ୍ୱଚାର ଟୋନିଂ ପାଇଁ :ବେକକୁ ସାମାନ୍ୟ ଉପରକୁ ଉଠାଇ ପାଟିକୁ ଚୁମ୍ବନ ମୁଦ୍ରାରେ ରଖନ୍ତୁ । ଏହି ମୁଦ୍ରାରେ ୩୦ ସେକେଣ୍ଡ ଯାଏ ରହନ୍ତୁ । ଏହି ଅଭ୍ୟାସ ଫଳରେ ତ୍ୱଚାର ଟୋନିଂ ହୋଇଥାଏ ।

ଧ୍ୟାନ ମୁଦ୍ରା :ବୁଦ୍ଧଙ୍କ ପରି ଆଖିକୁ ବନ୍ଦ କରି ପଦ୍ମାସନ ମୁଦ୍ରାରେ ବସିପଡନ୍ତୁ । ଏହି ମୁଦ୍ରାରେ ୧୦ରୁ  ୨୦ ମିନିଟ୍‌ ଯାଏ ରୁହନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିଥାଏ ।

Leave a Reply

Your email address will not be published. Required fields are marked *