ଭୁବନେଶ୍ଵର,୧୫/୮ : ୭୬ତମ ସ୍ୱାଧୀନତା ଦିବସ ସଗର୍ବେ ପାଳନ କରୁଛି ଭାରତ। ଚାରିଆଡ଼େ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ। ସବୁଠି ଆନନ୍ଦଉଲ୍ଲାସର ମାହୋଲ । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଉକୁଟି ଉଠୁଛି । ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ ନେଇ ସମସ୍ତେ ଉନ୍ମାଦିତ, ଉଲ୍ଲସିତ ଓ ଉତ୍ଫୁଲ୍ଲିତ । ଚଳିତବର୍ଷ ଭାରତ ସରକାର ଦେଶର ଏହି ମହାନ୍ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ଏଥିପାଇଁ ନୂଆ ଅଭିଯାନ ‘ହର୍ ଘର୍ ତିରଙ୍ଗା’ ଆରମ୍ଭ କରିଛନ୍ତି । ହର୍ ଘର୍ ତିରଙ୍ଗା ଅଭିଯାନରେ ପ୍ରତ୍ୟେକ ଦେଶବାସୀ ସାମିଲ ହୋଇ ଅଗଷ୍ଟ ୧୩ ତାରିଖରୁ ନିଜ ଘର ଛାତ ଉପରେ, ବାଲ୍କୋନିରେ ତ୍ରିରଙ୍ଗା ପତାକା ଲଗାଇଥିବା ଦେଖିବାକୁ ମିଳିଛି । ତେବେ ସ୍ଵାଧୀନତା ଦିବସ ଅବସରରେ ଜାଣନ୍ତୁ କିଚି ଜଣା ଅଜଣା କଥା…
ତ୍ରିରଙ୍ଗାର ରୂପକାର ପିଙ୍ଗଳି ଭେଙ୍କେୟା…
ଆଜିର ଭାରତୀୟ ଜାତୀୟ ପତାକା ଯେଉଁ ପତାକା ଉପରେ ପର୍ଯ୍ୟବସିତ ହୋଇଛି ପିଙ୍ଗଳି ଭେଙ୍କେୟା ତାକୁ ଡିଜାଇନ୍ କରିଥିଲେ । ସେ ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ । ମାତ୍ର ୧୯ ବର୍ଷର ହୋଇଥିବାବେଳେ ସେ ବ୍ରିଟିଶ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ମୁତୟନ କରାଯାଇଥିଲା । ଯୁଦ୍ଧ ସମୟରେ ସୈନିକମାନେ ବ୍ରିଟେନ୍ର ଜାତୀୟ ପତାକାକୁ ସାଲ୍ୟୁଟ୍ କରୁଥିବା ଦେଖି ଭେଙ୍କେୟା ଭାରତୀୟଙ୍କ ଲାଗି ଏକ ପତାକାର ଆବଶ୍ୟକତାକୁ ଅନୁଭବ କଲେ । ପରେ ଯେତେବେଳେ ସେ ୧୯୦୬ ମସିହାରେ କୋଲକାତାରେ ଏଆଇସିସିର ଅଧିବେଶନରେ ସାମିଲ ହେଲେ ଭାରତୀୟ ଜାତୀୟ କଂଗ୍ରେସ ଲାଗି ଏକ ପତାକା ପ୍ରସ୍ତୁତ କରିବାକୁ ପ୍ରେରିତ ହୋଇଥିଲେ । ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ବିଜୟୱାଡ଼ା ଗସ୍ତ ସମୟରେ ସେ ଏକ ପତାକା ଡିଜାଇନ୍ କରି ତାଙ୍କୁ ଦେଲେ । ସେତେବେଳେ ସେଥିରେ ନାଲି ଓ ସବୁଜ ଦୁଇଟି ରଙ୍ଗର ପଟି ଥିଲା । ଗାନ୍ଧିଜୀଙ୍କ ପରାମର୍ଶ ଅନୁସାରେ ଭେଙ୍କେୟା ଭାରତର ଅନ୍ୟ ସବୁ ଧର୍ମକୁ ପ୍ରତିନିଧିତ୍ୱ କରିବା ଲାଗି ଏକ ଧଳା ରଙ୍ଗର ପଟି ସେଥିରେ ଯୋଗ କଲେ । ୧୯୨୧ ମସିହା ପରଠାରୁ ଭେଙ୍କେୟାଙ୍କ ପତାକାକୁ କଂଗ୍ରେସର ସବୁ ବୈଠକରେ ବ୍ୟବହାର କରାଯାଉଥିଲା । ପରବର୍ତ୍ତୀ ସମୟରେ ସେହି ପତାକାରେ କିଛି ପରିବର୍ତ୍ତନ କରି ୧୯୪୭, ଜୁଲାଇ ୨୨ରେ ସମ୍ବିଧାନ ସଭାର ବୈଠକରେ ତାକୁ ଭାରତର ଜାତୀୟ ପତାକା ଭାବେ ସ୍ୱୀକାର କରାଗଲା ।
