ଏତେ ଲୋକଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଭୁଆଁ ବନେଇଲେ !

ବିଦେଶ ଯିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଟକ । କିଛି ସମୟ ଅଟକ ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ଜାକ୍‌ଲିନ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ଇଡି । ୨୦୦ କୋଟି ଆଦାୟ ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ବିମାନ ଚଢ଼ିବାକୁ ଯାଉଥିବା ବେଳେ ଜାକଲିନ୍‌ଙ୍କୁ ଅଟକ ରଖି ଲୁକ ଆଉଟ୍‌ ନୋଟିସ୍‌ ସଂପର୍କରେ ଜଣାଇଥିଲେ କର୍ତ୍ତୃପକ୍ଷ । ଇଡିକୁ ମଧ୍ୟ ଅଟକ ସଂପର୍କରେ ସୂଚନା ଦିଆଯାଇଛି।

ଜାକ୍‌ଲିନ୍‌ଙ୍କୁ ଦିଲ୍ଲୀକୁ ଅଣାଯିବ । ସେଠାରେ ତାଙ୍କୁ ପଚରାଉଚରା କରିବ ଇଡି । ଏହା ପୂର୍ବରୁ ଇଡି ଦୁଇ ଥର ତାଙ୍କ ବୟାନ ରେକର୍ଡ କରିଛି। ଜାକିଲିନ୍‌ ଦୁବାଇ ଯାଇଥାନ୍ତେ । କୌଣସି ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଥିଲେ ସେ ଦେଶ ଛାଡ଼ି ପାରିବେ ନାହିଁ ।

ଯଦି ବଲିଉଡ୍‌ର ଟପ୍ ଅଭିନେତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଏ ତେବେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ ଏଥିରୁ ବାଦ ପଡିବେ ନାହିଁ। ସୋସିଆଲ ମିଡିଆରେ ନିଜର ଆକର୍ଷଣୀୟ ଫଟୋ ଓ ଭିଡିଓ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜ୍ୟାକ୍‌ଲିନ୍‌ ସବୁ ହୃଦୟରେ ରାଜ କରୁଛନ୍ତି।ନିଜର ମନମୋହିନୀ ଚାହାଣୀ ଓ ମଜ୍ଜାଳିଆ ନେଚର କାରଣରୁ ସେ ବଲିଉଡ୍‌ରେ ବହୁ କମ ସମୟ ମଧ୍ୟରେ ଲୋକଙ୍କୁ ହୃଦୟକୁ କବ୍ଜା କରିବାରେ ସଫଳ ହୋଇଛନ୍ତି।

ଜ୍ୟାକ୍‌ଲିନ୍‌ ମୂଳତଃ ଶ୍ରୀଲଙ୍କା ଅଧିବାସୀ। ଫିଲ୍ମ ବ୍ୟତୀୟ କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ପାଇଁ ଜ୍ୟାକ୍‌ଲିନ୍ ଆଜିକାଲି ଚର୍ଚ୍ଚରେ ଅଛନ୍ତି। ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ୧୯୮୫ ମସିହା ଅଗଷ୍ଟ ୧୧ ରେ ଶ୍ରୀଲଙ୍କାର କୋଲମ୍ବୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ବହାରିନ୍‌ରେ ଥିଲା ଏବଂ ଏହା ପରେ ସେ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟକୁ ମାସ୍‌ କମ୍ୟୁନିକେସନ୍ ପଢିଥିଲେ। ଜନ୍ ସ୍କୁଲ୍‌ ଅଫ୍ ଆକ୍ଟିଂରୁ ମଧ୍ୟ ସେ ଅଭିନୟ ତାଲିମ ନେଇଥିଲେ।ସୂଚନା ମୁତାବକ ଜ୍ୟାକ୍‌ଲିନ୍ ପାଠ୍ୟକ୍ରମ ଶେଷ କରିବା ପରେ ଶ୍ରୀଲଙ୍କାକୁ ଫେରି ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କାର ମୁକୁଟ ପିନ୍ଧିଥିଲେ। ୨୦୦୯ରେ ଏକ ମଡେଲିଂ ଆସାଇନ୍‌ମେଣ୍ଟ୍‌ ପାଇଁ ଭାରତ ଆସିଥିଲେ। ଏହି ସମୟରେ ସେ ସୁଜୟ ଘୋଷଙ୍କ ‘ଆଲାଦ୍ଦିନ’ ପାଇଁ ଅଡିସନ୍ ଦେଇ ମନୋନୀତ ହୋଇଥିଲେ। ଏହା ପରେ ତାଙ୍କୁ ‘ମର୍ଡର ୨’ରେ ଏକ ଭୂମିକା ମିଳିଥିଲା। ଏହି ଫିଲ୍ମ ହିଁ ତାଙ୍କ ଭାଗ୍ୟକୁ ବଦଳେଇ ଦେଇଥିଲା। ଏଥିରେ ହିଁ ସେ ଉଭୟ ନାମ ଏବଂ ଖ୍ୟାତି ପାଇଥିଲେ।

ନିର୍ଦ୍ଦେଶକ ସାଜିଦ ଖାନଙ୍କ ସହ ଜ୍ୟାକ୍‌ଲିନ୍‌ଙ୍କ ନାମ ମଧ୍ୟ ଜଡିତ ଥିଲା। ସେମାନଙ୍କ ସମ୍ପର୍କର ଅନେକ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଆଜିକାଲି ସୁକେଶ ଚନ୍ଦ୍ରଶେଖରଙ୍କ ଅଭିଯୋଗକୁ ନେଇ ଜ୍ୟାକ୍‌ଲିନ୍‌ ହେଡ୍‌ଲାଇନ୍‌ରେ ଅଛନ୍ତି। ୨୦୦ କୋଟି ଟଙ୍କା ମନୀ ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଅଭିନେତ୍ରୀ ଲୀନା ମାରିଆ ପାଲ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୭,୦୦୦ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି, ଯେଉଁଥିରେ ୫୨ ଲକ୍ଷ ମୂଲ୍ୟର ଘୋଡା ଏବଂ ୯ ଲକ୍ଷ ଫାରସୀ ବିଲେଇ ଉଲ୍ଲେଖ କରାଯାଇଛି।

ତେବେ ଜ୍ୟାକ୍‌ଲିନ୍‌ଙ୍କ ମୁଖପାତ୍ର ଅଭିନେତ୍ରୀଙ୍କ ତରଫରୁ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ସହ ଜଡିତ ନୁହଁନ୍ତି। ତେବେ ପ୍ରକୃତ ସତ କ’ଣ ତାହା ଇଡି ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *