ଘାଟୀରେ ହେଉଛି ମହିଳା ସଶକ୍ତିକରଣ, ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ଇ-ରିକ୍ସା ଚାଳକ ସୀମା ଦେବୀ

ନୂଆଦିଲ୍ଲୀ, ୦୭/୦୧ : ଘାଟୀରେ ହେଉଛି ମହିଳା ସଶକ୍ତିକରଣ। ମହିଳାଙ୍କୁ ନେଇ ସମାଜରେ ହେଉଛି ପରିବର୍ତ୍ତନ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ସୀମା ଦେବୀ। ଯେଉଁଠି ମହିଳାଙ୍କ ଏରୁଣ୍ଡି ବନ୍ଦ ଡେଇଁବାକୁ ଅନୁମତି ନାହିଁ ସେଠାରେ ପୁରୁଷଙ୍କ ସହ କାନ୍ଧ ମିଶାଇ କାମ କରି ଘର ଚଳାଉଛନ୍ତି ସୀମା ଦେବୀ। ସେ ଇ-ରିକ୍ସା ଚଳାଇ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କର ସଙ୍ଘର୍ଷପୂର୍ଣ୍ଣ କାହାଣୀ ବିଷୟରେ।

ଜାମ୍ମୁ କାଶ୍ମୀରର ନାଗରୋଟା ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ହେଉଛନ୍ତି ସୀମା ଦେବୀ। ଅନ୍ୟ ଗୃହିଣୀଙ୍କ ଭଳି ସେ ତାଙ୍କ ପରିବାର ଚଳାନ୍ତି। ସୀମା ଦେବୀଙ୍କର ୩ଟି ସନ୍ତାନ ଅଛନ୍ତି। ପରିବାରର ସମସ୍ତ ଦାୟିତ୍ଵ ନେବା ସୀମା ଦେବୀଙ୍କ ସ୍ଵାମୀଙ୍କ ପକ୍ଷେ ଅସମ୍ଭବ ଥିଲା। ମହଙ୍ଗା ମାଡ଼ ଯୋଗୁଁ ଜଣଙ୍କ ରୋଜଗାରରେ ପରିବାରର ଭରଣ ପୋଷଣ ଅସମ୍ଭବ ହୋଇପଡ଼ିତିଲା। ଏଭଳି କ୍ଷେତ୍ରରେ ସେ ନିଜେ ଅଣ୍ଟା ଭିଡ଼ିଥିଲେ ଏବଂ ନିଜ ସ୍ଵାମୀଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଥିଲେ।

ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସୀମା ଦେବୀ ରିକ୍ସା ଚଲାଇବା ଆରମ୍ଭ କଲେ। ନାଗରୋଟା ଏବଂ ଏହାର ଆଖପାଖ କ୍ଷେତ୍ରରେ ସୀମା ରିକ୍ସା ଚଳାଇଲେ। ତେବେ ଏହି କାମ ତାଙ୍କ ପାଇଁ ସହଜ ନଥିଲା। ସମାଜକୁ ଖାତିର ନକରି ସେ ତାଙ୍କର କାର୍ଯ୍ୟ କରିବାକୁ ଲାଗିଲେ। ସେ ତାଙ୍କ ପତିଙ୍କ ସହାୟତାରେ ୩୦ ହଜାର ଟଙ୍କା ଋଣ ଆଣିଥିଲେ। ୩ ହଜାର ଟଙ୍କାର ଇଏମଆଇ କରି ଏକ ଇ-ରିକ୍ସା କିଣିଲେ। ସୀମାଙ୍କ ସ୍ଵାମୀ ତାଙ୍କୁ ରିକ୍ସା ଚଲାଇବା ଶିଖାଇଥିଲେ।

Leave a Reply

Your email address will not be published. Required fields are marked *