କଟକରେ ଉଡ଼ିଥିଲା ପ୍ରଥମ ତ୍ରିରଙ୍ଗା…
ଅନେକ ଇତିହାସର ମୂକସାକ୍ଷୀ କଟକ । ଓଡ଼ିଶାରେ ପ୍ରଥମ ତ୍ରିରଙ୍ଗା କଟକରେ ହିଁ ଉଡ଼ିଥିଲା । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ମହାଡ଼ମ୍ବରରେ ପାଳନ କରୁଥିବା ବେଳେ କଟକ ଏବେ ସେ ଦିନର ସେହି ମହାର୍ଘ୍ୟ ମୁହୂର୍ତ୍ତକୁ ମନେ ପକାଉଛି । ଏହି ସହର ବୁକୁରେ ସାଇତା ହୋଇ ରହିଛି ଅନେକ ଘଟଣା ଓ ଅଘଟଣର ପ୍ରତିଛବି । ନବକୃଷ୍ଣ ଚୌଧୁରୀ କଟକ ବାଖରାବାଦର ନିଜ ଘର ଛାତ ଉପରେ ଉଡ଼େଇଲେ ଜାତୀୟ ପତାକା ‘ତ୍ରିରଙ୍ଗା’ । ଆଜି ବାଖରାବାଦ୍ର ସେହି ଐତିହାସିକ ଘରକୁ ଦେଖିଲେ ସେଦିନର କଥାକୁ ଲୋକେ ମନେ ପକାଇଥାନ୍ତି । ଏହି ଘରେ ସ୍ୱାଧୀନତା ଆନ୍ଦୋଳନର ବାନରସେନାଙ୍କ ରାଜ୍ୟ କାର୍ଯ୍ୟାଳୟ ଥିଲା । ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଯାତ୍ରା ଏହି ଘରୁ ବାହାରିଥିଲା । ଏବେ ଏହି କୋଠାର ପରିସରରେ ଉତ୍କଳ ଗାନ୍ଧୀ ସ୍ମାରକନିଧି ନାମକ ଅନୁଷ୍ଠାନ ଗଢ଼ି ଉଠିଛି ।
ଜାତୀୟ ସଙ୍ଗୀତର ଅଜଣା କଥା…
ଜାତୀୟ ପତାକା ଭଳି କୋଟି କୋଟି ଭାରତବାସୀଙ୍କ ହୃଦୟରେ ଦେଶପ୍ରେମର ବହ୍ନି ଜାଗ୍ରତ କରିଥାଏ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ଗୀତର ରଚୟିତା । ଏହା ମୂଳତଃ ବଙ୍ଗଳା ଭାଷାରେ ରଚିତ ହୋଇଥିଲା । ଏଥିରେ ୫ଟି ପଦ ଥିଲା । ୧୯୧୧ ମସିହା ଡିସେମ୍ବର ୨୭ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର କୋଲକାତା ଅଧିବେଶନରେ ଏହାକୁ ଗାନ କରାଯାଇଥିଲା । ପରେ ୧୯୫୦ ମସିହା ଜାନୁୟାରୀ ୨୪ ତାରିଖରେ ସମ୍ବିଧାନ ସଭା ଦ୍ୱାରା ଏହାର ପ୍ରଥମ ପଦକୁ ଜାତୀୟ ସଙ୍ଗୀତ ଭାବେ ମାନ୍ୟତା ଦିଆଯାଇଥିଲା । ଜାତୀୟ ସଙ୍ଗୀତ ଗାନ କରିବାକୁ ପ୍ରାୟତଃ ୫୨ ସେକେଣ୍ଡ ସମୟ ଲାଗିଥାଏ । ସ୍ଥଳ ବିଶେଷରେ ଏହାର ସଂକ୍ଷିପ୍ତ ରୂପ ମଧ୍ୟ ଗାନ କରାଯାଇଥାଏ । ସେଥିଲାଗି ୨୦ ସେକେଣ୍ଡ ସମୟ ଲାଗେ ।