ଆଉ ଜଣେ ସ୍ଵୟଂସିଦ୍ଧା ସୀମା ରାଓ… ଦେଶ ପାଇଁ ଦୀର୍ଘ 20 ବର୍ଷ ହେଲା ଦେଉଛନ୍ତି ନିଃଶୁକ୍ଳ ସେବା, ଯବାନଙ୍କୁ ଦେଉଛନ୍ତି ମାର୍ସଲ ଆର୍ଟ ଶିକ୍ଷା

ନୂଆଦିଲ୍ଲୀ, 24/08 : ପୁରୁଷ ପ୍ରଧାନ ସମାଜରେ ପୁରୁଷଙ୍କୁ ପଛରେ ପକାଇ ଆଜି ଢେର ଆଗକୁ ବଢିଛି ନାରୀ। ନିଜ କୌଶଳ ବଳରେ ଲେଖିଛି ନୂଆ ଇତିହାସ। ଏବେ ଦେଶର ନାରୀମାନେ କେବଳ ଚୂଲୀ ମୁଣ୍ଡରେ ସୀମିତ ନାହାଁନ୍ତି, ନିଜର ଅଦମ୍ୟ ସାହସ ଦେଖାଇ ସେ ହୋଇପାରିଛି ଜଗତଜିତା। ଆଜି ଏଭଳି ଜଣେ ନାରୀ ଶକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦୀର୍ଘ 20 ବର୍ଷ ହେଲା ନିଃସ୍ଵାର୍ଥପର ଭାବରେ ଦେଶସେବା କରି ଆସୁଛନ୍ତି।

7 ଡିଗ୍ରୀ ବ୍ଲାକ୍ ବେଲ୍ଟଧାରୀ ସାମରିକ ମାର୍ଶଲ ଆର୍ଟରେ ଭାରତର ଏକମାତ୍ର କମାଣ୍ଡୋ ପ୍ରଶିକ୍ଷକ ହେଉଛନ୍ତି ସୀମା ରାଓ। ସେ ଗତ କୋଡିଏ ବର୍ଷ ଧରି ଭାରତୀୟ ସେନାରେ ‘କମାଣ୍ଡୋ ଟ୍ରେନିଂ’ ଦେଉଛନ୍ତି, ଯେଉଁଥିପାଇଁ ସେ କୌଣସି ପାରିଶ୍ରମିକ ନେଉନାହାଁନ୍ତି। ସେ କମ୍ବାଟ୍ ସୁଟିଂ ଇନଷ୍ଟ୍ରକ୍ଟର, ଫାୟାର ଫାଇଟର୍, ସ୍କୁବା ଡ୍ରାଇଭର, ରକ୍ କ୍ଲାଇମ୍ବିଂରେ HMI ପଦକ ବିଜେତା।

ସ୍ଵାଧୀନତା ସଂଗ୍ରାମୀ ପ୍ରୋ. ରମାକାନ୍ତ ସିନାରୀଙ୍କ ଝିଅ ହେଉଛନ୍ତି ସୀମା ରାଓ। ଗୋଆକୁ ସ୍ଵାଧୀନ କରିବାରେ ରମାକାନ୍ତଙ୍କର ମୁଖ୍ୟ ଭୂମିକା ଥିଲା। ପିଲାଟି ବେଳୁ ଦେଶଭକ୍ତି ଏବଂ ସ୍ଵାଧୀନତା ସଂଗ୍ରାମ ବିଷୟରେ ଶୁଣି ଶୁଣି ବଡ଼ ହୋଇଛନ୍ତି ସୀମା। ନିଜ ପିତାଙ୍କ ଠାରୁ ଦେଶ ସେବା କରିବା ପାଇଁ ସୀମାଙ୍କୁ ମିଳିଥିଲା ପ୍ରେରଣା। ପରବର୍ତ୍ତୀ ସମୟରେ ମେଜର ଦୀପକ ଶର୍ମାଙ୍କୁ ବିବାହ କରିଥିଲେ ସୀମା।ବିବାହ ପରେ ସେ ମାର୍ସଲ ଆର୍ଟ, ଶସ୍ତ୍ର ଶିକ୍ଷା, ଶୁଟିଂ ଭଳି ବହୁ ବିଦ୍ୟା ଶିଖିଥିଲେ। ଏହା ସହ ଡାକ୍ତରୀ ପାଠ ପଢା ଶେଷ କରିଥିଲେ। ଏହି ସମସ୍ତ କ୍ଷେତ୍ରରେ ପାରଙ୍ଗମ ହେବା ପରେ ସୀମା ଦେଶ ସେବା ପାଇଂ ନିଜକୁ ଉତ୍ସର୍ଗ କରିବାକୁ ମନ ବଳାଇଥିଲେ।

ଏହାପରେ 1996ରେ ସେ ଭାରତର ଯବାନମାନଙ୍କୁ ମାର୍ସଲ ଆର୍ଟ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ସେବେଠାରୁ ସୀମା ନିଃଶୁକ୍ଳ ଭାବେ ସେନାର ଯବାନମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ତେବେ ସୀମାଙ୍କ ଏହି ଯାତ୍ରା ସହଜ ନଥିଲା। ଖରା, ବର୍ଷା, ଶୀତ ସହି ସେ ଟ୍ରେନିଂ ସେଣ୍ଟରରେ ପହଞ୍ଚନ୍ତି ଏବଂ ଶିକ୍ଷା ଦେଇଥାନ୍ତି। ଏହି କାରଣରୁ ସେ ତାଙ୍କର ପିତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇପାରିନଥିଲେ।

Leave a Reply

Your email address will not be published. Required fields are marked *