ରାଜ୍ୟଗୋଷ୍ଠୀ କ୍ରୀଡ଼ା : ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ, କାନାଡା ପ୍ରତିଯୋଗୀଙ୍କୁ ଦେଲେ ମାତ୍

ବର୍ମିଂହାମ୍, ୦୮/୦୮ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ଜିତିଲେ ଭାରତର ସୁନା ଝିଅ ପିଭି ସିନ୍ଧୁ। ଫାଇନାଲ୍ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇ ସେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସେ ଏକତରଫା ବିଜୟ ହାସଲ କରିଛନ୍ତି। କମନଓ୍ବେଲଥ୍‌ ଗେମ୍ସରେ ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । କମନଓ୍ବେଲଥ୍‌ ଗେମ୍ସ ୨୦୨୨ରେ ଆଶା କରାଯାଉଥିଲା ଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । କିନ୍ତୁ ସିନ୍ଧୁ ଏକପାଖିଆ ଭାବେ ପ୍ରତିଯୋଗିତା ଜିତିନେଇଛନ୍ତି ।

ଟୋକିଓରେ ଅନୁଷ୍ଠିତ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗର୍ବ ଆଣିଥିବା ସିନ୍ଧୁ ଏବେ ବର୍ମିଂହାମରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । କାନାଡାର ଭେଟେରାନ୍‌ ବ୍ୟାଡମିଣ୍ଟନ ତାରକା ମିଚେଲି ଲି’ ଙ୍କୁ ସିଧାସଳଖ ୨୧-୧୫ ଏବଂ ୨୧-୧୩ ସେଟ୍‌ରେ ମାତ ଦେଇଛନ୍ତି। ପୂର୍ବରୁ କମନଓ୍ବେଲଥ୍‌ ଗେମ୍ସରେ ମଧ୍ୟ ଭାରତ ପାଇଁ ଗର୍ବ ଆଣିଥିଲେ ସିନ୍ଧୁ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପରେ ୨୦୧୮ରେ ଗୋଲ୍ଡ କୋଷ୍ଟରେ ଖେଳାଯାଇଥିବା ମୁକାବିଲାରେ ରୌପ୍ୟ ପଦକ ଜିତିଥିଲେ। ଫାଇନାଲରେ ସେ ଭାରତର ସାଇନା ନେହଓ୍ବାଲଙ୍କ ଠାରୁ ପରାସ୍ତ ହୋଇଥିଲେ।

କାନାଡା ପ୍ରତିଯୋଗୀଙ୍କୁ ସହଜରେ ପରାସ୍ତ କରିଛନ୍ତି ଦୁଇ ଦୁଇ ଥର CWG ମେଡାଲ ଜିତିଥିଲେ ପିଭି ସିନ୍ଧୁ । ଏଥି ସହିତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ମେଡାଲ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତ ନିକଟରେ ମୋଟ ୫୬ ପଦକ ରହିଛି । ଯେଉଁଥିରୁ ୧୯ଟି ସ୍ବର୍ଣ୍ଣ ପଦକ ଥିବାବେଳେ ୧୫ଟି ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ରହିଛି ।

Leave a Reply

Your email address will not be published. Required fields are marked *