ସଫଳତାପୂର୍ବକ ଆଜାଦୀ ସ୍ୟାଟ୍ ଉତ୍‌କ୍ଷେପଣ କଲା ଇସ୍ରୋ, ଡିଜାଇନ୍ କରିଥିଲେ ୭୫୦ ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ, ୦୭/୦୮ : ସ୍ଵାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ଇସ୍ରୋ। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ପକ୍ଷରୁ ଆଜାଦୀ ସ୍ୟାଟ୍ ଉତ୍‌କ୍ଷେପଣ ସଫଳ। ସକାଳ ୯ଟା ୧୮ରେ SSLV-D1-EOS-02 ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଏହି ସାଟେଲାଇଟ୍ ଉତ୍‌କ୍ଷେପଣ ହୋଇଛି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ୭୫ଟି ଗାଁର ୭୫୦ ସ୍କୁଲ ଛାତ୍ରୀ ଏହି ସାଟେଲାଇଟ୍‌ର ଡିଜାଇନ୍ କରିଥିଲେ। ଏନେଇ ଇସ୍ରୋ ପ୍ରମୁଖ ସୋମନାଥ ସୂଚନା ଦେଇଛନ୍ତି। ଏହି ମହତ୍ତ୍ଵାକାଂକ୍ଷୀ ପ୍ରୋଜେକ୍ଟକୁ ଭିନ୍ନ ଭିନ୍ନ ସ୍କୁଲର ଛାତ୍ରୀ ମିଶି ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଛି। ଇସ୍ରୋ ଦ୍ଵାରା ଝିଅମାନଙ୍କୁ ଟେକ୍ନୋଲୋଜି, ଇଞ୍ଜିନିଅରିଂ, ବିଜ୍ଞାନ ଭଳି କ୍ଷେତ୍ରରେ ଆଗକୁ ଆଣିବା ଏହି ମିଶନର ଲକ୍ଷ୍ୟ।

୧୪୨ କିଲୋଗ୍ରାମ ବିଶିଷ୍ଟ EOS-02 ଏକ ଆର୍ଥ ଅବଜରଭେସନ ସାଟେଲାଇଟ୍। ଏହା ଅନ୍ତରୀକ୍ଷରେ ୧୦ ମାସ ପାଇଁ କାମ କରିବ। ଏଥିରେ ମିଡ୍ ଏବଂ ଲଙ୍ଗ ୱେଲଲେନ୍ଥ ଇନଫ୍ରାରେଡ୍ କ୍ୟାମେରା ଲାଗିଛି। ଏହାର ରିଜୋଲ୍ୟୁସନ ୬ ମିଟର ରହିଛି। ଅର୍ଥାତ୍ ଏହା ରାତିରେ ମଧ୍ୟ ନଜର ରଖିପାରିବ। SSLVର ଲମ୍ଵ ୩୪ ମିଟର। ଏହାର ବ୍ୟାସ ୬.୪ ଫୁଟ ରହିଛି। ଏହାର ଓଜନ ୧୨୦ ଟନ୍। ଏହା ପିଏସଏଲଭି ରକେଟ୍ ଠାରୁ ଆକାରରେ ଖୁବ୍ ଛୋଟ। ଏଥିରେ ୪ଟି ଷ୍ଟେଜ୍ ରହିଛି। ସେଥି ମଧ୍ୟରୁ ୩ଟି ଷ୍ଟେଜ୍‌ରେ ସଲିଡ୍ ଫ୍ୟୁଏଲ୍ ରହିଛି। ଚତୁର୍ଥ ଷ୍ଟେଜ୍‌ରେ ଲିକୁଇଡ୍ ଇନ୍ଧନ ରହିଛି। ପ୍ରଥମ ଷ୍ଟେଜ୍‌ରେ ୯୪.୩ ସେକେଣ୍ଡ, ଦ୍ଵିତୀୟ ଷ୍ଟେଜ୍‌ରେ ୧୧୩.୧ ସେକେଣ୍ଡ ଏବଂ ତୃତୀୟ ଷ୍ଟେଜ୍‌ରେ ୧୦୬.୯ ସେକେଣ୍ଡ ଜଳିବ।

Leave a Reply

Your email address will not be published. Required fields are marked *