ଚର୍ଚ୍ଚାରେ ଜାପାନର ବିନ୍‌ ବ୍ୟାଗ୍‌ ପୋଷାକ

ନୁଆଦିଲ୍ଲୀ, ୧୬/୦୨ : ଅଜବ ଗଜବ ଉଦ୍ଭାବନର ପେଣ୍ଠସ୍ଥଳୀ ହେଉଛି ଜାପାନ । ଏବେ ଏଠାରେ ଏଭଳି ଏକ ପୋଷାକ ପ୍ରସ୍ତୁତ ହୋଇଛି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଏହା ହେଉଛି ପିନ୍ଧିବାଯୋଗ୍ୟ ବିନ୍‌ ବ୍ୟାଗ୍‌ । ବିନ୍‌ ବ୍ୟାଗ୍‌ ପିନ୍ଧିବାର ଆବଶ୍ୟକତା କ’ଣ ବୋଲି ଆପଣ ଭାବୁଥିବେ । ତୁଳାପରି ନରମ ବିନ୍‌ ବ୍ୟାଗ୍‌ ଚେୟାରରେ ବସିବା ବେଶ ଆରାମଦାୟକ । କାର୍ଯ୍ୟସ୍ଥଳୀରେ ଚାପ ଦୂର କରିବା ପାଇଁ ଲୋକେ ଏଥିରେ କିଛି ସମୟ ଆରାମ କରିବାକୁ ବେଶ ପସନ୍ଦ କରନ୍ତି । କିନ୍ତୁ ଏହାକୁ ସବୁ ସ୍ଥାନକୁ ନେବା ସମ୍ଭବ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଜାପାନର ପୋଷାକ କମ୍ପାନି ତାକିକୋ ସେୱିଙ୍ଗ୍‌ ପିନ୍ଧିବାଯୋଗ୍ୟ ବିନ୍‌ ବ୍ୟାଗ୍‌ ପ୍ରସ୍ତୁତ କରିଛି ।

ଏହାକୁ ପିନ୍ଧି ଲୋକେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଆରାମ କରିପାରିବେ । ଠିକ୍‌ ନାସପାତି ଫଳ ଆକୃତିର ଦିଶୁଥିବା ଏହି ବିନ୍‌ ବ୍ୟାଗ୍‌ ଏବେ ଜାପାନରେ ବେଶ ଲୋକପ୍ରିୟ ହୋଇଛି । ଏହାକୁ କିଣିଥିବା ୟୁ ମାତ୍‌ସୁଜାକି ନାମକ ଜଣେ ବ୍ୟକ୍ତି କହିଛନ୍ତି, ଲୋକେ ଏହାକୁ ଶୀତଦିନେ କମ୍ଭଳ ଭଳି ବ୍ୟବହାର କରିପାରିବେ । କମ୍ପାନି କହିଛି, କୋଭିଡ୍‌-୧୯ କିମ୍ବା ଘରେ କାମ କରିବାର ଧାରା ଆରମ୍ଭ ହେବା ପରେ ବିନ୍‌ ବ୍ୟାଗ୍‌ ପ୍ରସ୍ତୁତିର ବିଚାର ଜନ୍ମ ନେଇନଥିଲା । ଏହାର ପ୍ରୋଟୋଟାଇପ୍‌କୁ କମ୍ପାନିର କର୍ମଚାରୀମାନେ ବେଶ ପସନ୍ଦ କରିବାରୁ ଏହି ବିଚିତ୍ର ପୋଷାକକୁ ବଜାରକୁ ଆଣିବାକୁ ନିଷ୍ପତ୍ତି ନିଆଗଲା । ଛୋଟ, ମଧ୍ୟମ ଓ ବଡ଼ ଆକାରରେ ବିନ୍‌ ବ୍ୟାଗ୍‌ ଉପଲବ୍ଧ ହେଉଛି । ପିଲାମାନେ ଛୋଟ ଓ ମଧ୍ୟମ ଆକାରର ବିନ୍‌ ବ୍ୟାଗ୍‌ ପିନ୍ଧିପାରିବେ । ଏଗୁଡ଼ିକର ମୂଲ୍ୟ ହାରାହାରି ୧୦ ହଜାର ଟଙ୍କା ରଖାଯାଇଛି ।

Leave a Reply

Your email address will not be published. Required fields are marked *