ଚିନାବାଦାମ ଚୋପାରେ ଜୈବକୁଣ୍ଡ ପ୍ରସ୍ତୁତ କରୁଛନ୍ତି ହାଇସ୍କୁଲ ଛାତ୍ରୀ, ପରିବେଶକୁ ପଲିଥିନ୍ ମୁକ୍ତ କରିବାକୁ ପ୍ରୟାସ

ନୂଆଦିଲ୍ଲୀ, 25/08 : ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଜୈବ ବିଘଟନ ଯୋଗ୍ୟ କୁଣ୍ଡ ପ୍ରସ୍ତୁତ କରି ଚର୍ଚ୍ଚାରେ ହାଇଦ୍ରାବାଦର ଛାତ୍ରୀ ଏ ଶ୍ରୀଜା। ପରିବେଶକୁ କିଭଳି ପଲିଥିନ୍ ମୁକ୍ତ କରିହେବ ସେହି ଦିଗରେ ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କର ପ୍ରଶଂସାର ପାତ୍ରୀ ହୋଇଛନ୍ତି ଶ୍ରୀଜା। ଚିନାବାଦାମ ଚୋପାରେ ସେ ଜୈବ କୁଣ୍ଡ ପ୍ରସ୍ତୁତ କରୁଛନ୍ତି । ଫଳରେ ଆଉ ପଲିଥିନ୍‌ ବ୍ୟାଗ୍‌ରେ ଚାରା ଲଗାଇବାର ଆବଶ୍ୟକ ହେବ ନାହିଁ । ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରୀଜା ଏବେ ଉଦ୍ୟମୀ ପାଲଟିଛନ୍ତି ।

ସୂଚନାନୁଯାୟୀ, ଶ୍ରୀଜା ଦିନେ ସକାଳେ ତେଲଙ୍ଗାନା ସ୍ଥିତ ନିଜ ଗାଁ ସ୍କୁଲରେ ଚାରା ଲଗାଉଥିଲେ । ଏହି ସମୟରେ ସେ ପଲିଥିନ୍‌ ବ୍ୟାଗ୍‌ରେ ଲାଗିଥିବା ଏକ ଚାରାକୁ ଦେଖିଲେ । ଚାରିପାଖକୁ ଚାହିଁଲେ । ଏଭଳି ଅନେକ ପଲିଥିନ୍‌ ବ୍ୟାଗ୍‌ରେ ଚାରା ଲଗାଯାଇଥିବା ତାଙ୍କ ନଜରରେ ପଡ଼ିଲା । ଏହାପରେ ଶ୍ରୀଜା ପ୍ରଧାନଶିକ୍ଷକ ଅଗଷ୍ଟାଇନ୍‌ଙ୍କ ପାଖକୁ ଦୌଡ଼ିଗଲେ, ଏବଂ କହିଲେ ‘ପଲିଥିନ୍‌ ଆମର କ୍ଷତି କରୁଛି । ସେଗୁଡ଼ିକ ଜୈବ ବିଘଟନ ଯୋଗ୍ୟ ନୁହେଁ । ପରିବେଶ ପାଇଁ ଏହାକୁ କାର୍ଯ୍ୟରେ ଲଗାଯିବା ଉଚିତ୍‌ ନୁହେଁ ।’

ଶିକ୍ଷକ ଶ୍ରୀଜାଙ୍କ କଥା ଧୈର୍ଯ୍ୟ ସହକାରେ ଶୁଣିଲେ । ତାଙ୍କ ଚିନ୍ତା ଏକଦମ୍‌ ଠିକ୍‌ ଥିଲା । କିନ୍ତୁ ଏହାର ସମାଧାନ ବାହାର କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହି ମୁହୂର୍ତ୍ତରୁ ଶ୍ରୀଜା ଓ ଅଗଷ୍ଟାଇନ୍‌ ହାତ ମିଶାଇଲେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀଜା ଓ ପ୍ରଧାନଶିକ୍ଷକ ସରକାରଙ୍କ ଟି-ୱାର୍କସ କାର୍ଯ୍ୟାଳୟକୁ ବାରମ୍ବାର ଗଲେ ଏବଂ ଇଞ୍ଜିନିୟର ଟିମ୍‌ଙ୍କ ସହ ଆଲୋଚନା କଲେ । ଜୈବ ପାତ୍ର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ମିଶ୍ରଣ ବିଷୟରେ ଗବେଷଣା କଲେ । ବିଭିନ୍ନ ପ୍ରକାର ପ୍ରାକୃତିକ ଉପାୟରେ ଉପଲବ୍ଧ ଉତ୍ସ ଜରିଆରେ ସେମାନେ ତା’ର ପେଷ୍ଟକୁ ବାରମ୍ବାର ସଂଶୋଧିତ କଲେ। ଜୈବ କୁଣ୍ଡଗୁଡ଼ିକ ତିଷ୍ଠିବା ଲାଗି ଉପକରଣଗୁଡ଼ିକର ଅନୁପାତ ଓ ମିଶ୍ରଣ ଗୁରୁତ୍ୱପୂର୍ଣ୍ଣ ଥିଲା । ଏକୋଇଶ ମାସ ପରେ ଶ୍ରୀଜା ପ୍ରଧାନଶିକ୍ଷକଙ୍କ ପାଖରେ ପହଞ୍ଚିଲେ, ପାତ୍ର ପାଇଁ ଆବଶ୍ୟକ ମିଶ୍ରଣର ସମାଧାନ ସେ ପାଇଥିଲେ । ସେ ପ୍ରୟୋଗ କରିଥିବା ଉକ୍ତ ମିଶ୍ରଣ ପାଇଁ ଏବେ ପେଟେଣ୍ଟ ଆବେଦନ କରିଛନ୍ତି । ‘ଶ୍ରୀଜା ଗ୍ରୀନ୍‌ ଗାଲାକ୍ସି’ ନାମ ଅଧୀନରେ ତାଙ୍କର ଏକ କମ୍ପାନି ମଧ୍ୟ ପଞ୍ଜୀକୃତ ହୋଇଛି । ଖୁବ୍‌ଶୀଘ୍ର ଶ୍ରୀଜା ଏହାର ଔପଚାରିକ ସିଇଓ ହେବେ ।

ଶ୍ରୀଜାଙ୍କର ଏହି ଅଭିନବ ଉଦ୍ଭାବନ ପାଇଁ ସିଏସ୍‌ଆଇଆର୍‌ ଆୱାର୍ଡ ମିଳିଛି । ଶ୍ରୀଜା ଖୁବ୍‌ଶୀଘ୍ର ଜୈବ କୁଣ୍ଡର ନିର୍ମାଣ ୟୁନିଟ୍‌ ସ୍ଥାପନା କରିବେ । ଅନ୍ୟମାନେ ଯଦି ଏହି ୟୁନିଟ୍‌ ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ‘ଶ୍ରୀଜା ଗ୍ରୀନ୍‌ ଗାଲାକ୍ସି’ ସେମାନଙ୍କୁ ଜୈବ କୁଣ୍ଡ ନିର୍ମାଣ ଲାଗି ସାଧାରଣ ମୂଲ୍ୟରେ ତରଳ ପେଷ୍ଟ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *