କେରଳରେ କାହିଁକି ଟମାଟୋ କିଲୋ 140

 ବର୍ଷା ଯୋଗୁଁ ରାଜ୍ୟରେ ଧାନ ଫସଲ ସହିତ ପରିବା ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଣୁ କିଛି ସ୍ଥାନରେ ପରିବା ଅଭାବୀ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବର୍ଷା ଛାଡ଼ିବାର ଦୁଇ ଦିନ ପରେ ପୁଣି ପରିବା ଦର ଉପରମୁହାଁ ହେଲାଣି। ଏବେ ଦକ୍ଷିଣ ଭାରତରେ ଚିନ୍ତାର ବିଷୟ ହୋଇଛି ଟମାଟୋ। କେରଳରେ ଟମାଟୋ କିଲୋ 140 ଟଙ୍କାରେ ବିକ୍ରି ହେଲାଣି। ସେହିପରି କର୍ଣ୍ଣାଟକରେ ମଧ୍ୟ ବିଲାତି ବାଇଗଣ କିଲୋ 120 ଟଙ୍କା ଉପରେ ରହିଛି। ଏମିତିକି ସଜନା ଛୁଇଁ କିଲୋ 3ଶହ ଟଙ୍କା ସେଠାରେ ହୋଇଛି। ଦକ୍ଷିଣ ଭାରତରେ ବହୁ ଭାଗରେ ବର୍ଷା ହେବାରୁ ଟମାଟୋ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟମାଟୋ ଉତ୍ପାଦନ ଆଶାଜନକ ହୋଇନାହିଁ। ବଜାରକୁ ଯ଼େତିକି ପରିମାଣରେ ଟମାଟୋ ଆସିବା କଥା ଆସୁନାହିଁ ତେଣୁ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ଓ ପଶ୍ଚିମ ଭାରତରେ ଦର 70ରୁ 90 ଟଙ୍କା ଭିତରେ ଥିବା ବେଳେ କେରଳ ତାମିଲନାଡୁ ଓ କର୍ଣ୍ଣାଟକରେ ଟମାଟୋ ଦର ଶହେ ଟଙ୍କା ଉପରେ ରହିଛି।

ଓଡ଼ିଶାରେ ଟମାଟୋ ଦର କିଛି ଦିନ ତଳେ 40ରୁ 50 ଟଙ୍କାକୁ ଖସିଥିଲା। କିନ୍ତୁ ଏବେ ପୁଣି ଟମାଟୋ ଦର ବୃଦ୍ଧି ପାଇବାରେ ଲାଗିଛି। ଆଉ ମାତ୍ର ଅଳ୍ପଦିନରେ ନୂଆ ଫସଲ ଆସିଥିଲେ ଟମାଟୋ ଦର ଆହୁରି କମିଥାନ୍ତା।  ଏବେ କିନ୍ତୁ ଓଡ଼ିଶାରେ ବି ବର୍ଷା ଅନେକ ସ୍ଥାନରେ ପରିବା ଫସଲକୁ ଉଜାଡ଼ି ଦେଇଛି। ଏବେ ପଶ୍ଚିମ ଓଡ଼ିଶାର ଫସଲ ଉପରେ ଅପେକ୍ଷା କରିଛନ୍ତି ବ୍ୟବସାୟୀ । ଯଦି ସେଠାରୁ କିଛି ଭଲ ଉତ୍ପାଦନ ହୁଏ ତେବେ ପରିବା ଦର ସନ୍ତୁଳିତ ସ୍ତରକୁ ଆସିବ ବୋଲି ଆଶା କରାଯାଉଛି।   

Leave a Reply

Your email address will not be published. Required fields are marked *